ଗ୍ରିଲ୍‌କାଟି ଲୁଟି ନେଲେ, ଝିଅ ବାହାଘର ଅଳଙ୍କାର ସହ ନଗଦ ୮୦ ହଜାର ଲୁଟିଲେ

ଚନ୍ଦ୍ରଶେଖରପୁର: ଗତ ୭ ଦିନ ଭିତରେ ଘଟିଥିବା ସାତ ସାତଟି ସିନ୍ଧିଚୋରି ଚନ୍ଦ୍ରଶେଖରପୁର ଥାନା ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହା ଭିତରେ ସିନ୍ଧିଚୋରମାନଙ୍କ ଟେର୍‌ ପାଉନଥିବା ପୁଲିସ ପାଇଁ ଆଜି ହୋଇଥିବା ଅନ୍ୟ ଏକ ଅଭିଯୋଗ ପୁଲିସକୁ ହରଡ଼ଘଣାରେ ପକାଇଛି। ଶୈଳଶ୍ରୀବିହାରରେ ହୋଇଥିବା ଏହି ସିନ୍ଧିଚୋରିରେ ସମ୍ପୃକ୍ତ ଦୁର୍ବୃତ୍ତମାନେ ଜଣେ ବ୍ୟକ୍ତିଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି। ଆଲ୍‌ମିରା ତାଡ଼ି ନଗଦ ୮୦ ହଜାର ଟଙ୍କା ସହ ଝିଅ ବାହାଘର ପାଇଁ କିଣା ହୋଇଥିବା ୨ଟି ସୁନା ହାର ଓ ଅନ୍ୟାନ୍ୟ ଗହଣା ଚୋରି କରି ନେଇଛନ୍ତି। ଚୋରିର ଶିକାର ହୋଇଛନ୍ତି ‌ଶୈଳଶ୍ରୀବିହାର ଏଲ୍‌ସି କଲୋନି ୧୧୪/୮ରେ ରହୁଥିବା ଗଜେନ୍ଦ୍ର ସେଠୀ।

ସୂଚନାନୁସାରେ ଗଜେନ୍ଦ୍ର ତାଙ୍କର ଜଣେ ସମ୍ପର୍କୀୟଙ୍କ ଦଶାହ ତୁଠ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ସପରିବାର ଗାଁକୁ ଯାଇଥିଲେ। ଏହି ମଉକାରେ ଚୋରମାନେ ତାଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି। ଆଜି ସକାଳେ ସେ ଘରେ ପହଞ୍ଚିବା ପରେ ଘରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଗେଟ୍‌ ଓ ମୁଖ୍ୟ କବାଟ ତାଲା ଠିକ୍‌ ଥିବାବେଳେ ଗୋଟିଏ ଝରକାର ଗ୍ରିଲ୍‌ ତଡ଼ା ହୋଇ ତ‌ଳେ ପଡ଼ିଥିଲା। ଦୁର୍ବୃତ୍ତମାନେ ସେହି ଗ୍ରିଲ୍‌ ବାଟ ଦେଇ ଘର ଭିତରେ ପଶିଥିଲେ ଓ ଆଲ୍‌ମିରା ତାଡ଼ି ସବୁ କିଛି ଲୁଟି ନେଇଥିଲେ। ବ୍ରିଫ୍‌କେସ୍‌ରୁ ନଗଦ ୮୦ ହଜାର ଟଙ୍କା, ଦୁଇଟି ହାର ଓ ୮ଟି ସୁନା ମୁଦି ଚୋରି ହୋଇଯାଇଥିଲା। ତୁରନ୍ତ ସେ ଏନେଇ ଚନ୍ଦ୍ରଶେଖରପୁର ଥାନାକୁ ଜଣାଇବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଥିଲା। ସେହିଭଳି ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଗତ ସାତଦିନ ମଧ୍ୟରେ ଅନ୍ୟ ୬ଟି ଚୋରି ଘଟଣା ଘଟିଥିବା ଜଣାପଡ଼ିଛି। ଡିଏସ୍. କୁମାରଙ୍କ ଘରୁ ବିଭିନ୍ନ ପ୍ରକାର ଆସବାବପତ୍ର ‌ଚୋରି ହୋଇଛି। ଆଶୀର୍ବାଦ ମହାପାତ୍ରଙ୍କ ଝରକା ଗ୍ରିଲ୍‌ କାଟି କିଛି ଦୁର୍ବୃତ୍ତମାନେ ବହୁ ମୂଲ୍ୟବାନ ଜିନିଷପତ୍ର ଚୋରି କରି ନେଇଛନ୍ତି। ଅବନୀ ସାହୁଙ୍କ ଦୋକାନ ସଟର୍ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ବିଭିନ୍ନ ପ୍ରକାର ଜିନିଷପତ୍ର ଓ ୫ହଜାର ଟଙ୍କା ଚୋରି କରିଛନ୍ତି। ମାନସୀ ମିଶ୍ରଙ୍କ ଘରୁ କିଛି ସୁନା ଜିନିଷ ଓ ଟଙ୍କା ଚୋରି ହୋଇଛି। ସେହିଭଳି ଏଫଆର୍ ଓ ଏଲ୍‌ଆଇଜି କଲୋନିରେ ମଧ୍ୟ ଦୁଇଟି ଚୋରି ହୋଇଛି। ମାତ୍ର କୌଣସି ମାମଲାରେ ପୁଲିସ ସିନ୍ଧିଚୋର ଗ୍ୟାଙ୍ଗ୍‌ର ଟେର୍ ପାଇନାହିଁ।

ସମ୍ବନ୍ଧିତ ଖବର