ଲୁଟେରାଙ୍କ ତିତ୍‌ଲି ରାତିର ଖେଳ ଅଧୁରା, ଅଧାକଟା ଅବସ୍ଥାରେ ଏଟିଏମ୍‌ ଛାଡ଼ି ଛୁ’

ଖଣ୍ତଗିରି: ବାତ୍ୟା ତିତ୍‌ଲି ରାତିରେ ଏକ ବଡ଼ ଲୁଟ୍‌ ଯୋଜନା କରିଥିଲେ ଏଟିମ୍‌ ଲୁଟେରା। ମାତ୍ର ପୁଲିସ ସେମାନଙ୍କ ଯୋଜନା ବିଗାଡ଼ି ଦେଲା। ଏଟିଏମ୍‌ ଅଧାକଟା ହୋଇଥିବାବେଳେ ପହଞ୍ଚିଗଲା ଦୁଇ ଦୁଇଟି ପୁଲିସ ଗାଡ଼ି। ଫଳରେ ଲୁଟେରାମାନେ ଜାଗା ଛାଡ଼ି ଫେରାର ହୋଇଯାଇଥିଲା। ଘଟଣାଟି ବୁଧବାର ବିଳମ୍ବିତ ରାତିରେ ଖଣ୍ତଗିରି ଗଣ୍ତମୁଣ୍ତା ଛକସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ତିଆ ଏଟିଏମ୍‌ରେ ଘଟିଛି। ରାତି ପ୍ରାୟ ୨ଟା। ପୁଲିସ କଣ୍ଟ୍ରୋଲ୍‌ ରୁମ୍‌ରୁ ଏଟିଏମ୍‌ ଲୁଟ୍‌ ଉଦ୍ୟମ ହେଉଥିବା ନେଇ ଖଣ୍ତଗିରି ଥାନାକୁ ଫୋନ୍‌ ଆସିଲା। ତୁରନ୍ତ ଖଣ୍ତଗିରି ଥାନା ପିସିଆର‌୍‌ ଘଟଣାସ୍ଥଳକୁ ଛୁଟି ଯାଇଥିଲା। ପଛେ ପଛେ ଥାନା ଗାଡ଼ି ନେଇ କିଛି ଅଧିକାରୀ ମଧୢ ଘଟଣାସ୍ଥଳକୁ ଧାଇଁଥିଲେ। କିନ୍ତୁ ଘଟଣାସ୍ଥଳରେ ପୁଲିସ ଗାଡ଼ି ପହଞ୍ଚିଲାବେଳକୁ ଲୁଟେରାମାନେ ଫେରାର‌୍‌ ହୋଇଯାଇଥିଲେ। ଏଟିଏମ୍‌ ଭିତରେ ସିସିଟିଭି କ୍ୟାମେରା ଭଙ୍ଗା ହୋଇ ପଡ଼ିଥିଲା ଓ ମେସିନ୍‌ ଉପରେ ଗ୍ୟାସ୍‌ କଟର ଦ୍ବାରା ହୋଇଥିବା କଟା ଦାଗ ଦେଖିବାକୁ ମିଳିଥିଲା। ତେଣୁ ପୁଲିସ ଆସୁଥିବା ଜାଣିପାରି ଲୁଟେରାମାନେ ଖସି ଯାଇଥିବା ସ୍ପଷ୍ଟ ହୋଇଥିଲା। ପରେ ସିସିଟିଭି ଫୁଟେଜ୍‌ରୁ ଜଣାଗଲା ଯେ ଏଟିଏମ୍‌ କାଉଣ୍ଟର୍‌ ଭିତରେ ଜଣେ ଦୁର୍ବୃତ୍ତ ପଶି ଗ୍ୟାସ୍‌ କଟର‌୍‌ ଦ୍ବାରା ମେସିନ୍‌କୁ କାଟିବାକୁ ଉଦ୍ୟମ କରିଥିଲା। ମାତ୍ର ପରେ ସେ ଅଧାକାଟି ବାହାରକୁ ପଳାଇ ଆସିଛି। ତେଣୁ ଏଥିରୁ ଜଣାପଡ଼ୁଛି ମୁହଁରେ ରୁମାଲ୍‌ ବାନ୍ଧିଥିବା ଏହି ଲୁଟେରାର ଅନ୍ୟ ସାଥୀମାନେ ବାହାରେ ଜଗି ରହିଥିଲେ ଓ ପୁଲିସ ଆସିବା ଜାଣି ପାରିବା ପରେ ସମସ୍ତେ ଫେରାର‌୍‌ ହୋଇ ଯାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଏଟିଏମ୍‌ରେ ଟାମ୍ପରି˚ ହେଉଥିବା ସୂଚନା ପାଇବା ପରେ ବ୍ୟାଙ୍କ କଣ୍ଟ୍ରୋଲ୍‌ ରୁମ୍‌ ତୁରନ୍ତ ପୁଲିସକୁ ଜଣାଇଥିଲା। ଫଳରେ ଏକ ବଡ଼ ଧରଣର ଡକାୟତି ଯୋଜନା ପଣ୍ତ ହୋଇପାରିଥିଲା।

ସମ୍ବନ୍ଧିତ ଖବର