ଚୋରି ସାମଗ୍ରୀ ଜବତ, ୪ ଗିରଫ

ବାଲିଅନ୍ତା : ବାଲିଅନ୍ତା ଥାନା ପୁଲିସ ଆଜି ଛିନତାଇ ଓ ଚୋରି ମାମଲାରେ ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ବାଲିଅନ୍ତା ଥାନା ଅଧୀନ କୋଠସାହିର ଚିଣ୍ଟୁ ଭୋଇ, ମୁନା ବେହେରା, ଷଣ୍ଢ ଓରଫ ସାଗର ଭୋଇ ଓ ଅଣ୍ଡିଲୋ ଗ୍ରାମର ପ୍ରଳୟ କୁମାର ସାହୁ। ସେମାନେ ବ୍ୟବହାର କରୁଥିବା ୪ଟି ମୋବାଇଲ ଫୋନ ଏବଂ ଦୁଇଟି ଗାଡ଼ି ବ୍ୟାଟେରି ପୁଲିସ ଜବତ କରିଛି। ଗତକାଲି ବିଳମ୍ବିତ ରାତିରେ ସେମାନେ ଅଟଳାଗଡ଼ାର ଏକ ନିଛାଟିଆ ସ୍ଥାନ‌ରେ ଲୁଟପାଟ୍‌ କରିବା ପାଇଁ ଯୋଜନା କରୁଥିଲେ। ଏ ସଂପର୍କରେ ଖବର ପାଇ ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ ରାଉତ ପୁଲିସ ଟିମ୍‌ ସହ ସେଠାରେ ଅତର୍କିତ ଚଢ଼ଉ କରି କାବୁ କରି ନେଇଥିଲେ। ଗତ ସପ୍ତାହରେ ଇପ୍‌ସିତା ମହାନ୍ତି ନାମକ ଜଣେ ମହିଳା ପୁରୀ କେନାଲବନ୍ଧ ରାସ୍ତାରେ ଯାଉଥିବା ବେଳେ ଏହି ଗ୍ୟାଙ୍ଗ ତାଙ୍କ ମୋବାଇଲ ଫୋନ ଛଡ଼ାଇ ନେଇଥିଲେ। ଥାନା ଅଧିକାରୀ ଶ୍ରୀ ରାଉତଙ୍କ ସୂଚନା ମୁତାବକ ଏହି ଯୁବକମାନେ ମୁଖ୍ୟତଃ ରାସ୍ତାରେ ଯାଉଥିବା ପଥଚାରୀଙ୍କୁ ମାଡ଼ ମାରି ତାଙ୍କ ମୋବାଇଲ ଫୋନ ଓ ଗାଡ଼ି ଚୋରି କରିନେଇଥାନ୍ତି।

ସମ୍ବନ୍ଧିତ ଖବର