ବାଲିଅନ୍ତା ବଜାର: ନିଜକୁ ପୁଲିସ କର୍ମଚାରୀ ବୋଲି ପରିଚୟ ଦେବା ସହ ବ୍ଲାକ୍ମେଲ୍ କରି ଲୁଟୁଥିବା ଜଣେ ଧୂର୍ତ୍ତ ମହିଳାକୁ ପାହାଳ ଥାନା ପୁଲିସ ଗିରଫ କରିଛି। ସେ ହେଲା ସହିଦନଗର ଥାନା ତାରିଣୀ ବସ୍ତିରେ ରହୁଥିବା ଜଗତସିଂହପୁରର ଉଷାରାଣୀ ବାରିକ(୪୮)। ଉଷାରାଣୀ ନାଁ ବାଦ୍ ସେ ଭିନ୍ନ ଭିନ୍ନ ସମୟରେ ମାମା ଓ ଉର୍ମିଳା ବାରିକ ନାଁରେ ବି ଲୋକଙ୍କୁ ଠକୁଥିଲା ବୋଲି ପୁଲିସ ସୂଚନା ଦେଇଛି।
ପୁଲିସ ସୂଚନାନୁସାରେ ପାହାଳ ଅଞ୍ଚଳର ପଦିଆ ଦାସ ଏକ ଘରୋଇ କମ୍ପାନିରେ ଟେକ୍ନିସିଆନ୍ ଭାବେ କାମ କରନ୍ତି। ଗତ ଜୁଲାଇ ୩ ତାରିଖ ଦିନ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ସେ ଘରକୁ ଫେରୁଥିଲେ। ଜଗନ୍ନାଥ ମନ୍ଦିର ନିକଟରେ ତାଙ୍କୁ ଉଷା ଅଟକାଇ ଲଫ୍ଟ ମାଗିଥିଲେ। ନିଜକୁ ଜଣେ ପୁଲିସ କର୍ମଚାରୀ ବୋଲି କହିବାରୁ ପଦିଆ ତାଙ୍କୁ ଲିଫ୍ଟ ଦେଇଥିଲେ। କିଛି ବାଟ ଯିବା ପରେ ଉଷା ଗାଡ଼ି ରୋକିବା ପାଇଁ କହିଥିଲା। ପଦିଆ ବାଇକ୍ ଅଟକାଇବା ମାତ୍ରେ ଉଷା ତାଙ୍କୁ ଧମକ ଦେଇ ବ୍ୟାଗ୍ ଖୋଲିବାକୁ କହିଥିଲା। ପଦିଆ ବିସ୍ମିତ ହୋଇଥିଲେ ବି ବ୍ୟାଗ୍ ଖୋଲିଥିଲେ। ବ୍ୟାଗ୍ରେ ୩୫ ଶହ ଟଙ୍କା ଥିଲା। ଉଷା ଟଙ୍କାତକ ଧରି ନିଜ ପକେଟ୍ରେ ପୂରାଇ ପଦିଆକୁ ପଳାଇବା ପାଇଁ ଧମକ ଦେଇଥିଲା। ନଚେତ ମହିଳା ପୁଲିସ କର୍ମଚାରୀଙ୍କୁ ଅସଦାଚରଣ କରିବାକୁ ଉଦ୍ୟମ କରୁଥିବା ନେଇ ଅଭିଯୋଗ କରି ଫସାଇବ ବୋଲି ଧମକ ଦେଇଥିଲା। ଭୟରେ ପଦିଆ ସେଠାରୁ ଚାଲିଯାଇଥିଲେ ଏବଂ ପରଦିନ ପାହାଳ ଥାନାରେ ଜଣାଇଥିଲେ। ଗତକାଲି ରାତିରେ ପଦିଆ ପୁଣି ଉଷାକୁ ଲକ୍ଷେଶ୍ୱର ମନ୍ଦିର ପାଖରେ ଠିଆ ହୋଇଥିବା ଦେଖିଥିଲେ। ତୁରନ୍ତ ସେ ପାହାଳ ଥାନାକୁ ଫୋନ୍ କରିଥିଲେ ଏବଂ କିଛି ସମୟରେ ପିସିଆର ପହଞ୍ଚିଯାଇଥିଲା। ପୁଲିସ ଓ ପଦିଆକୁ ଏକାଠି ଦେଖି ଉଷା ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ପୁଲିସ ତାକୁ ଗୋଡ଼ାଇ ଗୋଡ଼ାଇ କାବୁ କରିଥିଲା।