ଲିଫ୍ଟ ଦେବା ବାହାନାରେ ଶିକ୍ଷକଙ୍କୁ ଲୁଟ୍

ଭୁବନେଶ୍ବର: ଲିଫ୍ଟ ଦେବା ବାହାନାରେ ଜଣେ ଶିକ୍ଷକଙ୍କୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ତାଙ୍କ ଠାରୁ ୭ହଜାର ଟଙ୍କା, ସୁନା ମୁଦି, ମୋବାଇଲ୍ ଓ ଏଟିଏମ୍ କାର୍ଡ ନେବା ପରେ ଲୁଟେରାମାନେ ତାଙ୍କୁ ଧବଳେଶ୍ବର ଘାଟ ନିକଟରେ ଫୋପାଡ଼ି ଫେରାର୍ ହୋଇଛନ୍ତି। ଲୁଟ୍‌ର ଶିକାର ଶିକ୍ଷକ ହେଉଛନ୍ତି, ଅନୁଗୁଳ ଜରଡ଼ାର ଅକ୍ଷୟ କୁମାର ପାଲ।
ଗତ ଶନିବାର ଅକ୍ଷୟ ୟୁନିଟ୍-୯ରେ ରହୁଥିବା ଝିଆରି ପାଖକୁ ବୁଲିବାକୁ ଆସିଥିଲେ। ଗତକାଲି ପୂର୍ବାହ୍ନ ୧୦ଟାରେ ସେ ଅନୁଗୁଳ ବସ୍‌କୁ ଅପେକ୍ଷା କରି ଆଚାର୍ଯ୍ୟବିହାର ଛକରେ ଠିଆ ହୋଇଥିବା ବେଳେ ଏକ କାର୍‌ରେ ଥିବା ୨ ଯୁବକ ତାଙ୍କ ସହ କଥାବାର୍ତ୍ତା କରିଥିଲେ। କଥା ଛଳରେ ସେମାନେ ଅନୁଗୁଳ ଯାଉଥିବା କହିଥିଲେ ଓ ଅକ୍ଷୟଙ୍କୁ କାର୍‌ରେ ନେଇଯିବାକୁ କହିଥିଲେ।

ସେମାନଙ୍କୁ ବିଶ୍ବାସ କରି ଅକ୍ଷୟ କାର୍‌ରେ ବସିଥିଲେ। ଡମଣା ଛକରେ ସେମାନେ ତାଙ୍କୁ ଥଣ୍ଡା ପାନୀୟ ଦେଇଥିଲେ। ଥଣ୍ଡା ପାନୀୟ ପିଇବା ପରେ ଅକ୍ଷୟ ଚେତାଶୂନ୍ୟ ହୋଇଯାଇଥିଲେ। ଏହି ମଉକାରେ ଲୁଟେରାମାନେ ତାଙ୍କ ପାଖରୁ ଟଙ୍କା, ମୋବାଇଲ୍, ମୁଦି, ଏଟିଏମ୍ କାର୍ଡ ଲୁଟି ନେଇଥିଲେ। ପରେ ତାଙ୍କୁ ଧବଳେଶ୍ବର ଘାଟରେ ଫୋପାଡ଼ି ଫେରାର୍ ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲା। ସୁସ୍ଥ ହୋଇ ଘରକୁ ଫେରିବା ପରେ ସେ ଆଜି ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର