ଭୁବନେଶ୍ବର: କରୋନା ମୁକାବିଲାରେ ପୁଲିସ ସାଜିଛି ଆଗଧାଡ଼ିର ଯୋଦ୍ଧା। ଏଥିଲାଗି ପୁଲିସ ବେଶ୍ ପ୍ରଂଶସା ବି ସାଉଁଟିଛି। ଦିନସାରା କରୋନା ମୁକାବିଲାରେ ବ୍ୟସ୍ତ ରହୁଥିବା ପୁଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ଲୁଟେରା, ସିନ୍ଧିଚୋର। ରାତିରେ ମୁକୁଳା ପଡ଼ୁଛି ସହର। ରାଜରାସ୍ତାରେ ପୁଲିସ ଉପସ୍ଥିତି ଥିବା ବେଳେ ଗଳିକନ୍ଦିରେ ମାତିଛନ୍ତି ଚୋର, ଲୁଟେରା। ରାଜଧାନୀ ଉପକଣ୍ଠରେ ବି ଲୁଟେରାଙ୍କ ପ୍ରଭାବ ବଢ଼ିବାରେ ଲାଗିଛି। କିନ୍ତୁ କରୋନା ଡ୍ୟୁଟି ଆଳ ଦେଖାଇ ପୁଲିସ ନିଜ ମୁଣ୍ଡରୁ ଦୋଷ ଖସାଇବାରେ ବ୍ୟସ୍ତ। ଅଳ୍ପ କେତୋଟି ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ବାକି ସବୁ ମାମଲାରେ ଫେଲ୍ ମାରିଛି। ଲକ୍ଡାଉନ୍ ଆରମ୍ଭରୁ ବେଶ୍ ସକ୍ରିୟ ଥିବା ବରିଷ୍ଠ ଅଧିକାରୀଙ୍କ ପାଟ୍ରୋଲିଂ ବି କମିଗଲାଣି। ରାତ୍ରକାଳୀନ ପାଟ୍ରୋଲିଂ ଫେଲ୍ ମାରିଛି। ଫଳରେ ଚୋର, ଲୁଟେରାଙ୍କୁ ବେଶ୍ ସୁହାଉଛି। ଗତ କିଛି ଦିନ ମଧ୍ୟରେ ରାଜଧାନୀରେ ମୋବାଇଲ ଛିନତାଇ, ସୁନାଚେନ ଛିନତାଇ, ସିନ୍ଧିଚୋରି ମାମଲା ୫୦ ଟପିଗଲାଣି।
ଲକ୍ଡାଉନ୍ର ସୁଯୋଗ ନେଇ ମାତିଛନ୍ତି ଚାରିଚକିଆ ଲୁଟେରା। ଅଭିନବ ଉପାୟରେ ରାଜଧାନୀରେ ଚାରିଚକିଆ ଗାଡ଼ି ଲୁଟିବା ଆରମ୍ଭ କରି ଦେଇଛନ୍ତି। ଯେଉଁ ଗାଡ଼ି ଲୁଟୁଛନ୍ତି, ସେହି ଗାଡ଼ିରେ ଆସି ଆଉ ଗୋଟିଏ ଗାଡ଼ି ଉଠାଇ ନେଉଛନ୍ତି। ଅଭିନବ ଉପାୟରେ ଲୁଟ୍ ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୋଗରୁ ଜଣାପଡ଼ିଛି, ପାଵାର ଗ୍ରିଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆର ଓଏଫ୍ସି କେବୁଲିଂ କାମ କରୁଛି ଏକ ଟେଲିକମ୍ ସଂସ୍ଥା। ସେହି ଟେଲିକମ୍ ସଂସ୍ଥାର ଏକ ଅଫିସ୍ ବିଜେବି ନଗର ଅଞ୍ଚଳରେ ରହିଛି। ଗତ ୨୨ ତାରିଖ ରାତିରେ ସେହି ଅଫିସ୍ ଆଗରୁ ଏକ ବଲେରୋ(ଓଡି୦୫-ଟି-୩୭୩୩) ଚୋରି ହୋଇଥିଲା। ଏ ନେଇ ଟେଲିକମ୍ ସଂସ୍ଥାର କର୍ମଚାରୀ ଶୁଭ୍ରାଂଶୁ ଶେଖର ବେହେରା ୨୩ ତାରିଖରେ ଲକ୍ଷ୍ମୀସାଗର ଥାନାର ଏତଲା ଦେଇଥିଲେ। ଗତକାଲି ରାତିରେ କିଛି ଦୁର୍ବୃତ୍ତ ଚୋରି କରିଥିବା ବୋଲେରୋରେ ଆସି ଅଫିସ୍ ଆଗରେ ଥିବା ଆଉ ଏକ ବୋଲେରୋ(ଓଡି୦୫-ଏବି-୬୮୪୩) ଚୋରି କରୁଥିବା ବେଳେ କର୍ମଚାରୀ ଗୋଡ଼ାଇଥିଲେ। ଦୁର୍ବୃତ୍ତମାନେ ପୂର୍ବରୁ ଚୋରି କରିଥିବା ବଲେରୋ ଛାଡ଼ି ଦେଇ ଅନ୍ୟ ବୋଲେରୋଟି ଲୁଟି ନେଇଥିଲେ। ଏନେଇ ସଂସ୍ଥା କର୍ମଚାରୀ ପୁଲିସ୍ କଣ୍ଟ୍ରୋଲ ରୁମ୍କୁ ଖବର ଦେଇଥିଲେ। ଦୁର୍ବୃତ୍ତ ଲୁଟିଥିବା ବୋଲେରୋକୁ ଧଉଳି ଥାନା ଅନ୍ତର୍ଗତ ନୂଆଗାଁରେ ଛାଡ଼ି ଦେଇ ବିଏମ୍ସିରେ ଲାଗିଥିବା(ଓଡ଼ି୦୨-କେ-୭୮୧୬)କୁ ଲୁଟି ଫେରାର ହୋଇ ଯାଇଥିଲେ। ଚାରି ଚକିଆ ଗାଡ଼ି ଚୋରି ପଛରେ ଗୋଟିଏ ଗ୍ୟାଙ୍ଗ୍ରେ ୫ରୁ ଅଧିକ ଦୁର୍ବୃତ୍ତ ରହିଥିବା ପୁଲିସ ସନ୍ଦେହ କରୁଛି। ସେମାନଙ୍କୁ ଧରିବା ଲାଗି ପୁଲିସ ଚଢ଼ଉ ଜାରି ରଖିଛି। ଏଭଳି ଘଟଣାକୁ ନେଇ ଟେଲିକମ୍ ସଂସ୍ଥାର କର୍ମଚାରୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଅପରପକ୍ଷେ ଡିସିପି ଅନୁପ ସାହୁ କହିଛନ୍ତି, ଲକ୍ଡାଉନ୍ ଆରମ୍ଭ ହେବା ପରେ ଚୋରି, ସିନ୍ଧିଚୋରି, ଛିନ୍ତାଇ ଏକପ୍ରକାର ବନ୍ଦ ହୋଇଯାଇଥିଲା। କିଛି ଦିନ ହେଲା କେତେକ ସିନ୍ଧିଚୋରି ଘଟଣାର ରିପୋର୍ଟ ଆସିଛି। କିନ୍ତୁ ଏହା ଅଳ୍ପସଂଖ୍ୟକ।