ଭିଜିଲାନ୍ସ ଡିଏସ୍‌ପିଙ୍କଠାରୁ ଲୁଟ୍‌ ଘଟଣା : ପୁଲିସ୍‌ ହାତରେ ଲୁଟେରା ଗ୍ୟାଙ୍ଗ୍‌

ଭୁବନେଶ୍ବର : କମିସନରେଟ୍‌ ପୁଲିସ୍‌କୁ ଆଜି ଏକ ବଡ଼ ସଫଳତା ମିଳିଛି। ଭିଜିଲାନ୍ସ ଡିଏସ୍‌ପି ତନୁଜା ମହାନ୍ତିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କଠାରୁ ସୁନା ଅଳଙ୍କାର ଲୁଟି ନେଇଥିବା ୨ ଲୁଟେରାଙ୍କୁ ସ୍ପେସାଲ ସ୍କ୍ବାଡ୍‌ ଗିରଫ କରିଛି। ବିଳମ୍ବିତ ରାତିରେ ଉଭୟଙ୍କୁ ଖୋର୍ଧା ନିକଟରୁ ଗିରଫ କରାଯାଇଛି। ଉଭୟଙ୍କଠାରୁ ଲୁଟ୍‌ ସାମଗ୍ରୀ ସହ ବନ୍ଧୁକ, ଗୁଳି ଜବତ କରାଯାଇଛି। ତେବେ ଏହି ଘଟଣାରେ ସାମିଲ ଅନ୍ୟ ଜଣେ ଦୁର୍ବୃତ୍ତଙ୍କୁ ଗିରଫ କରିବା ପାଇଁ ସ୍କ୍ବାଡ୍‌ ବିଭିନ୍ନ ସ୍ଥାନ‌ରେ ଚଢ଼ଉ କରୁଛି। ତଦନ୍ତରେ ବାଧା ଉପୁଜିବା କାରଣରୁ ପୁଲିସ୍‌ ଏ ସଂପର୍କରେ ବେଶି କିଛି କହିବାକୁ ମନା କରିଦେଇଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିକଟ ଅତୀତରେ ଧରାପଡ଼ିଥିବା ଏକ ଲୁଟେରା ଗ୍ୟାଙ୍ଗ୍‌ ନିକଟରୁ ସୂଚନା ପାଇ ସ୍ପେସାଲ ସ୍କ୍ବାଡ୍‌ ମୁଖ୍ୟ ସଞ୍ଜୀବ ଶତପଥୀଙ୍କ ନେତୃତ୍ବରେ ଏକ ଟିମ୍‌ ଏହି ଲୁଟେରାଦ୍ବୟଙ୍କ ଘରେ ଓ ଅନ୍ୟ ଆଡ଼ାରେ ଚଢ଼ଉ କରିଥିଲା। ଲୁଟେରାଦ୍ବୟ ଡିଏସ୍‌ପିଙ୍କୁ ଲୁଟ୍‌ କରିବା ଦିନଠାରୁ ଫେରାର ଥିବା ସ୍କ୍ବାଡ୍‌ ଜାଣିବାକୁ ପାଇଥିଲା। ଆଜି ଅପରାହ୍‌ଣରେ ଗ୍ୟାଙ୍ଗ୍‌ ମୁଖିଆର ମୋବାଇଲ୍‌ ଅନ୍‌ ହେବା ପରେ ଲୋକେସନ୍‌ ଖୋର୍ଦ୍ଧା ଦେଖାଇଥିଲା। କାଳ ବିଳମ୍ବ ନ କରି ଟିମ୍‌ ଖୋର୍ଦ୍ଧା ପହଞ୍ଚିବା ସହ ଲୋକେସନକୁ ଟ୍ରାକ୍‌ କରିଥିଲା। ବିଳମ୍ବିତ ରାତିରେ ମୋବାଇଲ ‌ଖୋର୍ଦ୍ଧାରୁ ବୋଲଗଡ଼ ରାସ୍ତାରେ ଯାଉଥିବା ଦେଖାଇବା ପରେ ଟିମ୍‌ ଚଢ଼ଉ କରି ମୁଖିଆକୁ ମାଡ଼ି ବସିଥିଲା। ପରେ ତା’ ଠାରୁ ସୂଚନା ପାଇ ଅନ୍ୟ ତମ ସହଯୋଗୀକୁ ଗିରଫ କରିଥିଲା।

ସୂଚନା ମୁତାବକ, ଗତ ୨୬ ତାରିଖ ଭୋର୍‌ରୁ ୟୁନିଟ୍‌-୩ ଖାରବେଳନଗର ଆଇବି-ଭି-୨୫/୩ରେ ରହୁଥିବା ମହିଳା ଡିଏସ୍‌ପି ତନୁଜା ମହାନ୍ତିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୩ଜଣ ଦୁର୍ବୃତ୍ତ ସୁନା ଚେନ୍‌ ଛଡ଼ାଇ ନେଇଥିଲେ। ଏହି ଘଟଣାକୁ ନେଇ କମିସନରେଟ୍‌ ପୁଲିସର ନିଦ ହଜି ଯାଇଥିଲା। ଡିସିପି ଉମାଶଙ୍କର ଦାଶ ସ୍ପେସାଲ ସ୍କ୍ବାଡ୍‌କୁ ନେଇ ଦୁଇଟି ଟିମ୍‌ ଗଠନ କରିବା ସହ ଖୋଳତାଡ଼ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର