ଛୁଆଙ୍କୁ ଲଗାଇ ଲୁଟ୍‌, ଧରା ପଡ଼ିଗଲେ ୨ ଧୂର୍ତ୍ତ

ଭୁବନେଶ୍ବର: ଛୋଟ ଛୁଆଙ୍କ ଦ୍ବାରା ଅଭିନବ ଢଙ୍ଗରେ ମୋବାଇଲ୍‌ ଲୁଟୁଥିବା ୨ ଧୂର୍ତ୍ତଙ୍କୁ ଆଜି ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ମାଷ୍ଟରକ୍ୟାଣ୍ଟିନ୍‌ ନିକଟ ଏକ ବସ୍ତିରେ ରହୁଥିବା ଗୋବିନ୍ଦ କୁମାର ମାହତ୍ତ ଓ ରାଜେଶ କୁମାର ମାହତ୍ତ। ପୁଲିସ ଛୋଟ ଛୁଆଟିକୁ ଛାଡ଼ି ଦେଇଥିବାବେଳେ ଗୋବିନ୍ଦ ଓ ରାଜେଶକୁ କୋର୍ଟ ଚାଲାଣ କରିଛି। ଘଟଣାଟି ଇନ୍ଦ୍ରଧନୁ ମାର୍କେଟ୍‌ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଆଜି ଉକ୍ତ ମାର୍କେଟ୍‌ର ଜଣେ ମୋବାଇଲ୍‌ ଦୋକାନୀ କିଛି ସମୟ ପାଇଁ ବାହାରକୁ ଯାଇଥିବା ବେଳେ ଏକ ଛୋଟ ପିଲା ଦୋକାନରୁ ନୂଆ ମୋବାଇଲ୍‌ ଫୋନ୍‌ ସେଟ୍‌ଟିଏ ଧରି ପଳାଉଥିଲା। ତେବେ ଦୋକାନୀଙ୍କ ନଜର ପଡ଼ିଯିବା ମାତ୍ରେ ସେ ତାକୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ। ତାଙ୍କ ପାଟି ଶୁଣି ଉକ୍ତ ବଜାରର କିଛି ଦୋକାନୀ ଓ ଲୋକମାନେ ପିଲାଟିକୁ ଘେରି ଯାଇଥିଲେ। ଏତିକିବେଳେ ଗୋବିନ୍ଦ ଓ ରାଜେଶ ପିଲାଟିକୁ ଉଦ୍ଧାର କରିବାକୁ ବାହାରି ପଡ଼ିଥିଲେ। ପ୍ରଥମେ ତାକୁ ଆକଟ କରିବା ଢଙ୍ଗରେ ଦୁଇ ଚାପୁଡ଼ା ମାରିଥିଲେ ଓ ପରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଲାଗିଥିଲେ। ଛୋଟ ପିଲାଟାକୁ କ୍ଷମା କରିବାକୁ କହିଥିଲେ। ତେବେ ସେମାନଙ୍କ କଥାରେ ଲୋକଙ୍କ ସନ୍ଦେହ ହୋଇଥିଲା। ସେମା‌ନଙ୍କ ହାବଭାବରୁ ଲୋକମାନେ ଠଉରାଇ ନେଇଥିଲେ ଯେ ପିଲାଟି ପଛରେ ଏହି ଦୁଇ ଜଣ ଅଛନ୍ତି। ତେଣୁ ସେମାନେ ପିଲାକୁ ଛାଡ଼ି ଗୋବିନ୍ଦ ଓ ରାଜେଶକୁ କାବୁ କରି ନେଇଥିଲେ।

ନୂଆପଲ୍ଲୀ ଥାନା ପୁଲିସ ପହଞ୍ଚିବା ପରେ ଗୋବିନ୍ଦ ଓ ରାଜେଶର ଅସଲ ଚେହେରା ଧରାପଡ଼ି ଯାଇଥିଲା। ପରେ ପିଲାଟି ମଧ୍ୟ ଗୋବିନ୍ଦ ଓ ରାଜେଶ ବାବଦରେ ସବୁ ସତ ମାନି ଯାଇଥିଲା। ଏହି ଦୁଇ ଧୂର୍ତ୍ତ ରାଜଧାନୀର ଜନଗହିଳପୂର୍ଣ ବଜାରରେ ଛୋଟ ପିଲାଙ୍କ ଦ୍ବାରା ଲୋକଙ୍କ ପର୍ସ ଓ ମୋବାଇଲ୍‌ ଲୁଟ୍‌ କରୁଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର