ଖାରବେଳନଗର ଥାନା ଅଞ୍ଚଳରେ ଲୁଟେରାଙ୍କ ଆତଙ୍କ : ୪ ମାସରେ ୪ ଜଣଙ୍କ ଠାରୁ ଲୁଟିଲେଣି ୬.୫ ଲକ୍ଷ ଟଙ୍କା

ଭୁବନେଶ୍ବର: ଖାରବେଳନଗର ଥାନା ଅଞ୍ଚଳରେ ମାତିଛନ୍ତି ଲୁଟେରା। ଗତ ୪ ମାସ ମଧ୍ୟରେ ଏହି ଥାନା ଅଞ୍ଚଳରେ ଲୁଟେରା ୪ଜଣଙ୍କଠାରୁ ସାଢ଼େ ୬ଲକ୍ଷ ଟଙ୍କା ଲୁଟି ସାରିଲେଣି। ଏ ନେଇ ଖାରବେଳନଗର ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଗୋଟିଏ ହେଲେ ବି ଘଟଣାର ପର୍ଦାଫାସ୍‌ କରିପାରିନାହିଁ। ଏହାକୁ ନେଇ ଅଭିଯୋଗକାରୀମାନେ ଏବେ ପୁଲିସ ଉପରେ ଅସନ୍ତୋଷ ପ୍ରକଟ କରିଛନ୍ତି। ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ମଧ୍ୟ ଏବେ ସନ୍ଦେହ ଉପୁଜୁଛି।

ସୂଚନା ଅନୁସାରେ, ଗତ ୧୭ ତାରିଖ (ସୋମବାର) ୟୁନିଟ୍‌-୪ ଅଞ୍ଚଳରୁ ବ୍ୟବସାୟୀ କାର୍ତ୍ତିକ ଜେନାଙ୍କଠାରୁ ଦୁର୍ବୃତ୍ତମାନେ ୧ଲକ୍ଷ ଟଙ୍କା ଲୁଟି ନେଇଥିଲେ। କାର୍ତ୍ତିକ ଶ୍ରୀୟା ସିନେମା ହଲ୍‌ ନିକଟ‌ ବ୍ୟାଙ୍କ ଅଫ୍‌ ବରୋଦାରୁ ଏକ ଲକ୍ଷ ଟଙ୍କା ଉଠାଇ ଘରକୁ ଫେରିବା ବେଳେ ୟୁନିଟ୍‌-୪ ମାର୍କେଟ୍‌ ପଛ‌ରେ ଥିବା ଏକ ପଇଡ଼ ଦୋକାନ ନିକଟରେ ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ତାଙ୍କ ସାଇକେଲ୍‌କୁ ଧକ୍କା ମାରି ଟଙ୍କା ଛଡ଼ାଇ ନେଇଥିଲେ। ଏନେଇ କାର୍ତ୍ତିକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍‌କୁ ଆଧାର କରି ଛାନଭିନ୍‌ କରୁଥିଲେ ହେଁ ଏପର୍ଯ୍ୟନ୍ତ ଲୁଟେରାଙ୍କ ପତ୍ତା ପାଇନି। ଚଳିତ ମାସ ୬ ତାରିଖରେ ରାଜଧାନୀରେ ଜଣେ ସିପାହୀଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ଲୁଟ୍‌ର ଶିକାର ହୋଇଥିବା ସପ୍ତମ ବାଟାଲିଅନର ସିପାହୀ ପ୍ରବୀର କୁମାର ଗଡ଼ନାୟକ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏ ପର୍ଯ୍ୟନ୍ତ ଲୁଟେରାଙ୍କ ସୁରାକ୍‌ ପାଇନାହିଁ। ପ୍ରବୀର କେଶରୀ ସିନେମା ହଲ ନିକଟ ଷ୍ଟେଟ୍ ବ୍ୟାଙ୍କର ଟ୍ରେଜେରି ଶାଖାରୁ ୨ଲକ୍ଷ ଟଙ୍କା ଉଠାଇ ଫେରୁଥିବା ବେଳେ ରେଡ୍‌କ୍ରସ ଭବନ ସମ୍ମୁଖରୁ ୨ଜଣ ଲୁଟେରା ତାଙ୍କ ଟଙ୍କା ବ୍ୟାଗ୍‌ ଝାମ୍ପି ନେଇଥିଲେ। ୨୦୧୯ ନଭେମ୍ବର ୨୮ ତାରିଖ ଅପରାହ୍‌ଣରେ ଖାରବେଳନଗର ଥାନା ସତ୍ୟନଗରରେ ଥିବା ଆକ୍ସିସ ବ୍ୟାଙ୍କ ନିକଟରୁ ଲୁଟ୍‌ ହୋଇଥିଲା। ବ୍ୟବସାୟୀ ନିରୋଜ କୁମାର ଦାସ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ ବାଇକ ଡିକିରେ ରଖିବାକୁ ଯାଉଥିଲେ। ଏହି ସମୟରେ ଦୁଇଜଣ ଯୁବକ ଏକ ପଲସର ବାଇକ୍‌ରେ ଆସି ତାଙ୍କ ହାତରୁ ଟଙ୍କା ଭର୍ତି ବ୍ୟାଗ ଝାମ୍ପି ନେଇଥିଲେ। ସେହି ମାସ ୨୧ତାରିଖ ଦିନ ଖାରବେଳନଗର ଥାନା ୟୁନିଟ୍‌-୪ ଅଂଚଳରୁ ଡିକି ଭାଙ୍ଗି ଦୁର୍ବୃତ୍ତମାନେ ଜଣେ ବ୍ୟବସାୟୀଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଖାରବେଳନଗର ଥାନା ଶବରସାହି ବସ୍ତିରେ ରହୁଥିବା ଭଦ୍ରକ ତିହିଡି ଅଂଚଳର କମଳାକାନ୍ତ ନାୟକ ବିଭିନ୍ନ ଦୋକାନକୁ ଖୁଚୁରା ଯୋଗାଇବା ସହ ଚିରାଫଟା ନୋଟ ବଦଳାଇବା କାମ କରୁଥିଲେ। ଘଟଣା ଦିନ ସେ ଘରୁ ୧ଲକ୍ଷ ୭୦ହଜାର ଟଙ୍କା ନେଇ ବାହାରିଥିଲେ। ଉକ୍ତ ଟଙ୍କାରୁ ପକେଟରେ ୨୦ ହଜାର ରଖିଥିବା ବେଳେ ବାକି ଦେଢ଼ ଲକ୍ଷ ଟଙ୍କା ଏକ ବ୍ୟାଗ୍‌ରେ ଭର୍ତି କରି ସ୍କୁଟି ଡିକିରେ ରଖିଥିଲେ। ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ସେ ଘରକୁ ଫେରୁଥିବା ବେଳେ ୟୁନିଟ-୪ ମାର୍କେଟସ୍ଥିତ ଏକ ଗାଙ୍ଗୁରାମରୁ ମିଠା କିଣିବାକୁ ଯାଇଥିଲେ। ଦୋକାନ ଆଗରେ ଗାଡ଼ି ରଖି ଭିତରକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଡିକି ଭାଙ୍ଗି ଟଙ୍କା ଭର୍ତି ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ଏ ସମସ୍ତ ଘଟଣା ଖାରବେଳନଗର ଥାନା ଅଞ୍ଚଳରେ ଘଟିଥିବା ବେଳେ ପୁଲିସ ସିସିଟିଭି ଫୁଟେଜ୍‌କୁ ଆଧାର କରି ତନାଘନା କରୁଛି। ହେଲେ କୌଣସି ଘଟଣାରେ ପୁଲିସକୁ ସଫଳତା ମିଳିପାରିନାହିଁ।

ସମ୍ବନ୍ଧିତ ଖବର