ରାଜଧାନୀରେ ଲୁଟେରା ଊର୍ଧ୍ବମୁଖା, ପୁଲିସ୍‌ ନାଚାର୍‌

ଭୁବନେଶ୍ବର: ଗତ କିଛି ମାସ ହେବ ରାଜଧାନୀରେ ଚୋରି, ଲୁଟ୍‌, ଛିନ୍‌ତାଇ ଭଳି ଅପରାଧ ବଢ଼ିବାରେ ଲାଗିଛି। ଗତ ଫେବ୍ରୁଆରିରେ କେବଳ ଲୁଟ୍‌, ଚୋରି, ଛିନ୍‌ତାଇ ଜନିତ ୧୮୦ରୁ ଊର୍ଧ୍ବ ମାମଲା ପଞ୍ଜୀକୃତ ହୋଇଛି। ଘରେ କେହି ନଥିବା ସୁଯୋଗ ନେଇ କାହା ଘର ଗ୍ରିଲ୍‌ ତାଡ଼ି କଳାକନା ବୁଲାଉଛନ୍ତି ତ ଦିନ ଦି’ପହରେ କାହାକୁ ଖଣ୍ଡା, ଭୁଜାଲି ଧରି ଲୁଟୁଛନ୍ତି। ମହିଳାଙ୍କ ବେକରୁ ସୁନାଚେନ୍‌ ଛିନ୍‌ତାଇ କରିବା ଘଟଣା ତ ନିତିଦିନିଆ ହୋଇଗଲାଣି। ଆଉ କିଛି ଲୁଟେରା ଭୋର୍ ସମୟକୁ ଟାର୍ଗେଟ୍‌ କରୁଛନ୍ତି। ଏହି ସମୟରେ ମାଛ ବେପାରୀ, ପରିବା ବେପାରୀ ବେପାର ପାଇଁ ଯାଉଥିବା ବେଳେ ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟୁଛନ୍ତି। ଏହାବ୍ୟତୀତ ଗତ କିଛି ଦିନ ହେବ ଆଉ ଏକ ଲୁଟେରା ଦଳ ବେଶ୍‌ ସକ୍ରିୟ ହୋଇଉଠିଛି। ଏହି ଗ୍ୟାଙ୍ଗ୍‌ ବିଭିନ୍ନ ବ୍ୟାଙ୍କ ଓ ଏଟିଏମ୍‌ ସାମ୍ନାରେ ପଇଁତରା ମାରୁଛନ୍ତି। ଯିଏ ମୋଟା ଅଙ୍କର ଟଙ୍କା ଉଠାଇ ବାହାରିଲା, ତା’ ପଛରେ ଜୋକ ଭଳି ଲାଗି ଯାଉଛନ୍ତି। ବ୍ୟାଙ୍କ କିମ୍ବା ଏଟିଏମ୍‌ରୁ ପିଛା କରି ନିର୍ଜନ ସ୍ଥାନ ଦେଖି ଲୁଟି ନେଉଛନ୍ତି। କିନ୍ତୁ ହାତଗଣତି ଗୋଟିଏ ଦୁଇଟିକୁ ଛାଡ଼ିଦେଲେ ବାକି ଲୁଟ୍‌ ଘଟଣାରେ ପୁଲିସ୍‌ ଫେଲ୍‌ ମାରୁଛି। ଲୁଟେରାଙ୍କ ପାଖ ପହଞ୍ଚି ପାରୁନାହିଁ। କମିସନରେଟ୍‌ ପୁଲିସ୍‌ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଖଞ୍ଜା ଯାଇଛି। ବାଇକ୍‌ କିମ୍ବା କାର୍‌ର ବେଗ ୫୦ ଟପିଲେ ସାଙ୍ଗେସାଙ୍ଗେ ଚାଲାଣ କଟି ଯାଉଛି। କିନ୍ତୁ ଏହି ସିସି କ୍ୟାମେରା କ’ଣ ଖାଲି ଟ୍ରାଫିକ୍‌ ଉଲ୍ଲଙ୍ଘନକାରୀଙ୍କ ପାଇଁ ଲଗା ଯାଇଛି ନା ଏଥିରେ ଲୁଟେରାଙ୍କ ଗାଡ଼ି ଦୃଶ୍ୟମାନ ହେଉନି।

ସମ୍ବନ୍ଧିତ ଖବର