ଟେଷ୍ଟ ଡ୍ରାଇଭ୍‌ ନାଁରେ ନେଇଗଲେ ଗାଡ଼ି, ୫ ଦିନ ପରେ ଧରାପଡ଼ିଲେ

ଓଏଲକ୍ସରେ ବିଜ୍ଞାପନ ଦେଇ ଇଂଜିନିୟରିଂ ଛାତ୍ର ହଟହଟା

ଭୁବନେଶ୍ୱର: ହୁସିଆର୍! ଓଏଲ୍‌ଏକ୍ସରେ ବାଇକ ଓ ମୋପେଡ ବିକ୍ରି ପାଇଁ ବିଜ୍ଞାପନ ଦେଉଛନ୍ତି କି ? ଯଦି ଦେଉଛନ୍ତି ସାବଧାନ! ଓଏଲକ୍ସରେ ବିଜ୍ଞାପନ ଦେଖି ଲୁଟେରା ଗ୍ୟାଙ୍ଗ୍ ଏହାକୁ କ୍ରୟ କରିବାକୁ ଆସି ଟ୍ରାଏଲ ନାଁରେ ଆପଣଙ୍କ ବାଇକ୍ ଓ ମୋପେଡକୁ ଗାଏବ କରି ଦେଇ ପାରେ। କାରଣ ଗତ କିଛି ମାସ ହେବ ରାଜଧାନୀ‌ରେ ଏଭଳି ଘଟଣା ବଢ଼ି ବଢ଼ି ଚାଲିଛି। ଗତକାଲି ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ାର ସ୍ବାଗତିକା ମହାପାତ୍ରଙ୍କ ମୋପେଡକୁ ଏଭଳି ସମାନ ଢଙ୍ଗରେ ଲୁଟି ନେଇଥିଲେ। ସେହି ଘଟଣାର ଏ ପର୍ଯ୍ୟନ୍ତ ରହସ୍ୟ ଉନ୍ମୋଚନ ହୋଇ ପାରି ନ ଥିବାବେଳେ ଆଜି ଆଉ ଏକ ଘଟଣା ପଦାକୁ ଆସିଛି। ଘଟଣା ଘଟିଛି ମଞ୍ଚେଶ୍ବର ଥାନା ଅଧୀନରେ। ଓଏଲକ୍ସରେ ପ୍ରସ୍ତାବିତ ଏକ ବାଇକ୍‌କୁ ଟେଷ୍ଟ ଡ୍ରାଇଭ୍‌ ଆଳରେ ୫ ଦିନ ତଳେ ନେଇ ପଳାଇଥିବା‌ ଏକ ଲୁଟେରା ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ ବାଇକ୍‌ ମାଲିକ ନିଜେ କାବୁ କରିଛନ୍ତି। ମଞ୍ଚେଶ୍ବର ଥାନା ପୁଲିସ ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି। ଉଭୟଙ୍କ ଜରିଆରେ ଏକ ବଡ଼ ଗାଡ଼ିଚୋରି ରୢାକେଟ୍‌ ଧରାପଡ଼ିବା ସମ୍ଭାବନା ରହିଛି ବୋଲି ପୁଲିସ କହିଛି। ଏଭଳି ଢଙ୍ଗରେ ଏମାନେ ଗାଡ଼ି ଚୋରି କରି ବାହାରକୁ ଚାଲାଣ କରୁଥିବା ଆଶଙ୍କା କରାଯାଉଛି। ଗାଡ଼ି ମାଲିକ ଜଣକ ଜଣେ ଇଞ୍ଜିନିୟରିଂ ଛାତ୍ର।

ଘଟଣା ଏହିପରି: ସୋନପୁରର ରଜତ ପାତ୍ର ନୟାପଲ୍ଲୀରେ ରହି ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବିଟେକ୍‌ ପଢ଼ନ୍ତି। ସେ ତାଙ୍କର ଏକ କେଟିଏମ୍‌ ବାଇକ୍‌ ବିକ୍ରି କରିବା ପାଇଁ ୧୦ ଦିନ ତଳେ ଓଏଲ୍‌ଏକ୍ସରେ ବିଜ୍ଞାପନ ଦେଇଥିଲେ। ବିଜ୍ଞାପନର ୫ ଦିନ ପରେ ପୁରୀର ବୋଲି ପରିଚୟ ଦେଇ ଦୁଇଜଣ ଯୁବକ ଗାଡ଼ି କିଣିବା ପାଇଁ ଯୋଗାଯୋଗ କରି ରଜତ ମଞ୍ଚେଶ୍ବରରେ ଥିବା ବେଳେ ତାଙ୍କ ପାଖରେ ପହଞ୍ଚିଥିଲେ। ସେମାନେ ଗାଡ଼ିର କଣ୍ଡିସନ୍‌ ଦେଖିବା ପାଇଁ ଟେଷ୍ଟ ଡ୍ରାଇଭ୍‌ କରିଥିଲେ। ଟେଷ୍ଟ ଡ୍ରାଇଭ୍‌ ଆଳରେ ଦୁଇଜଣ ବାଇକ୍ ନେଇ ଫେରାର ହୋଇ ଯାଇଥିଲେ। ତାଙ୍କ ଫୋନ୍‌ ନମ୍ବରରେ ମଧ୍ୟ ଯୋଗାଯୋଗ ସମ୍ଭବ ନଥିଲା। ଫଳରେ ରଜତ ହତାଶ ହୋଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ଆଜି ଅଭିଯୁକ୍ତ ରଜତଙ୍କୁ ଫୋନ୍‌ କରି ଗାଡ଼ି ଫେରାଇବାକୁ ଚାହିଁଥିଲେ। କିନ୍ତୁ ଏଥିପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ। ପୁଲିସକୁ ଖବର ଦେଲେ ଗାଡ଼ି ମିଳିବନି ବୋଲି କହିଥିଲେ। ରଜତ ଭୟରେ ପୁଲିସକୁ ଖବର ନ ଦେଇ ୧୦ ହଜାର ଟଙ୍କା ନେଇ ଅଭିଯୁକ୍ତ କହିଥିବା ସ୍ଥାନ ମାଷ୍ଟରକ୍ୟାଣ୍ଟିନ୍‌ରେ ପହଞ୍ଚିଥିଲେ। ଅଭିଯୁକ୍ତଙ୍କ ନିର୍ଦ୍ଦେଶ ମୁତାବକ ସେମାନଙ୍କୁ ଗାଡ଼ିରେ ବସାଇ ଲୋୟର ପିଏମ୍‌ଜି ଆଡ଼କୁ ଯାଇଥିଲେ। କିଛି ବାଟ ଯିବା ପରେ ରାସ୍ତା କଡ଼ରେ ବାଇକ୍‌ ପାର୍କିଂ କରିବାକୁ ଅଭିଯୁକ୍ତମାନେ ରଜତଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଗରେ ପୁଲିସର ଅସ୍ଥାୟୀ ଶିବିର ଥିଲା ଏବଂ ସେଠାରେ କେତେକ ପୁଲିସ କର୍ମଚାରୀ ଡ୍ୟୁଟିରେ ଥିବା ସେ ଦେଖିଥିଲେ। ବୁଦ୍ଧି ଖଟାଇ ରଜତ ବାଇକ୍‌ ନ ଅଟକାଇ ଆଗକୁ ନେଇଥିଲେ। ପୁଲିସ କ୍ୟାମ୍ପ ନିକଟରେ ଜାଣି ଜାଣି ହଠାତ୍‌ ବ୍ରେକ୍‌ ଲଗାଇବାରୁ ଗାଡ଼ି ସହ ତିନିଜଣ ଯାକ ପଡ଼ି ଯାଇଥିଲେ। ଏଭଳି ସ୍ଥିତି ଦେଖି ସେଠାରେ କାର୍ଯ୍ୟରତ ପୁଲିସ ସମସ୍ତଙ୍କୁ ଉଠାଇଥିଲା। ପରେ ଘଟଣା ବିଷୟରେ ଜାଣି ଅଭିଯୁକ୍ତଙ୍କୁ ଧରି ମଞ୍ଚେଶ୍ବର ଥାନା ଜିମା ଦେଇଥିଲା।

ଟେଷ୍ଟ ଡ୍ରାଇଭ୍‌ ଆଳରେ ମୋପେଡ୍‌ ନେଇଗଲେ: ଝାରପଡ଼ା ଅଞ୍ଚଳରେ ରହୁଥିବା ସ୍ବାଗତିକା ମହାପାତ୍ର ତାଙ୍କ ମୋପେଡ୍‌(ହୋଣ୍ଡା ଆକ୍ଟିଭା) ବିକ୍ରି କରିବା ପାଇଁ ଓଏଲ୍‌ଏକ୍ସରେ ବିଜ୍ଞାପନ ଦେଇଥିଲେ। ଏହାକୁ କିଣିବା ପାଇଁ ତାଙ୍କ ସହ ଜଣେ ଯୁବକ ଫୋନ୍‌ ଜରିଆରେ ଯୋଗାଯୋଗ କରିଥିଲେ। ଗତକାଲି ଗାଡ଼ି ବିକିବା ପାଇଁ ଯୁବକ ଜଣକ ଝାରପଡ଼ା ଡିସିବି ବ୍ୟାଙ୍କ୍‌ ନିକଟରେ ଛିଡ଼ା ହୋଇ ସ୍ବାଗତିକାଙ୍କୁ ଫୋନ୍‌ କରିଥିଲେ। ସ୍ବାଗତିକା ତାଙ୍କ ଭଉଣୀଙ୍କ ସହ ପହଞ୍ଚିବା ପରେ ଗାଡ଼ି କିପରି ଅଛି ଦେଖିବା ପାଇଁ ଯୁବକ ଜଣକ ଟେଷ୍ଟ ଡ୍ରାଇଭ୍‌ରେ ଯାଇଥିଲେ। ହେଲେ ଆ‌ଉ ଫେରି ନଥିଲେ। ଅଭିଯୋଗ ପାଇବା ପରେ ଲକ୍ଷ୍ମୀସାଗର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର