ଭୁବନେଶ୍ବର: ଚୋର, ଡକାୟତଙ୍କଠାରୁ ଜବତ ହୋଇଥିବା ଲୁଟ୍‌ ସାମଗ୍ରୀକୁ ତା’ର ଅସଲ ମାଲିକଙ୍କୁ ଫେରାଇବାରେ ସ୍ବଚ୍ଛତା ଆଣିବା ପାଇଁ ଏଥର ପୁଲିସ୍‌ ଆଇ ପରେଡ୍‌ କରିବ। ଡିସିପି ପ୍ରତୀକ ସିଂ ସବୁ ଥାନାକୁ ଏନେଇ କଡ଼ା ନିର୍ଦ୍ଦେଶ ଦେବା ସହ ବିନା ଟିଆଇ ପରେଡ୍‌ରେ ଚୋରି ଜିନିଷ ହସ୍ତାନ୍ତର ନ କରିବାକୁ ତାଗିଦ୍‌ କରିଛନ୍ତି। ପୂର୍ବରୁ, ବିନା ଟିଆଇ ପରେଡ୍‌ରେ ଜିନିଷ ହସ୍ତାନ୍ତର ଯୋଗୁଁ ଅନେକ ସମୟରେ ଜିନିଷ ଅଦଳବଦଳ ହେଉଥିଲା। କିଏ କାହା ଜିନିଷ ନେଉଥିଲା, ଠିକ୍‌ ଭାବେ ଜଣା ପଡ଼ୁନଥିଲା। ଏମିତିକି ଅନେକ ସମୟରେ ଜିନିଷ ଅଦଳବଦଳ ଅଭିଯୋଗ ମଧ୍ୟ ହେଉଥିଲା ଓ ପୁଲିସ୍‌ ଉପରେ ଅଙ୍ଗୁଳି ଉଠୁଥିଲା। ତେଣୁ ଏଭଳି ସ୍ଥିତିରୁ ବର୍ତ୍ତିବା ପାଇଁ ପୁଲିସ୍‌ ଟିଆଇ ପରେଡ୍‌ ନିୟମକୁ କଡ଼ାକଡ଼ି ପାଳନ କରିବ।

Advertisment

ଏହି ପ୍ରକ୍ରିୟା ଅନୁଯାୟୀ ତଦନ୍ତକାରୀ ଅଧିକାରୀ ଲୁଟ୍‌ ସାମଗ୍ରୀର ଟିଆଇ ପରେଡ୍‌ ପାଇଁ କୋର୍ଟରେ ଆବେଦନ କରିବେ। ମାଜିଷ୍ଟ୍ରେଟ୍‌ଙ୍କ ତରଫରୁ ଏକ ସ୍ବତନ୍ତ୍ର ତାରିଖ ମିଳିବା ପରେ ଉକ୍ତ ଦିନ କାରାଗାରରେ ଲୁଟ୍‌ ସାମଗ୍ରୀ ଓ ଅଭିଯୁକ୍ତଙ୍କୁ ନେଇ ଟିଆଇ ପରେଡ୍‌ କରାଯିବ। ଅଭିଯୋଗକାରୀ ସେଠାରେ ଉପସ୍ଥିତ ରହି ନିଜ ଲୁଟ୍‌ ସାମଗ୍ରୀକୁ ଚିହ୍ନଟ କରିବେ। ପରେ କୋର୍ଟଙ୍କ ଅନୁମତିରେ ଉକ୍ତ ଲୁଟ୍‌ ସାମଗ୍ରୀକୁ ତା’ର ପ୍ରକୃତ ମାଲିକଙ୍କ ଜିମା ଦିଆଯିବ।
ଅପରପକ୍ଷେ, ଏହି ଟିଆଇ ପରେଡ୍‌ ମାମଲାର ବିଚାର ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ମାମଲା ଅଧିକ ଦୃଢ଼ ହେବା ସହ ଅଭିଯୁକ୍ତଙ୍କୁ ବି ଆଉ ସହଜରେ ଜାମିନ ମିଳିବ ନାହିଁ। ଦୋଷୀ ସାବ୍ୟସ୍ତ ହାର ବଢ଼ିବ ବୋଲି କୁହାଯାଉଛି।

ପ୍ରତିଦିନ କମିସନରେଟ୍‌ ପୁଲିସର ବିଭିନ୍ନ ଥାନାରେ ଚୋରି, ଛିନ୍‌ତାଇକୁ ନେଇ ମାଳମାଳ ଅଭିଯୋଗ ହେଉଛି। ହାତଗଣତି ମାମଲାରେ ପୁଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହେଉଥିବା ବେଳେ ଅଧିକାଂଶ ମାମଲାରେ ଅଭିଯୁକ୍ତ ଖସି ଯାଉଛନ୍ତି। ୨୦୨୧ ମସିହାରେ ମୋଟ ୨୦୫୮ଟି ଚୋରି ମାମଲା ରୁଜୁ ହୋଇଥିବ‌ା ବେଳେ ସେଥିମଧ୍ୟରୁ ମାତ୍ର ୯୧୫ଟି ମାମଲାରେ ଅପରାଧୀ ଧରା ପଡ଼ିଥିଲେ। ସେହିଭଳି ୨୦୨୦ ମସିହାରେ ୧୮୬୨ଟି ମାମଲା ରୁଜୁ ହୋଇଥିବା‌ ବେଳେ ୫୯୧ଟି ମାମଲାରେ ଅପରାଧୀ ଗିରଫ ହୋଇଥିଲେ।

ବଡ଼ କଥା ହେଉଛି, ପ୍ରମାଣ ଅଭାବରୁ ଅନେକ ପେସାଦାର ତଥା ବହୁ ମାମଲାର ଅଭିଯୁକ୍ତ ସହଜରେ ଜାମିନ ପାଇ ଜେଲ୍‌ରୁ ମୁକୁଳି ଯାଉଛନ୍ତି ଏବଂ ଜାମିନରେ ଆସିବା ପରେ ପୁଣି ସେଇ ଅପରାଧରେ ମାତୁଛନ୍ତି। ଚୋରି, ଲୁଟ୍, ଛିନ୍‌ତାଇ ଭଳି ଅପରାଧକୁ ରୋକିବା ପାଇଁ ପିଓପିଡି ଟିମ୍, ଟିମ୍‌ ୬୦ ଭଳି ପଦକ୍ଷେପ ନିଆଯାଇଥିଲେ ବି କମିସନରେଟ୍‌ ପୁଲିସ ଏହା ଉପରେ ଅଙ୍କୁଶ ଲଗାଇବା ଏତେଟା ସହଜ ହେଉନାହିଁ। କିନ୍ତୁ ଟିଆଇ ପରେଟ୍‌ କଡ଼ାକଡ଼ି ଲାଗୁ ହେବା ଦ୍ବାରା ଅପରାଧୀଙ୍କୁ ଜାମିନ ସହଜରେ ମିଳିବ ନାହିଁ। ଏହାଦ୍ବାରା ଅପରାଧ ମଧ୍ୟ କିଛି ମାତ୍ରାରେ ନିୟନ୍ତ୍ରଣ ମଧ୍ୟ ହୋଇପାରିବ ବୋଲି ଆଶା କରାଯାଉଛି।