ଟାର୍ଗେଟ୍‌ରେ ଭିଆଇପି : ପୁଣି ଜଣେ ଆଇଏଏସ୍‌ଙ୍କ ଘରୁ ଚୋରି

ତାଲା ଭାଙ୍ଗି ନେଇଗଲେ ଲାପଟପ୍‌, ଘଣ୍ଟା

ଭୁବନେଶ୍ବର : ରାଜଧାନୀରେ ଦୁର୍ବୃତ୍ତମାନେ ଭିଆଇପିଙ୍କୁ ଟାର୍ଗେଟ୍‌ କରିଛନ୍ତି। ତାଳଚେର ବିଧାୟକଙ୍କ ଘରେ ପଶି ୪ଟି ଗାଡ଼ି ଜାଳିଦେବା ଘଟଣାର ଏକ ସପ୍ତାହ ନ ପୂରୁଣୁ ଶୁକ୍ରବାର ରାତିରେ ଜଣେ ଆଇଏଏସ୍‌ ଅଫିସରଙ୍କ ସରକାରୀ କ୍ବାର୍ଟର୍‌ ପଛ କବାଟ ଭାଙ୍ଗି କଳାକନା ବୁଲାଇଛନ୍ତି। ନୂଆପଲ୍ଲୀ ଥାନା ଅଧୀନ ଓୟୁଏଟି ଗେଷ୍ଟହାଉସ୍‌ ନିକଟସ୍ଥ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦେଶକ ରେଘୁଜୀଙ୍କ ଘରେ ଏହି ଆପରାଧିକ ଘଟଣା ଘଟିଛି। ଦୁର୍ବୃତ୍ତମାନେ ତାଙ୍କ ଘରୁ ୨ଟି ଦାମୀ ଲାପଟପ୍‌, ୨ଟି ହାତ ଘଣ୍ଟା ଓ‌ କେତେକ ଆସବାବପତ୍ର ନେଇଯାଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ଡିସିପି ଅନୁପ ସାହୁ ଓ ଥାନା ଅଧିକାରୀ ପହଞ୍ଚି ତନାଘନା କରିଥିଲେ। ହେଲେ ଶେଷ ଖବର ଲେଖା ହେବା ସୁଦ୍ଧା ପୁଲିସ ଅପରାଧୀଙ୍କ ଟେର୍‌ ପାଇ ନାହିଁ। ଏନେଇ ନୂଆପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଲୁଟେରାଙ୍କୁ ଚିହ୍ନଟ ପାଇଁ ଆଖପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରୁଛି।

ଦଶମାସ ତଳେ ଏହି ଜାଗାରୁ ଆଇଏଏସ୍‌ ଅଫିସର ପ୍ରଣବଜ୍ୟୋତି ନାଥଙ୍କ ଘରୁ ଦୁର୍ବୃତ୍ତମାନେ ସର୍ବସ୍ବ ଲୁଟି ନେଇଥିଲେ। ଯେଉଁଠି ଭିଆଇପିମାନେ ସୁରକ୍ଷିତ ନୁହଁନ୍ତି, ସେଠାରେ ସାଧାରଣ ଲୋକଙ୍କ ଅବସ୍ଥା କ’ଣ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ନୂତନ ପୁଲିସ କମିସନର ଭାବେ ସୁଧାଂଶୁ ଷଡ଼ଙ୍ଗୀଙ୍କ ଯୋଗ ଦେବାର ୪ଦିନ ପରେ ଜଣେ ଆଇଏଏସ୍‌ଙ୍କ ଘରୁ ଚୋରି ଘଟଣା ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି।

ପୁଲିସ ସୂଚନା ମୁତାବକ, କିଛି ଦିନ ତଳେ ଏହି କ୍ବାର୍ଟର(୪ଆର/୧୦) ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦେଶକ ରେଘୁଜୀଙ୍କୁ ମିଳିଥିଲା। ଘରର ସମ୍ପୂର୍ଣ୍ଣ କାମ ସରିନଥିବାରୁ କିଛି କିଛି ଜିନିଷପତ୍ର ଆଣି ଘରେ ରଖିଥିଲେ। ଆଉ ମାତ୍ର କେଇଟା ଦିନ ପରେ ଘରସଜା ପରେ ପରିବାର ସହ ରହିଥାଆନ୍ତେ। ତେବେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୦ଟାରେ ରେଘୁଜୀ କ୍ବାର୍ଟରକୁ ଫେରିଥିଲେ। ଘରକୁ ପ୍ରବେଶ ପରେ ପଛ କବାଟ ଖୋଲା ଦେଖି ଚକିତ ହୋଇପଡ଼ିଥିଲେ। ଜିନିଷପତ୍ର ଏପଟ ସେପଟ ହୋଇପଡ଼ିଥିଲା। ଘର ତାଲା ଭଙ୍ଗାଯିବା ସହ ଘରୁ ୨ଟି ଲାପଟପ୍‌, ୨ଘଣ୍ଟା ଓ କେତେକ ଇଲୋକ୍‌ଟ୍ରନିକ୍ସ ଜିନିଷପତ୍ର ଚୋରି ହୋଇଥିଲା। ଖୋଜାଖୋଜି କରିବା ବେଳକୁ ଲାପଟପ୍‌ ନପାଇ ଚିନ୍ତିତ ହୋଇପଡ଼ିଥିଲେ। କାରଣ ଲାପଟ୍‌ପ୍‌ରେ ବହୁ ସରକାରୀ ତଥ୍ୟ ରହିଛି। ଏନେଇ ସେ କହିଛନ୍ତି, କ୍ବାର୍ଟର ତାଲା ପକାଇ ବାହାରକୁ ଯାଇଥିଲି। ରାତି ସାଢ଼େ ୧୦ଟା ବେଳେ ଘରକୁ ଫେରିବା ପରେ ଏଭଳି ଘଟଣା ଦେଖି ପୁଲିସକୁ ଜଣାଇଥିଲି। ଏନେଇ ଡିସିପି ଶ୍ରୀ ସାହୁ କହିଛନ୍ତି, ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରାଯାଇଛି। ଅପରାଧୀଙ୍କୁ ଚିହ୍ନଟ ପାଇଁ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉଛି। ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ।

ପ୍ରକାଶ ଥାଉକି, ୨୦୧୮ ନଭେମ୍ବର ମାସରେ ଲୁଟେରାମାନେ ଆଇଏଏସ୍‌ ପ୍ରଣବଜ୍ୟୋତି ନାଥଙ୍କ ଘରେ କଳାକନା ବୁଲାଇଥିଲେ। ଘରୁ ୫ ଲକ୍ଷ ଟଙ୍କା ଓ ସୁନାଗହଣା ନେଇଯାଇଥିଲେ। କମିସନରେଟ୍‌ ପୁଲିସ ଏହି ଘଟଣାରେ ୨ଜଣ ନାବାଳକଙ୍କ ସମେତ ୩ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ୨ଲକ୍ଷ ୫୨ହଜାର ଟଙ୍କା, ୨ଟି ଲାପଟପ୍‌ ଓ ଏଲଇଡି ଟିଭି ଜବତ କରିଥିଲା।

ସମ୍ବନ୍ଧିତ ଖବର