ସୋସିଆଲ ମିଡିଆରେ ପ୍ରଚାର, ରାଜଧାନୀରେ ମାତିଛନ୍ତି ଛଦ୍ମବେଶୀ ଲୁଟେରା
ଭୁବନେଶ୍ବର: ହୁସିଆର! ରାଜଧାନୀରେ ମାତିଛନ୍ତି ଛଦ୍ମବେଶୀ ଲୁଟେରା। ଏହି ଛଦ୍ମବେଶୀ ଲୁଟେରା ଯେକୌଣସି ସମୟରେ ଆପଣଙ୍କୁ ବନ୍ଧୁକ ମୁନରେ ଲୁଟପାଟ କରିପାରନ୍ତି। ଗତ ଏକ ସପ୍ତାହ ହେବ ରାଜଧାନୀରେ ଏଭଳି ୩/୪ଟି ଘଟଣା ଘଟି ସାରିଲାଣି। ଏଭଳି ଲେଖାଥିବା ସୂଚନା ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଫେସ୍ବୁକଠାରୁ ଆରମ୍ଭ କରି ହ୍ବାଟସ୍ଆପ ସବୁଠି ଏବେ ଏଭଳି ସର୍ତକ ସୂଚନା ଦେଖିବାକୁ ମିଳୁଛି। ବ୍ୟବହାରକାରୀମାନେ ମଧ୍ୟ ଏଭଳି ସୂଚନାକୁ ବହୁଳ ମାତ୍ରାରେ ସେୟାର କରିଚାଲିଛନ୍ତି। ତେବେ ଏଭଳି ଚର୍ଚାକୁ ଖଣ୍ଡନ କରିଛନ୍ତି ଡିସିପି ଅନୁପ ସାହୁ ଓ ପୁଲିସ କମିସନର ସତ୍ୟଜିତ ମହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ, ଗତ ଏକ ସପ୍ତାହ ହେବ ଭୁବନେଶ୍ବର ସମେତ ଦେଶର କେତେକ ସହରରେ ଏକ ଲୁଟେରା ଗ୍ୟାଙ୍ଗ୍ ସକ୍ରିୟ ହୋଇଛନ୍ତି। ଏହି ଗ୍ୟାଙ୍ଗ୍ ନିଜକୁ ପାଣି ପାଇପ ମିସ୍ତ୍ରି ଓ ବିଦ୍ୟୁତ ମିସ୍ତ୍ରି ଭାବେ ପରିଚୟ ଦେଉଛନ୍ତି। ଏପରିକି କେତେକ ନିର୍ଦିଷ୍ଟ କମ୍ପାନିର ପରିଚୟପତ୍ର ମଧ୍ୟ ଦେଖାଉଛନ୍ତି, ଯାହାକି ଜାଲ୍ ଅଟେ। ଯେଉଁଠି ସେମାନେ ପାଣି ପାଇପ ମିସ୍ତ୍ରି ବୋଲି ପରିଚୟ ଦେଉଛନ୍ତି, ସେମାନେ କେତେକ ଟ୍ୟାପ ଦେଖାଉଛନ୍ତି, ଯେଉଁ ଟ୍ୟାପ୍ ଘରେ ଲଗାଇଲେ ପାଣି ଖର୍ଚ କମ ହୋଇଥାଏ। ସେହିପରି ବିଦ୍ୟୁତ ମିସ୍ତ୍ରି କହୁଥିବା ଗ୍ୟାଙ୍ଗ୍ ବିଦ୍ୟୁତ ବଲବ୍ ଦେଖାଉଛନ୍ତି। ଯେଉଁ ବଲବ୍ ଜଳାଇଲେ କମ୍ ପରିମାଣର ବିଦ୍ୟୁତ ବିଲ୍ ଆସିବ ବୋଲି ସେମାନେ ବୁଝାଉଛନ୍ତି। ଏହାପରେ ଯଦି କେହି ରାଜି ହେଉଛନ୍ତି, ସେମାନେ ଘର ଭିତରକୁ ପାଣି ଟ୍ୟାପ ଓ ବିଦ୍ୟୁତ ବଲବ ଲଗାଇବା ବାହାନାରେ ଘର ଭିତରକୁ ପଶୁଛନ୍ତି। ଏହା ପରେ ଘରର ସଦସ୍ୟମାନଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗୋଟିଏ ଘରେ ଭର୍ତି କରି ଘରୁ ସୁନାଗହଣା, ଟଙ୍କା ଆଦି ଦାମୀ ସାମଗ୍ରୀ ଲୁଟି ନେଉଛନ୍ତି। ବିଶେଷକରି ସେମାନେ ଯେଉଁ ଘରେ ପୁରୁଷ ସଦସ୍ୟମାନେ ଦିନବେଳା ରହୁନାହାନ୍ତି ସେ ସବୁ ଘରକୁ ଟାର୍ଗେଟ କରୁଛନ୍ତି। ଯେଉଁ ଅଞ୍ଚଳରେ ଏବେ ଲୁଟପାଟ କରୁଛନ୍ତି, ଏହା ପୂର୍ବରୁ ସେମାନେ ସଂପୃକ୍ତ ଅଞ୍ଚଳକୁ ଆସି ରେକି କରି ଘରର ପୁରୁଷ ସଦସ୍ୟଙ୍କ ଯିବା ଆସିବା ସମୟକୁ ଲକ୍ଷ୍ୟ ରଖୁଛନ୍ତି। ଏବେ ଦେଶର ମୁମ୍ବାଇ, ପୁନେ, ବେଙ୍ଗାଲୁରୁ ଓ ଅହମ୍ମଦାବାଦ ଭଳି ସହରରେ ଏଭଳି ଘଟଣା ଘଟି ସାରିଛି। ଭୁବନେଶ୍ବରରେ ମଧ୍ୟ ଗତ ଏକ ସପ୍ତାହ ମଧ୍ୟରେ ଏଭଳି ୪ଟି ଲୁଟ୍ପାଟ ହୋଇ ସାରିଥିବା ଉକ୍ତ ଏସଏମଏସରେ ଉଲ୍ଲେଖ ରହିଛି। ତେବେ ଚର୍ଚା ସମ୍ପର୍କରେ ପୁଲିସ କମିସନର ସତ୍ୟଜିତ ମହାନ୍ତି ଓ ଡିସିପି ଅନୁପ ସାହୁ କହିଛନ୍ତି, କମିସନରେଟ ପୁଲିସ ଅଞ୍ଚଳରେ ଏଭଳି ଘଟଣା ଆଦୌ ଘଟିନାହିଁ। ଏହା ଏକ ଗୁଜବ। ମାତ୍ର ନେଇ ଆମେ ସତର୍କ ରହିଛୁ।