ଖଣ୍ଡଗିରି : ଦିନ ଦି ପ୍ରହରରେ ଘରେ କଳାକନା ବୁଲାଇଦେଲେ ଲୁଟେରା। ଗତକାଲି ସ୍ଥାନୀୟ ସତ୍ୟସାଇ ଏନ୍କ୍ଲେଭ୍ରେ ରହୁଥିବା ସୁମିତ୍ରା ପରିଡ଼ା ନାମକ ଜଣେ ଶିକ୍ଷୟିତ୍ରୀଙ୍କ ଘରେ ଏହି କାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ। ଗ୍ରିଲ୍ ତାଲା କାଟି ତାଙ୍କ ଘରୁ ଲୁଟେରାମାନେ ପ୍ରାୟ ୮ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା, ଟଙ୍କା ଓ ମୋବାଇଲ୍ ଫୋନ୍ ଆଦି ଲୁଟି ନେଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରେ ଛାନ୍ଭିନ୍ ଆରମ୍ଭ କରିଛି ଓ ସିସିଟିଭି ଫୁଟେଜ୍ ସହଯୋଗରେ ଲୁଟେରାମାନଙ୍କୁ ଠାବ କରିବାକୁ ଉଦ୍ୟମ କରିଛି।
ଏକ ଘରୋଇ ଇଂଜନିୟରିଂ କଲେଜରେ ଅଧ୍ୟାପନା କରୁଥିବା ପୁରୀ କାକଟପୁର ଅଞ୍ଚଳର ପ୍ରଶାନ୍ତ ଘୋଷ ଓ ତାଙ୍କ ଶିକ୍ଷୟିତ୍ରୀ ପତ୍ନୀ ସୁମିତ୍ରା ପରିଡ଼ା ସତ୍ୟସାଇ ଏନ୍କ୍ଲେଭ୍ ଏମ୍ଆଇଜି କଲୋନିରେ ରହୁଛନ୍ତି। ଗତକାଲି ସକାଳ ପ୍ରାୟ ସାଢ଼େ ୯ଟାବେଳେ ସେମାନେ ନିଜ କର୍ମକ୍ଷେତ୍ରକୁ ଚାଲି ଯାଇଥିଲେ। ପିଲାମାନେ ତା’ ପୂର୍ବରୁ କଲେଜ ଚାଲି ଯାଇଥିଲେ। ସେମାନେ ଅପରାହ୍ଣରେ ଘରକୁ ଫେରିବାବେଳେ ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ। ଗ୍ରିଲ୍ ତାଲା କାଟି କେହି ଦୁର୍ବୃତ୍ତ ଘରେ ପଶି ସବୁ ଲୁଟି ନେଇଥିଲେ। ସୁମିତ୍ରାଙ୍କ ଅଭିଯୋଗ ଅନୁସାରେ ଦୁର୍ବୃତ୍ତମାନେ ପ୍ରଥମେ ଆଲ୍ମିରା ଭାଙ୍ଗି ସେଥିରୁ ୫ ହଜାର ଟଙ୍କା ନେଇଥିଲେ। ମାତ୍ର ଆଲ୍ମିରାରୁ କିଛି ଅଳଙ୍କାର ପାଇନଥିବା ପରେ ବକ୍ସ ଖଟର ଶାଢ଼ି ଥାକ ଭିତରେ ରଖିଥିବା ଗୋଟିଏ ସୁନା ହାର, ଗୋଟିଏ ଚେନ୍, ଦୁଇଟି ମଙ୍ଗଳସୂତ୍ର, ୩ ହଳ କାନଫୁଲ, ୪ ହଳ ଚୁଡ଼ି, ୪ଟି ମୁଦି, ୫ ହଜାର ଟଙ୍କା ଓ ଦୁଇଟି ଦାମୀ ମୋବାଇଲ୍ ଫୋନ୍କୁ ଦୁର୍ବୃତ୍ତମାନେ ଚୋରି କରି ନେଇଛନ୍ତି। ସୂଚନାନୁସାରେ ଶିକ୍ଷୟିତ୍ରୀ ଓ ତାଙ୍କ ସ୍ବାମୀ ଘର ଛାଡ଼ିବା ପରେ ଅର୍ଥାତ୍ ପୂର୍ବାହ୍ନ ପ୍ରାୟ ୧୦.୫୦ ବେଳକୁ ନିକଟସ୍ଥ ଏକ ଦୋକାନ ପାଖରୁ ଦୁଇ ଜଣ ଦୁର୍ବୃତ୍ତ ପାଚେରି କଡ଼ ଦେଇ ଶିକ୍ଷୟିତ୍ରୀଙ୍କ ଘରକୁ ପଶୁଥିବାର ଦୃଶ୍ୟ ସିସିଟିଭି ଫୁଟେଜ୍ରେ କଏଦ୍ ହୋଇଛି। ତେଣୁ ଲୁଟେରମାନଙ୍କୁ ଠାବ କରିବାରେ ଏହି ଫୁଟେଜ୍ ସହାୟକ ହେବ ବୋଲି ପୁଲିସ କହିଛି।