ପୁରୁଣା ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଏବେ ଯାତ୍ରୀଙ୍କ ପାଇଁ ଅସୁରକ୍ଷିତ ପାଲଟିଛି। ନିୟମିତ ବ୍ୟବଧାନରେ ଯାତ୍ରୀଙ୍କଠାରୁ ଲୁଟ୍ ହେଉଥିଲେ ହେଁ ବିମାନବନ୍ଦର କର୍ତ୍ତୃପକ୍ଷ କି କମିସନରେଟ୍ ପୁଲିସ ଆବଶ୍ୟକୀୟ ପଦକ୍ଷେପ ନେଉ ନଥିବାରୁ ଏହା ଏବେ ସୀମା ଲଂଘିଲାଣି। ବିମାନବନ୍ଦର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହେଲାଣି। ବିମାନବନ୍ଦରରେ ସିଆଇଏସ୍ଏଫ୍ ଯବାନ ୨୪ଘଣ୍ଟା ପଇଁତରା ମାରୁଛନ୍ତି, ସିସିଟିଭି ବଳୟରେ ବିମାନବନ୍ଦର ରହିଛି ତଥାପି ଯାତ୍ରୀ ବିମାନବନ୍ଦର ପରିସରରେ ଲୁଟ୍ର ଶିକାର ହେଉଛନ୍ତି। କେତେବେଳେ ଟର୍ମିନାଲର ଲଗେଜ୍ କ୍ୟାରିଅରରୁ ଯାତ୍ରୀଙ୍କ ବ୍ୟାଗ୍ ଲୁଟ୍ ହୋଇଯାଉଛି ତ କେତେବେଳେ ଟର୍ମିନାଲରୁ ବାହାରି ଗାଡ଼ିରେ ବସିବା ଭିତରେ ବ୍ୟାଗ୍ ଲୁଟ୍ ହୋଇଯାଉଛି। କିନ୍ତୁ ଲୁଟେରାଙ୍କ ଟେର୍ ମିଳୁନି। ନିକଟରେ ଏହିପରି ଏକାଧିକ ଲୁଟ୍ ହୋଇଥିବାବେଳେ ଏହାର ପ୍ରତିକାର ପାଇଁ ବିମାନବନ୍ଦର କର୍ତୃପକ୍ଷ ଆବଶ୍ୟକୀୟ ପଦକ୍ଷେପ ନେଇପାରିନାହାନ୍ତି। କିଛି ଦିନ ପୂର୍ବରୁ ଘାନାରୁ ଓଡ଼ିଶା ବୁଲି ଆସିଥିବା ନିରଜ ଚନ୍ଦନ ନାମକ ଜଣେ ପ୍ରବାସୀ ଭାରତୀୟଙ୍କ ପତ୍ନୀଙ୍କ ଭ୍ୟାନିଟି ବ୍ୟାଗ୍ ଟର୍ମିନାଲ୍ ବାହାରୁ ଲୁଟ୍ ହୋଇ ଯାଇଥିଲା। ଏଥିରେ ତାଙ୍କର ୩ ହଜାର ଡଲାର, ୩ଟି ଦାମୀ ମୋବାଇଲ୍, ପରିବାରର ସମସ୍ତଙ୍କ ଭିସା ଓ ପାସପୋର୍ଟ ଆଦି ଚୋରି ହୋଇଯାଇଥିଲା। ଏନେଇ ସେ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ ହେଁ ଏ ପର୍ଯ୍ୟନ୍ତ ଲୁଟେରା ଧରିପଡ଼ିନାହାନ୍ତି। ସେହିପରି ମାର୍ଚ୍ଚ ୫, ୨୦୧୭ରେ ଓମାନରୁ ଦିଲ୍ଲୀ ଭାୟା ହୋଇ ଭୁବନେଶ୍ୱର ଆସିଥିବା ଖୋର୍ଧା ଜିଲ୍ଲା ବାଲୁଗାଁର ଅମର ଦାସଙ୍କର ବ୍ୟାଗ୍ ବିମାନବନ୍ଦରରୁ ଚୋରି ହୋଇ ଯାଇଥିଲା। ସେ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ। ୧୦ଦିନ ପରେ ବ୍ୟାଗ୍ ମିଳିଥିଲେ ହେଁ ବ୍ୟାଗ୍ରେ ଥିବା ୩ଟି ଦାମୀ ମୋବାଇଲ୍ ନଥିଲା। ସେହିପରି ଗତ ଡିସେମ୍ବର ୭ତାରିଖରେ ରାଉଲକେଲାର ଦୁଇ ଭଉଣୀ ନେହା ପନସାରୀ ଓ ମୀନାକ୍ଷୀ ଖଣ୍ଡେଲଓ୍ଵାଲଙ୍କ ୩ଲକ୍ଷ ଟଙ୍କାର ଡାଇମଣ୍ଡ୍, ୧୦ହଜାର ଟଙ୍କା ଓ ଏଟିଏମ୍ କାର୍ଡ ଚୋରି ହୋଇଥିଲା। ଏନେଇ ସେ ଏୟାରଫିଲ୍ଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ବି କିଛି ସୁଫଳ ମିଳି ନଥିଲା। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ବିମାନବନ୍ଦର ଟର୍ମିନାଲରୁ କିଭଳି ଚୋରି ହେଉଛି ତାହା ଏବେ ସମସ୍ତଙ୍କୁ ଚକିତ କଲାଣି।
ଲଗେଜ୍ କ୍ୟାରିଅର୍ରୁ ବ୍ୟାଗ୍ ଚେକିଂ କରି ଛଡ଼ାଯାଉ
ବିମାନରୁ ଓହ୍ଲାଇବା ପରେ ଲଗେଜ୍ କ୍ୟାରିଅରରୁ ବ୍ୟାଗ୍ ସଂଗ୍ରହ କରିବାକୁ ପଡ଼ିଥାଏ। ହେଲେ ସେଥିରୁ ଯଦି କୌଣସି ଲଗେଜ୍ ଚୋରି ହେଉଛି ବା ବଦଳ ହେଉଛି ତେବେ କିଛି କରିହେଉନି। ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲେ ସେମାନେ ବିମାନ କମ୍ପାନିକୁ ଅଭିଯୋଗ କରିବାକୁ କହୁଛନ୍ତି। ତେଣୁ ଲଗେଜ୍ କ୍ୟାରିଅର ବେଲ୍ଟରେ ଆସୁଥିବା ସାମଗ୍ରୀ କିପରି ଠିକ୍ ବ୍ୟକ୍ତିଙ୍କୁ ମିଳିବ ସେନେଇ ପଦକ୍ଷେପ ନିଆଯିବା ଦରକାର। ଲଗେଜ୍ ଯେପରି ଚେକ୍ ଇନ୍ ହେଉଛି ଯାତ୍ରୀ ଲଗେଜ୍ ନେଲାବେଳେ ବି ସେହିଭଳି ଯାଞ୍ଚ ହେଉଛି।
ଅରୁଣ ମହାପାତ୍ର, ଆଇନଜୀବୀ
ଟର୍ମିନାଲ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ହେଉ
ବିମାନବନ୍ଦରରେ ବାରମ୍ବାର ଚୋରି ହେଉଛି। ଏପରିକି ପ୍ରବାସୀ ଭାରତୀୟ, ବିଦେଶୀ ପର୍ଯ୍ୟଟକ ଓ ମହିଳାମାନେ ଲୁଟ୍ର ଶିକାର ହେଉଛନ୍ତି। ବିମାନବନ୍ଦର ଟର୍ମିନାଲ ସୁରକ୍ଷିତ ବୋଲି କୁହାଯାଉଥିଲେ ମଧ୍ୟ ଏହା ଏବେ ଅସୁରକ୍ଷିତ ପାଲଟି ଗଲାଣି। ବିମାନବନ୍ଦର ଟର୍ମିନାଲ ବାହାରେ ଯେପରି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ ସେଥିପାଇଁ ବିମାନବନ୍ଦର ଥାନାକୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯାଉ।
ଭୀଷ୍ମ ନାରାୟଣ ନାୟକ, ସଭାପତି, ଏକାମ୍ର ଜନ ଜାଗରଣ ମଞ୍ଚ
ବିସିଏଏସ୍ ଗାଇଡଲାଇନ୍ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଯୋଗାଯାଉଛି
ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ ସିକ୍ୟୁରିଟି (ବିସିଏଏସ୍)ର ଗାଇଡଲାଇନ୍ ଅନୁଯାୟୀ ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଯାତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଉଛି। ସବୁ ବିମାନବନ୍ଦରରେ ଯେପରି ସୁରକ୍ଷା ବ୍ୟବସ୍ଥା ଅଛି ଏଠାରେ ବି ସେହିଭଳି ଅଛି। ଆମେ ଅଧିକ କିଛି କରିପାରିବୁନି। ବିମାନବନ୍ଦର ବାହାରେ ଯାତ୍ରୀଙ୍କ ସୁରକ୍ଷା ପୁଲିସର।
ସୁରେଶ ଚନ୍ଦ୍ର ହୋତା, ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/Bhubaneswar_Airport-EPS.jpg)