ଦିନ ଦି’ପହରେ ଲୁଟ୍‌: ମୁଣ୍ଡକୁ ବନ୍ଧୁକରେ ଛେଚି କାର୍‌ ଚାଳକଙ୍କୁ ଲୁଟିଲେ

ଛଡ଼ାଇ ନେଲେ ଦାମୀ ମୋବାଇଲ, ପର୍ସ, ବ୍ୟାଗ୍‌

ବାଲିପାଟଣା: ବାଲିପାଟଣା ଥାନା ଅନ୍ତର୍ଗତ ଆଇତଳଙ୍ଗ ତିଆଡ଼ି ସାହିଠାରେ ଆଜି ଦିନ ଦି’ପହ‌ରେ ଏକ କାର୍‌ରୁ ଲୁଟ୍‌ ହୋଇଛି। ୩ଟି ବାଇକ୍‌ରେ ଆସିଥିବା ୬ଜଣ ଦୁର୍ବୃତ୍ତ ବନ୍ଧୁକ, ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ର ଦେଖାଇ କାର୍‌ ଚାଳକ ଓ ଅନ୍ୟ ଜଣେ ଯୁବକଙ୍କଠାରୁ ପର୍ସ, ଦାମୀ ମୋବାଇଲ୍‌ ଓ ବ୍ୟାଗ୍‌ ଲୁଟି ନେଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ କାର୍‌ ଚାଳକ ସୁଶାନ୍ତ ମଧ୍ୟ ଆହତ ହୋଇଛନ୍ତି। ବାଲିପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଶାନ୍ତଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର‌ରେ ଭର୍ତ୍ତି କରାଇବା ସହ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ପୁଲିସ ଏକ ବନ୍ଧୁକ ମାଗାଜିନ୍‌ ଜବତ କରିଛି। ଏହାସହ ବାଳକାଟି ଅଞ୍ଚଳରୁ ଏକ ସ୍ପିଡ୍‌ ବାଇକ୍‌ ମଧ୍ୟ ଜବତ କରିଛି। ତେବେ ଉକ୍ତ ବାଇକ୍‌ଟି ଲୁଟେରାମାନଙ୍କର ନା ଅନ୍ୟ କାହାର, ସେ ବିଷୟରେ ଥାନା ପକ୍ଷରୁ ସୂଚନା ଦିଆଯାଇନାହିଁ। ଥାନା ଅଧିକାରୀ ରାଧାକାନ୍ତ ସାହୁ ସୂଚନା ଅନୁଯାୟୀ, ସୁଶାନ୍ତଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଥାନାର ଗୋଟିଏ ଟିମ୍‌ ଓ ସ୍ପେସାଲ ସ୍କ୍ବାଡ୍‌ ଲୁଟେରାଙ୍କୁ ଧରିବା ପାଇଁ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ସୂଚନା ମିଳିଛି।

ପୁଲିସ ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ସଦର ଥାନା ସିମୁଲିଆ ଗାଁର ନେତ୍ରାନନ୍ଦ ସାହୁଙ୍କ ପୁଅ ସୁଶାନ୍ତ କୁମାର ସାହୁ (୩୪) ଓ ତାଙ୍କ ସାଙ୍ଗ ପ୍ରମୋଦ କୁମାର ମହାରଣା ଆଜି କୌଣସି ଏକ ଜରୁରୀ କାମରେ ନିଜ କାର୍‌ରେ ନିମାପଡ଼ା ଆସିଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟା ବେଳକୁ ସେମାନେ ଘରକୁ ଫେରୁଥିଲେ। ବାଟରେ ନରଦା ବଜାର ନିକଟରେ କିଛି ସମୟ ରହି ତାଙ୍କର ଅନ୍ୟ ଜଣେ ବନ୍ଧୁଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ତେବେ ସେହିଠାରୁ କିଛି ଦୁର୍ବୃତ୍ତ ତାଙ୍କ ଗାଡ଼ିକୁ ପିଛା କରିଥିଲେ। ସୁଶାନ୍ତଙ୍କ କାର୍‌ ଆଇତଳଙ୍ଗ ତିଆଡ଼ି ସାହି ଅତିକ୍ରମ କରୁଥିବା ବେଳେ ୩ଟି ବାଇକ୍‌ରେ ୬ଜଣ ଦୁର୍ବୃତ୍ତ ହଠାତ୍‌ ତାଙ୍କ କାର୍‌ ଆଗରେ ବାଇକ୍‌ ରଖି ଦେଇଥିଲେ। ସୁଶାନ୍ତ ଗାଡ଼ି ଅଟକାଇବା କ୍ଷଣି ସେମାନେ ତାଙ୍କ କାର୍‌ ଉପରକୁ ଆକ୍ରମଣ କରିଥିଲେ। ମାରଣାସ୍ତ୍ରରେ କାର୍‌ କାଚ ଭାଙ୍ଗି ଦେବା ପରେ ଜଣେ ଦୁର୍ବୃତ୍ତ ସୁଶାନ୍ତଙ୍କ ମୁଣ୍ଡକୁ ବନ୍ଧୁକରେ ଛେଚି ଦେଇଥିଲା। ଫଳରେ ସୁଶାନ୍ତଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଏହାସହ ପାଖରେ ଯାହା ଅଛି ଦେଇ ଦେବାକୁ ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ଧମକାଇଥିଲେ। ଏଥିରେ ଭୟଭୀତ ହୋଇ ସୁଶାନ୍ତ ଓ ତାଙ୍କ ସାଙ୍ଗ ପ୍ରମୋଦ ପାଖରେ ଥିବା ପର୍ସ, ବ୍ୟାଗ୍‌ ଓ ଦାମୀ ମୋବାଇଲ୍‌ ଦେଇ ଦେଇଥିଲେ। ଏହାପରେ ଦୁର୍ବୃତ୍ତମାନେ ଦ୍ରୁତଗତିରେ ନିମାପଡ଼ା, ଅଠାନ୍ତର ଦିଗରେ ଅଲଗା ଅଲଗା ହୋଇ ଫେରାର୍‌ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର