ଭୁବନେଶ୍ବର: କିଛି ସପ୍ତାହ ହେଲା ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ଲୁଟେରାଙ୍କ ଦୌରାତ୍ମ୍ୟ ସୀମା ଲଙ୍ଘିଛି। ରାସ୍ତାଘାଟଠୁ ଆରମ୍ଭ କରି ଛକ, ବଜାର, ଜାତୀୟ ରାଜପଥ ଏପରିକିର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଲୁଟେରାମାନେ ଆତଙ୍କ ଖେଳାଉଛନ୍ତି। ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ କେତେବେଳେ ଜାତୀୟ ରାଜପଥରେ ମହିଳାଙ୍କ ବେକରୁ ଚେନ୍ ଝାମ୍ପିନେଉଛନ୍ତି ତ ଆଉ କେତେବେଳେ ଦିନ ଦି’ପହରରେ ବେକରେ ଛୁରି ଲଗାଇ ଲୁଟ୍ପାଟ୍ କରୁଛନ୍ତି। କେବଳ ଲୁଟେରା ନୁହେଁ ଚୋରିରେ ମଧ୍ୟ ରାଜଧାନୀବାସୀଙ୍କ ମନରେ ଛନକା ପଶିଛି।
ବିଭିନ୍ନ ମେସ୍ଠୁ ଆରମ୍ଭ କରି ମେଡିକାଲ୍ ହଷ୍ଟେଲ୍ରେ ପଶି ଲୁଟ୍ପାଟ୍ କରୁଥିବା ବେଳେ ମଲ୍, ହୋଟେଲ୍, ଡାକ୍ତରଖାନା ପ୍ରମୁଖ ଅଞ୍ଚଳର ପାର୍କିଂରୁ ନିମିଷକେ ଗାଡ଼ି ଉଭାନ ହୋଇଯାଉଛି। ଲୁଟେରାମାନେ ବିଶେଷ କରି ନୂଆପଲ୍ଲୀ, ଖଣ୍ଡଗିରି, ଭରତପୁର, ଖାରବେଳନଗର, କ୍ୟାପିଟାଲ, ମଞ୍ଚେଶ୍ବର, ଇନ୍ଫୋସିଟି ଆଦି ପ୍ରମୁଖ ଥାନା ଅଞ୍ଚଳରେ ସିରିଜ୍ ଛିନ୍ତାଇ କରୁଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ବଡ଼ଗଡ଼, ଲକ୍ଷ୍ମୀସାଗର, ସହିଦନଗର, ଲିଙ୍ଗରାଜ ପ୍ରମୁଖ ଥାନା ଅଞ୍ଚଳରୁ କାର୍ ଓ ବାଇକ୍ ଲଗାତାର୍ ଚୋରି ହେଉଥିବା ଅଭିଯୋଗ ହୋଇଛି।
ତେବେ ସପ୍ତାହେ ମଧ୍ୟରେ ଭୁବନେଶ୍ବରର ବିଭିନ୍ନ ଥାନା ଅଞ୍ଚଳରୁ ପ୍ରାୟ ୨୦ରୁ ଅଧିକ ଛିନ୍ତାଇ ହୋଇଥିବା ଏତଲା ହୋଇଛି। ମାତ୍ର ଏହି ଛିନ୍ତାଇ ଗ୍ୟାଙ୍ଗ୍କୁ କମିସନରେଟ୍ ପୁଲିସ ଧରିବାରେ ସକ୍ଷମ ହୋଇନାହିଁ। ଏହି କ୍ରମରେ ଫେବ୍ରୁଆରି ମାସ ମଧ୍ୟରେ ରାଜଧାନୀରୁ ପ୍ରାୟ ୧୮୦ରୁ ଅଧିକ ଚୋରି, ଛିନ୍ତାଇ, ସିନ୍ଧିଚୋରି ଭଳି ସଙ୍ଗିନ୍ ମାମଲା ରୁଜୁ ହୋଇଛି
ଏନେଇ ଲୁଟ୍ର ଶିକାର ହୋଇଥିବା ଦେବଗଡ଼ ଅଞ୍ଚଳର ରାକେଶ ପ୍ରଧାନ କହିଛନ୍ତି, ଗତ ରବିବାର ସିଆର୍ପି ବ୍ରିଟ୍ କଲୋନିରୁ ବାହାରି ମାଷ୍ଟରକ୍ୟାଣ୍ଟିନ୍ ଅଭିମୁଖେ ଯାଉଥିଲେ। ଇନ୍ଦିରା ମୈଦାନ ସମ୍ମୁଖରେ ଚାଲିଚାଲି ବସ୍ ଷ୍ଟପେଜକୁ ଯାଉଥିବା ବେଳେ ସକାଳ ପ୍ରାୟ ୬ଟା ୫୦ରେ ୨ଜଣ ଦୁର୍ବୃତ ତାଙ୍କ ବେକରେ ଛୁରି ଲଗାଇ ଲାପଟପ୍ ବ୍ୟାଗ୍, ମୋବାଇଲ୍ ଓ ପର୍ସ ଲୁଟିନେଇ ଫେରାର ହୋଇଯାଇଥିଲେ। ସେ ଦୀର୍ଘ ୨ରୁ ୩ବର୍ଷ ହେବ ଭୁବନେଶ୍ବରକୁ ପ୍ରତିମାସ ମେଡିକାଲ୍ ଚେକଅପ୍ ପାଇଁ ଆସନ୍ତି। ମାତ୍ର ତାଙ୍କ ସହ ପୂର୍ବରୁ କେବେ ଏଭଳି ହୋଇନଥିବା ସେ କହିଛନ୍ତି।
ଅପରପକ୍ଷରେ ଭୁବନେଶ୍ବରରେ ରହୁଥିବା ଅବସରପ୍ରାପ୍ତ ଶିକ୍ଷକ ଜଲିଲ୍ ଖାନ୍ ଏନେଇ କହିଛନ୍ତି, ସେ ଦୀର୍ଘ ୪୫ବର୍ଷ ହେବ ଭୁବନେଶ୍ବରରେ ରହୁଛନ୍ତି। କିନ୍ତୁ ଗତ ୨ରୁ ୩ବର୍ଷ ହେବ ଭୁବନେଶ୍ବରରେ ନିୟମିତ ଭାବେ ଚୋରି, ଡକାୟତି, ଲୁଟ୍, ଛିନ୍ତାଇ ଏକ ସାଧାରଣ ଅପରାଧ ଭାବେ ଗଣା ହେଲାଣି। ପୁଲିସ ବି ଏହି ଛିନତାଇ ଗ୍ୟାଙ୍ଗ୍କୁ ଧରିପାରୁନାହିଁ। ଯଦିଓ ସେମାନେ ଧରାପଡ଼ୁଛନ୍ତି, ତାଙ୍କ ବିରୋଧରେ କୋର୍ଟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଯେଉଁଥିପାଇଁ ଏଭଳି ଛିନ୍ତାଇ ଓ ଲୁଟପାଟ୍ ଲଗାତାର ଦେଖିବାକୁ ମିଳୁଛି।
ସମ୍ବେଦନଶୀଳ ଜାଗାରେ ଲାଗିବ ସିସି କ୍ୟାମେରା
ଖଣ୍ଡଗିରି ଫ୍ଲାଏଓଭର ସମେତ ବିଭିନ୍ନ ଥାନାର ଚୋରି ହେଉଥିବା ଛକ, ଗଳି ସମେତ ସମ୍ବେଦନଶୀଳ ଜାଗାରେ ସିସି କ୍ୟାମେରା ଲଗାଇବ ବିଏସ୍ସିଏଲ୍। ଏଥିପାଇଁ ଏକାଧିକ ଥାନା ପକ୍ଷରୁ ଏବେ ବିଏସ୍ସିଏଲ୍କୁ ଚିଠି ଲେଖାଯାଇଛି। ସିସି କ୍ୟାମେରା ଆଧାରରେ ରାସ୍ତା ଉପରେ ଘଟୁଥିବା ଆପରାଧିକ କାଣ୍ଡଠୁ ଆରମ୍ଭ କରି ବେପାରୁଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ କରାଯିବ। ଏହି କ୍ରମରେ ଭୁବନେଶ୍ବରରୁ ଖୋର୍ଦ୍ଧା ପଟୁ ଆସିବା ବେଳେ ଫ୍ଲାଏଓଭର ଉପରେ ସିସି କ୍ୟାମେରା ଲଗାଯିବାକୁ ଥିବା ବେଳେ ଖୋର୍ଦ୍ଧାରୁ ଭୁବନେଶ୍ବର ପଟକୁ ଆସିବା ବେଳେ ମେଡିଆନ୍ କଟ ପାଖରେ ସିସି କ୍ୟାମେରା ଲାଗିବ। ଏହା ସହିତ ଖଣ୍ଡଗିରି ଛକରେ ମଧ୍ୟ ବିଏସ୍ସିଏଲ୍ କ୍ୟାମେରା ଲଗାଇବ। ଯାହା ଫଳରେ ଅପରାଧୀ ଓ ଅପରାଧକୁ ସିସି କ୍ୟାମେରାରେ ଯାଞ୍ଚ୍ କରାଯାଇ ସେମାନଙ୍କୁ ଗିରଫ କରାଯିବ।
ମିସନ୍ ‘ୟୁ ସ୍ନାଚ୍ ଵି କ୍ୟାଚ୍’ରେ ଜୋରଦାର୍ ଅପରେସନ୍
ପ୍ରତି ଥାନାକୁ ୬ ଜଣିଆ ସ୍କ୍ବାଡ୍
ଲଗାତାର୍ ଛିନ୍ତାଇ ହେଉଥିବା ସମ୍ବେଦନଶୀଳ ଥାନା ଅଞ୍ଚଳରେ ଲୁଟେରାଙ୍କୁ ଧରିବା ପାଇଁ କମିସନରେଟ୍ ପୁଲିସ ଏକ ସ୍ବତନ୍ତ୍ର ରଣନୀତି କରୁଥିବା ଜଣେ ବରିଷ୍ଠ ପୁଲିସ କର୍ମଚାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭୁବନେଶ୍ବରରେ ନିୟମିତ ହେବା ଛିନ୍ତାଇ ବଢ଼ୁଛିବାରୁ ସମ୍ବେଦନଶୀଳ ଥାନାଗୁଡ଼ିକୁ ଚିହ୍ନଟ କରାଯାଇ ସ୍ପେସାଲ୍ ସ୍କ୍ବାଡ୍ର ୬ଜଣ ଲେଖାଏ ସଦସ୍ୟ ଦିଆଯାଇଛି। ପ୍ରତିଦିନ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଲୁଟ୍ ହେଉଥିବା ଛକମାନଙ୍କରେ ଏହି ସଦସ୍ୟମାନେ ସାଦା ପୋଷାକରେ ପଇଁତରା ମାରିବେ। ଫଳରେ ଲୁଟ୍ ହେବା ମାତ୍ରେ ହିଁ ଲୁଟେରାଙ୍କୁ ଚିହ୍ନଟ କରି ଘଟଣାସ୍ଥଳରେ ହିଁ କାବୁ କରାଯିବ। ଏଥିପାଇଁ ସ୍ପେସାଲ୍ ସ୍କ୍ବାଡ୍ କର୍ମଚାରୀଙ୍କୁ ପ୍ରତି ଥାନାର ପିଓପିଡି ଟିମ୍ କଡ଼ା ପାଟ୍ରୋଲିଂ କରିବେ। ଏଥିପାଇଁ ସ୍ପେସାଲ୍ ସ୍କ୍ବାଡ୍ ପାଇଁ ଏକ ମିସନ୍ ‘ୟୁ ସ୍ନାଚ୍ ଵି କ୍ୟାଚ୍’ ବୋଲି ରଖାଯାଇଛି। ଏହି ମିସନକୁ ଏବେ ଜୋରଦାର କରାଯାଇ ଲୁଟେରାଙ୍କୁ ଧରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ରାଜଧାନୀରେ ଘଟିଥିବା କିଛି ଛିନ୍ତାଇ ଘଟଣା
୨୩।୨: ରୁଚିକା ମାର୍କେଟରେ ପରିବା କିଣିବାକୁ ଯାଇଥିବା ଜଣେ ଶିକ୍ଷକଙ୍କ ମୋବାଇଲ୍ ଝାମ୍ପି ଜଣେ ଦୁର୍ବୃତ୍ତ ଫେରାର୍ ହୋଇଯାଇଥିଲା।
୨୧।୨: ରାତି ପ୍ରାୟ ୮ଟା ୪୦ରେ ଆଇଆର୍ସି ଏନ୍-୪ରେ ରଶ୍ମି ନାୟକ ତାଙ୍କ ଘର ସମ୍ମୁଖରେ ଛିଡ଼ା ହୋଇଥିବା ବେଳେ ୨ଜଣ ଲୁଟେରା ତାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଇଥିଲେ।
୧୮।୨: ନୀଲମ୍ ସ୍ବାଇଁ ନାମକ ଜଣେ ମହିଳା ଅପରାହ୍ନ ୪ଟା ବେଳେ ୧୬ନଂ ଜାତୀୟ ରାଜପଥରେ ଯାଉଥିବା ବେଳେ ଏନ୍କେ ଷ୍ଟିଲ୍ ସମ୍ମୁଖରୁ ୨ଜଣ ଦୁର୍ବୃତ୍ତ ସୁନାଚେନ୍ ଝାମ୍ପିନେଇଥିଲେ।
୧୬।୨: ମଧୁସୂଦନ ନଗର ଅଞ୍ଚଳରୁ ପି କ୍ରିଷ୍ଣମ ରାଜୁ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ୪ଜଣ ଲୁଟେରା ତାଙ୍କୁ ପିଛା କରି ଲୁଟ୍ କରିଥିଲେ। ତାଙ୍କ ଗାଡ଼ି ଅଟକାଇ ତାଙ୍କୁ ମାରଣାସ୍ତ୍ର ଦେଖାଇ ରାଜୁଙ୍କ ପାଖରୁ ମୋବାଇଲ୍ ଓ ଟଙ୍କା ଲୁଟିନେଇଥିଲେ।
୧୫।୨: ୟୁନିଅନ୍ ବ୍ୟାଙ୍କ୍ର ସହକାରୀ ପ୍ରବନ୍ଧକ ଶ୍ବେତପଦ୍ମା ଦାସ ଅପରାହ୍ନ ୨ଟାରେ ଘରକୁ ଫେରୁଥିବା ବେଳେ ଖଣ୍ଡଗିରି ଫ୍ଲାଏଓଭରରୁ ୨ଜଣ ଦୁର୍ବୃତ୍ତ ତାଙ୍କ ବେକରୁ ସୁନାଚେନ୍ ଝାମ୍ପିନେଇଥିଲେ। ଦୁର୍ବୃତ୍ତ ଏତେ ଜୋର୍ରେ ଚେନ୍ ଝାମ୍ପିଥିଲେ ମହିଳା ବ୍ୟାଙ୍କ୍ କର୍ମଚାରୀ ସ୍କୁଟିରୁ ତଳେ ପଡ଼ି କିଛି ବାଟ ରାସ୍ତାରେ କିଛି ବାଟ ଘୋଷାରି ହୋଇଯାଇଥିଲେ।