କଂସାବାସନ ଦୋକାନ ସଟର୍ କାଟି ଲୁଟିଲେ, ୬ କ୍ବିଣ୍ଟାଲ୍ ମାଲ୍ ନେଇଗଲେ
ଧଉଳି: ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଉତ୍ତରା ଛକସ୍ଥିତ ଏକ କଂସା ବାସନ ଦୋକାନର ସଟର ତାଡ଼ି ଦୁର୍ବୃତ୍ତମାନେ ଲୁଟ୍ପାଟ କରିଛନ୍ତି। ଲୁଟ୍ର ଶିକାର ହୋଇଥିବା ବ୍ୟବସାୟୀ ହେଲେ ସ୍ଥାନୀୟ ନନ୍ଦିସାହିର ଦ୍ବିଜବର ନନ୍ଦି। ସେ ଆଜି ସକାଳେ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରାୟ ୫ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଛି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ହେଁ ଲୁଟେରାଙ୍କ ପତ୍ତା ପାଇପାରିନାହିଁ। ଦୁର୍ବୃତ୍ତମାନେ ସିସିଟିଭି କ୍ୟାମେରା ଓ ହାର୍ଡ ଡିସ୍କ ଭାଙ୍ଗି ଦେଇଥିବାରୁ ପୁଲିସ୍ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ସମ୍ଭବ ମଧ୍ୟ ହୋଇନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଦୁର୍ବୃତ୍ତମାନେ ଦୋକାନ ସମ୍ମୁଖ ସଟର୍ ତାଡ଼ିବା ସହ ଗ୍ରିଲ ତାଲା ସମେତ ମୋଟ୍ ୮ଟି ତାଲା କାଟି ଦେଇଛନ୍ତି। ଲୁଟ୍ ସାମଗ୍ରୀ ମଧ୍ୟରେ ବିଭିନ୍ନ ଛୋଟ କଂସାବାସନ ସାମଗ୍ରୀ, ବଡ଼ହଣ୍ଡା, ହାଣ୍ଡି, ଗରା, କୁଣ୍ଡ, ଢ଼ାଳ, ଗିଲାସ, ଥାଳି, ତାଟିଆ ଏବଂ ଅନ୍ୟାନ୍ୟ ସାମଗ୍ରୀ ରହିଛି। ପ୍ରାୟ ୬ କ୍ବିଣ୍ଟାଲ୍ ଓଜନର କଂସାବାସନ ଓ ତମ୍ବା ସାମଗ୍ରୀ ଲୁଟ୍ ହୋଇଯାଇଛି। ଲୁଟ୍ ବାସନ ସାମଗ୍ରୀର ମୂଲ୍ୟ ୫ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଏତଲାରେ ଦର୍ଶାଯାଇଛି। ଲୁଟ୍ ସାମଗ୍ରୀଗୁଡ଼ିକୁ ୪ ଚକିଆ ଗାଡ଼ିରେ ଲଦି ନିଆଯାଇଥିବା ଅନୁମାନ କରାଯାଉଛି। ନନ୍ଦିଙ୍କ ଦୋକାନରୁ ଲୁଟିବା ପରେ ଦୁର୍ବୃତ୍ତମାନେ ନିକଟସ୍ଥ ରାଜକିଶୋର ମହାରଣାଙ୍କ କଂସାବାସନ ଦୋକାନର ସଟର୍ କାଟି ଲୁଟିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଚୋରି କରିପାରି ନଥିଲେ। ସଟ୍ଡାଉନ୍ ବେଳେ ପୁଲିସ୍ ପାଟ୍ରୋଲିଂ କଡ଼ାକଡ଼ି ହେଉ ନଥିବାରୁ ଦୁର୍ବୃତ୍ତମାନେ ଲୁଟ୍ପାଟ୍ କରିବାକୁ ମଉକା ପାଉଛନ୍ତି ବୋଲି ବ୍ୟବସାୟ କମିଟି ଅଭିଯୋଗ କରିଛି।