ଚୋରି କରି ମହିଳା ଗିରଫ

ବୁଲେଟ୍‌ ଚୋର ଗିରଫ, ୨ ମୋବାଇଲ୍‌ ଲୁଟେରା ଗିରଫ

ଭୁବନେଶ୍ବର : ମାଲିକଙ୍କ ଘରୁ ଚୋରି କରି କାମ କରୁଥିବା ଜଣେ ମହିଳା ଧରାପଡ଼ିଛନ୍ତି। ସେ ହେଲେ, ନୟାଗଡ଼ର ପଦ୍ମାବତୀ ନାୟକ। ଲକ୍ଷ୍ମୀସାଗର ଥାନା ପୁଲିସ ପଦ୍ମାବତୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କଠାରୁ ୨ହଜାର ନଗଦ ଟଙ୍କା ସହ ଲୁଗାପଟା ଜବତ କରାଯାଇଛି। ଜଗନ୍ନାଥ ନଗରର ତୃପ୍ତିରଞ୍ଜନ ଷଡ଼ଙ୍ଗୀଙ୍କ ଘରେ ସେ ଦୀର୍ଘ ଦିନ ହେବ କାମ କରୁଥିଲେ। ତୃପ୍ତିଙ୍କ ଦୃଷ୍ଟିଦୋଷ ଥିବାରୁ ସେ କିଛି ଦୂରରୁ ଦେଖିପାରନ୍ତି ନାହିଁ। ବିଭିନ୍ନ ସମୟରେ ତାଙ୍କ ଘରୁ ଚୋରି ହେଉଥିଲା‌। ଗତକାଲି ଆଲମାରରି ପାଖରୁ ଶବ୍ଦ ହୋଇଥିଲା। ‌ସେ ଦଉଡ଼ି ଯାଇ ପଦ୍ମାବତୀକୁ ଧରିଥିଲେ। ତାଙ୍କ ହାତରେ ଟଙ୍କା ଥିବାରୁ ପୁଲିସକୁ ଖବର ଦେଇଥିଲେ। ପଚରାଉଚରା ପରେ ସେ ପୂର୍ବରୁ ଟଙ୍କା ଓ ଲୁଗାପଟା ଚୋରି କରିଥିବା ମାନିଥିଲେ।

ବୁଲେଟ୍‌ ଚୋର ଗିରଫ

ଖଣ୍ଡଗିରି : ବଡ଼ ସାହସ ଓ ଚତୁରତାର ସହ ଆଖି ଆଗରୁ ଏକ ବୁଲେଟ୍‌ ବାଇକ୍‌ ‌ଚୋରି କରି ପଳାଇବାକୁ ବସିଥିବା ଜଣେ କୁଖ୍ୟାତ ଲୁଟେରାକୁ ଖଣ୍ଡଗିରି ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ, ଗଞ୍ଜାମ ତାରାସିଂ ଥାନା ଉଲୁଡ଼ାଁ ଗାଁର ପ୍ରକାଶ କୁମାର ବେହେରା(୨୪)। ସୂଚନାନୁସାରେ, ୟୁନିଟ୍‌-୮ରେ ରହୁଥିବା ରତିକାନ୍ତ ଶୁକ୍ଳା ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଏକ ଜରୁରୀ ଔଷଧ କିଣିବା ପାଇଁ ଆଇଗିଣିଆସ୍ଥିତ ଏକ ମେଡିସିନ ଷ୍ଟୋର୍‌କୁ ଆସିଥିଲେ। ସେ ଦୋକାନ ସମ୍ମୁଖରେ ତାଙ୍କ ବୁଲେଟ୍‌ ଗାଡ଼ିକୁ ରଖି ଭିତରକୁ ଯାଇଥିଲେ। ସେଠାରେ କିଛି ଲୋକ ଉପସ୍ଥିତ ଥିଲେ ହେଁ ପ୍ରକାଶ ବଡ଼ ଚତୁରତାର ସହ ଏକ ନକଲି ଚାବିରେ ବୁଲେଟ୍‌ ଷ୍ଟାର୍ଟ କରି ଚମ୍ପଟ ମାରିଥିଲା। ଏ ସଂପର୍କରେ ଜଣେ ବ୍ୟକ୍ତିଙ୍କ ସନ୍ଦେହ ହେବାରୁ ସେ ମେଡିସିନ୍‌ ଷ୍ଟୋର୍‌ ଭିତରକୁ ଯାଇ ରତିକାନ୍ତଙ୍କୁ ବୁଲେଟ୍‌ ଚୋରି ବାବଦରେ କହିଲେ। ସଙ୍ଗେ ସଙ୍ଗେ ଉପସ୍ଥିତ ଲୋକେ ଖଣ୍ଡଗିରି ଥାନାକୁ ଜଣାଇବା ସହ ଚୋରକୁ ପିଛା କରିଥିଲେ। ଧୂର୍ତ୍ତ ପ୍ରକାଶ ବୁଲେଟ୍‌ ନେଇ ଆଇଗିଣିଆ ଆଳୁଗଦି ଦିଗରେ ପଳାଉଥିବା ବେଳେ ଲୋକେ ତାକୁ ପିଛା କରି କାବୁ କରି ନେଇଥିଲେ। ବହେ ‌ଛେଚା ଖାଇବା ପରେ ଲୋକେ ଖଣ୍ଡଗିରି ଥାନା ପୁଲିସ ଜିମା ଦେଇଛନ୍ତି। ପ୍ରକାଶ ଜଣେ କୁଖ୍ୟାତ ବାଇକ୍‌ ଚୋର ବୋଲି ଜଣାଯାଇଛି।

୨ ମୋବାଇଲ୍‌ ଲୁଟେରା ଗିରଫ

ଖଣ୍ଡଗିରି : ଜନଗହଳିପୂର୍ଣ ରୁଚିକା ହାଟରୁ ମୋବାଇଲ୍‌ ଝାମ୍ପି ଚମ୍ପଟ ମାରୁଥିବା ବେଳେ ଧରା ପଡ଼ିଛନ୍ତି ଦୁଇ ‌ଚୋର। ସେମାନେ ହେଲେ, ୟୁନିଟ୍-୬ ପିଚୁ ବସ୍ତିର ପୂର୍ଣ୍ଣଚନ୍ଦ୍ର ସାହୁ(୨୮) ଓ ଅନ୍ୟ ଜଣେ ନାବାଳକ। ପୁଲିସ ସେମାନଙ୍କଠାରୁ ଏକ ବାଇକ୍‌ ଓ ଚୋରି ମୋବାଇଲ୍‌ ଜବତ କରିଛି। ସୋମବାର ରୁଚିକା ମାର୍କେଟ୍‌ରେ ସନ୍ଧ୍ୟା ପ୍ରାୟ ୭ଟା ବେଳେ ବରମୁଣ୍ଡା ହାଉସିଂ ବୋର୍ଡ କଲୋନିର ରାଜୀବ କୁମାର ସାହୁ ପରିବା କିଣୁଥିଲେ। ଗହଳି ଭିତରେ ନାବାଳକଜଣଙ୍କ ରାଜୀବଙ୍କ ମୋବାଇଲ୍‌ ଝାମ୍ପି ନେଇ ପଳାଇଥିଲା ଓ ବାଇକ୍‌ ଧରି ଅପେକ୍ଷା କରିଥିବା ପୂର୍ଣ୍ଣ ତାକୁ ନେଇ ସେଠାରୁ ଖସି ପଳାଇବାକୁ ବସିଥିଲା। ମାତ୍ର ଲୋକମାନେ ସେମାନଙ୍କୁ କାବୁ କରି ନେଇ ବହେ ଉତ୍ତମ ମଧ୍ୟମ ଦେଇ ପୁଲିସ ଜିମା ଦେଇଥିଲେ।

ସମ୍ବନ୍ଧିତ ଖବର