ଭୁବନେଶ୍ୱର: କମିସନରେଟ୍ ପୁଲିସ୍ର କୁଇକ୍ ଆକ୍ସନ୍ ଟିମ୍ (କ୍ୟୁଏଟି) ଆଜି ଭୁବନେଶ୍ବରରୁ କୋଲକାତା ଯାଉଥିବା ଏକ ବସ୍ରେ ଚଢ଼ଉ କରି ଜଣେ କୁଖ୍ୟାତ ଲୁଟେରା ଲିଡର୍କୁ ଗିରଫ କରିଛି। ସେ ହେଲା, ପଶ୍ଚିମବଙ୍ଗ ମାଲ୍ଦାର ମହମ୍ମଦ ଅଖ୍ତର ହୁସେନ୍। ପୁଲିସ ତା’ଠାରୁ ୫୩ଟି ସ୍ମାର୍ଟ ଫୋନ୍ ଜବତ କରିଛି। ତେବେ ଏହି ଗ୍ୟାଙ୍ଗ୍ର ଅନ୍ୟ ସଦସ୍ୟମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ସୂଚନା ମିଳିଛି। ସେହିଭଳି କୋଲକାତାରେ ଏହି ଗ୍ୟାଙ୍ଗ୍ର ଆଉ କିଛି ସଦସ୍ୟ ରହିଥିବାରୁ ପୁଲିସ କୋଲକାତା ଯିବ ବୋଲି ପ୍ରସ୍ତୁତି ଚଳାଇଛି। ରାଜଧାନୀରୁ ମୋବାଇଲ୍ ଫୋନ୍ ଲୁଟି ନେଉଥିବା ଏହି ଗ୍ୟାଙ୍ଗ୍କୁ ଠାବ କରିବା ଏକ ବଡ଼ ଚ୍ୟାଲେଞ୍ଜ ଥିବା ବେଳେ ଲିଡର୍ ଧରାପଡ଼ିଥିବାରୁ ପୁଲିସ ପାଇଁ ଆଶ୍ବସ୍ତି ମିଳିଛି।
ଗ୍ୟାଙ୍ଗ୍ ଲିଡର୍ ହୁସେନ୍ଠାରୁ ମିଳିଥିବା ସୂଚନା ମୁତାବକ, ଭୁବନେଶ୍ବରରେ ବିହାର ଓ ପଶ୍ଚିମବଙ୍ଗର ୫୦ରୁ ଊର୍ଦ୍ଧ୍ବ ଲୁଟେରା ସକ୍ରିୟ ରହିଛନ୍ତି। ବୁଲା ବିକାଳି ଓ ଶ୍ରମିକ ବୋଲି ଏମାନେ ବାହାରକୁ ଦେଖାଉଛନ୍ତି। ମଉକା ଦେଖି ଅର୍ଥାତ୍ ଏକୁଟିଆ ଥିବା ଲୋକ ଦେଖି ଏହି ଗ୍ୟାଙ୍ଗ୍ ମୋବାଇଲ ଛଡ଼ାଇ ନିଅନ୍ତି। ଏହାବାଦ୍ କୌଶଳରେ ମଧ୍ୟ ଚୋରି କରନ୍ତି। ବିଶେଷକରି ହାଟରେ ଗହଳି ଭିତରେ ଗ୍ରାହକକୁ ଏମାନେ ଘେରି ରହନ୍ତି ଓ ଜଣେ କୌଶଳରେ ଉକ୍ତ ଗ୍ରାହକଙ୍କ ମୋବାଇଲ୍ ଚୋରି କରିନିଏ। ଚୋରିରେ ସଫଳ ନ ହେଲେ ଝାମ୍ପି ନେଇଯାଏ। ଚୋରିର ଶିକାର ବ୍ୟକ୍ତି ଜାଣିଲେ ମଧ୍ୟ ଲୁଟେରା ଗ୍ୟାଙ୍ଗ୍ର ଅନ୍ୟମାନେ ତାଙ୍କୁ ଘେରି ରହିଥିବାରୁ ସେ ମୋବାଇଲ୍ ଛଡ଼ାଇ ନେଇଥିବା ଲୁଟେରାକୁ ପିଛା କରିପାରନ୍ତି ନାହିଁ। ଲୁଟ୍ ପରେ ଏମାନେ ଭୁବନେଶ୍ବରରେ ଆଡ଼ା ଜମାଇ ବସିଥିବା ମୁଖିଆ ପାଖରେ ଜମା କରନ୍ତି। ମୁଖିଆ ସେଗୁଡ଼ିକୁ କୋଲକାତା ନେଇ ବ୍ଲାକ୍ ମାର୍କେଟ୍ରେ ବିକ୍ରି କରେ।
ସୂଚନା ମୁତାବକ, ଗତ ମାସରେ ଏକ ନମ୍ବର ମାର୍କେଟ୍ ଭିତରେ କଟକ ରୋଡ୍ ଅଞ୍ଚଳର ମହେନ୍ଦ୍ର ଅଗ୍ରୱାଲ ପରିବା କିଣୁଥିବା ବେଳେ ତାଙ୍କର ଆଇ-ଫୋନ୍ ଚୋରି ହୋଇଥିଲା। ଏ ନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କ୍ୟୁଏଟିକୁ ଏହି ମାମଲାର ତଦନ୍ତଭାର ଦେଇଥିଲେ। ଆଜି କ୍ୟୁଏଟି ମୁଖିଆ ହୁସେନ୍କୁ ଗିରଫ କରିବାରେ ସଫଳ ହୋଇଛି।