ଆର୍‌ଟିଓରେ ୨୨ଟଙ୍କିଆ ଲୁଟ୍‌ ! ଦଲାଲ୍‌ମୁକ୍ତ କଲେ, କିନ୍ତୁ ନିଜେ ଲୁଟିଲେ

ସେପ୍ଟେମ୍ବରରେ ରାଜ୍ୟରୁ ୨୭ ଲକ୍ଷ, ରାଜଧାନୀରୁ ୫ ଲକ୍ଷ ଲୁଟ୍‌, ଅନଲାଇନ୍ ପ୍ରହସନ

ଭୁବନେଶ୍ୱର : ସେପ୍ଟେମ୍ବର ୧ରୁ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବା ପରେ ଏବେ ଲୋକ ଡ୍ରାଇଭିଂ ଲାଇସେନ୍ସ କରିବା ପାଇଁ ଆର୍‌ଟିଓ ଅଫିସରେ ଲମ୍ବା ଧାଡ଼ି ଲଗାଇଛନ୍ତି। ଏମିତି ଗୋଟିଏ ଦିନ ଯାଉନି ଯେଉଁ ଦିନ ଆର୍‌ଟିଓ ଅଫିସରେ ଲମ୍ବା ଧାଡ଼ି ଦେଖିବାକୁ ମିଳୁନି। ଆର୍‌ଟିଓ ଅଫିସରେ ଦଲାଲଙ୍କ ରାଜ୍ ବଢ଼ିବାରୁ ସରକାର ଦଲାଲମୁକ୍ତ କରିବାକୁ ଚଢ଼ଉ କଲେ। କିନ୍ତୁ ଏସବୁ ସତ୍ତ୍ବେ ଆରଟିଓ ଅଫିସରେ ଏବେ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଆବେଦନକାରୀ ପିଛା ୨୨ଟଙ୍କା ଲୁଟୁଛନ୍ତି।

ଲର୍ଣ୍ଣିଂ ଲାଇସେନ୍ସ ପ୍ରିଣ୍ଟ ଆଉଟ୍‌ କାଢ଼ିବାକୁ ଏବେ ଆବେଦନକାରୀଙ୍କ ଠାରୁ ୨୨ଟଙ୍କା ଲେଖାଏ ଆଦାୟ କରାଯାଉଛି। ହେଲେ ଆବେଦନକାରୀଙ୍କୁ ପ୍ରିଣ୍ଟ ଆଉଟ୍ ‌ଦିଆଯାଉନି। କୁହାଯାଉଛି ଅନଲାଇନ୍‌ରେ ପଠାଯିବ ତୁମେ ପ୍ରିଣ୍ଟ ଆଉଟ୍‌ କାଢ଼ି ନେବ। ଯଦି ଆବେଦନକାରୀ ନିଜେ ଲାଇସେନ୍ସ କପିର ପ୍ରିଣ୍ଟ କାଢ଼ିବେ ତେବେ ଆର୍‌ଟିଓ ଅଫିସରେ କାହିଁକି ୨୨ଟଙ୍କା ଜମା କରିବେ ବୋଲି ପ୍ରଶ୍ନ ଉଠୁଛି।

କେବଳ ସେପ୍ଟେମ୍ବର ମାସରେ ରାଜ୍ୟରେ ୧ ଲକ୍ଷ ୨୩ ହଜା‌ର ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରାଯାଇଛି। ଅର୍ଥାତ୍‌ ଆବେଦନ ପିଛା ୨୨ ଟଙ୍କା ହିସାବରେ ୨୭ ଲକ୍ଷ ୬ ହଜାର ଟଙ୍କା ସାରା ଓଡ଼ିଶାରୁ ଆଦାୟ ହୋଇଛି। ସେହିଭଳି ଭୁବନେଶ୍ବରରେ ଦୁଇଟି ଆରଟିଓରେ ୨୪ ହଜାର ଲାଇସେନ୍ସ ପ୍ରଦାନ କରାଯାଇଛି। ଏହି ହିସାବରେ ୩୦ ଦିନରେ ଭୁବନେଶ୍ବରରୁ ୫ ଲକ୍ଷ ୨୮ ହଜାର ଟଙ୍କା ଆଦାୟ ହୋଇଛି।

ଏପରିକି ଏହି ୨୨ଟଙ୍କିଆ ଲୁଟ୍‌ ନେଇ ସମସ୍ତେ ଅବଗତ ଥିଲେ ହେଁ କେହି ପଦକ୍ଷେପ ନେଉନାହାନ୍ତି। ପରିବହନ କମିସନରଙ୍କ ଠାରୁ ଆରମ୍ଭ କରି ଆର୍‌ଟିଓଙ୍କ ପର୍ଯ୍ୟନ୍ତ ସମସ୍ତେ ଜାଣିଛନ୍ତି ଯେ, ୨୨ଟଙ୍କା ଆଦାୟ କରିବା ବେଆଇନ୍ କିନ୍ତୁ ଆଦାୟ ହେଉଛି।

ଜଣେ ଯଦି ଅନଲାଇନ୍‌ରେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ କରୁଛନ୍ତି ତେବେ ତାଙ୍କ ଠାରୁ ଅନଲାଇନ୍‌ରେ ୨୨୦ଟଙ୍କା ଫି’ ଜମା କରିବାକୁ ପଡ଼ୁଛି। ସରକାର କହିଛନ୍ତି ଯେ, ଅନଲାଇନ୍ ଆବେଦନକାରୀ ସିଧା ଆସି ଆରଟିଓ ଅଫିସରେ ସମସ୍ତ ଡକୁମେଣ୍ଟ ଜମା କରିବେ। ଏହାପରେ ତାଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ମିଳିଯିବ। ହେଲେ ଅନଲାଇନ୍ ଆବେଦନକାରୀ ଆର୍‌ଟିଓ ଅଫିସରେ ପହଞ୍ଚିବା ପରେ ତାଙ୍କୁ ପୁଣି କାଉଣ୍ଟର ଆଗରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ୨୨ଟଙ୍କା ରସିଦ୍ କାଟିବାକୁ କୁହାଯାଉଛି। ଏହି ୨୨ଟଙ୍କା ସରକାରୀ ଆକାଉଣ୍ଟକୁ ଯାଉନଥିବାରୁ ଅନଲାଇନ୍‌ରେ ଏହି ଫି’ କାଟିବାର ସୁବିଧା ନାହିଁ। ତେଣୁ ଘରୋଇ ସଂସ୍ଥା ଆକାଉଣ୍ଟକୁ ପଠାଇବାକୁ ଆରଟିଓ ଅଫିସରେ ଏହି ଚାଲ୍ ଖେଳା ଯାଉଛି।

ଲର୍ଣ୍ଣିଂ ଲାଇସେନ୍ସ କପି ବାବଦକୁ ଆଦାୟ ହେଉଥିବାରୁ ବହୁ ଆବେଦନକାରୀ ବୁଝିନପାରି ଏହି ଟଙ୍କା ଜମା କରୁଛନ୍ତି। ଅନଲାଇନ୍‌ରେ ଆବେଦନ କରୁଥିବା ଲୋକଙ୍କ ଅଭିଯୋଗ ଯେ, ଆମେ ତ ଅନଲାଇନ୍‌ରେ ଆବେଦନ କଲୁ, ଫି’ ଜମା କଲୁ ଏବେ ପୁଣି କାହିଁକି ଅଫଲାଇନ୍‌ରେ ଫି’ ଜମା କରିବୁ। ହେଲେ ୨୨ଟଙ୍କା ରସିଦ୍ କଟା ନହେଲେ କାଉଣ୍ଟରରେ ଆବେଦନ ଫର୍ମ ରଖାଯାଉନଥିବାରୁ ଲୋକମାନେ ବାଧ୍ୟ ହୋଇ ଏହି ଲୁଟ୍‌ର ସ୍ବଇଚ୍ଛାରେ ଶିକାର ହେଉଛନ୍ତି।

ଅନଲାଇନ୍ ପ୍ରହସନ

ଅନଲାଇନ୍‌ରେ ଲୋକ ଲାଇସେନ୍ସ ଆବେଦନ କରିପାରିବେ, ଅଯଥାରେ ଲମ୍ବା ଧାଡ଼ିରେ ଛିଡ଼ା ହେବେନି ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ଆର୍‌ଟିଓ ଅଫିସରେ ପହଞ୍ଚିଲାବେଳକୁ ଏହା ଧୂଆଁବାଣ। ଅଫଲାଇନ୍‌ରେ ଆବେଦନ କଲେ ଯେତିକି ସମୟ ଲାଗୁଛି, ଅନଲାଇନ୍‌ରେ ଆବେଦନ କଲେ ବି ସେତିକି ସମୟ ଲାଗୁଛି। ଫରକ ହେଲା ଅନଲାଇନ୍‌ରେ ଆବେଦନ କଲେ ଘଣ୍ଟେ କମ୍ପ୍ୟୁଟର ଆଗରେ ବସିବ, ମାସେ ଡକୁମେଣ୍ଟ ଜମା କରିବାକୁ ଅପେକ୍ଷା କରିବ। ଲୋକ ଅନଲାଇନ୍‌ରେ ଆବେଦନ କଲେ ବି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଅଫଲାଇନ୍‌ରେ ୨୨ଟଙ୍କା ଏବଂ ମୁଖ୍ୟ ଲାଇସେନ୍ସ ପାଇଁ ଅଫଲାଇନ୍‌ରେ ୯୪ଟଙ୍କା ଲେଖାଏ ଜମା କରୁଛନ୍ତି। ଏହି ଟଙ୍କା ଆଦାୟ ଘରୋଇ ସଂସ୍ଥାକୁ ପୋଷିବାକୁ ହେଉଥିଲେ ହେଁ ଏନେଇ କେହି ପାଟି ଫିଟାଉନାହାନ୍ତି।

ଏନେଇ ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି, ୨୨ଟଙ୍କା ଓ ୯୪ଟଙ୍କା ଆଦାୟ ବ୍ୟବସ୍ଥା ତୃତୀୟ ପକ୍ଷ ସଂସ୍ଥା ଦ୍ବାରା ହୋଇଛି। ୨୦୦୬ ମସିହାରୁ ଏହି ବ୍ୟବସ୍ଥା ରହିଛି। ଆଗରୁ ଲୋକଙ୍କୁ ଆବେଦନ କରିବା ସଙ୍ଗେସଙ୍ଗେ ଲର୍ଣ୍ଣିଂ ଲାଇସେନ୍ସ କପି ଦିଆଯାଉଥିଲା। ତେଣୁ ୨୨ଟଙ୍କା ନିଆଯାଉଥିଲା। ଏବେ ଯଦି ଦିଆଯାଉନି କାହିଁକି ନିଆଯାଉଛି ଜାଣିନୁ। ଏହି ୨୨ଟଙ୍କା ପୂର୍ବରୁ ଆଦାୟ ହେବା ନେଇ ଅଙ୍ଗୁଳି ଉଠିଛି। କାରଣ ଯେଉଁ ଲର୍ଣ୍ଣିଂ ଲାଇସେନ୍ସ ଆବେଦନକାରୀଙ୍କୁ ଦିଆଯାଏ ତାହା ଗୋଟିଏ ଫର୍ଦ୍ଦ (ଏ-୪) କାଗଜର ଅଧା। ବଜାରରେ ଗୋଟିଏ ଫର୍ଦ୍ଦ ରଙ୍ଗିନ କାଗଜର ପ୍ରିଣ୍ଟ ଆଉଟ୍‌ କାଢ଼ିଲେ ସର୍ବାଧିକ ୧୦ଟଙ୍କା ଦେବାକୁ ପଡ଼ୁଥିବାବେଳେ ଘରୋଇ ସଂସ୍ଥା କେଉଁ ହିସାବରେ ୨୨ଟଙ୍କା ନେଉଛି ବୋଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର