ଖଣ୍ଡଗିରି : ସ୍ଥାନୀୟ ଅଞ୍ଚଳରେ ଛିନ୍ତାଇ କରି ଖସି ଯାଉଥିବା କୁଖ୍ୟାତ୍ ରାଜୁ-ରହିମ୍ ଗ୍ୟାଙ୍ଗ୍ ଶେଷରେ ଲୋକଙ୍କ ହାତରେ ନିର୍ଧୁମ୍ ଛେଚା ଖାଇଛନ୍ତି। ଖଣ୍ଡଗିରି ଥାନା ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଯଦୁପୁର ଅଞ୍ଚଳର ଶେଖ୍ ରାଜୁ(୨୫), ଶେଖ୍ ରହିମ୍(୧୯) ଓ ଡୁମୁଡୁମା ପାଲାମଣ୍ଡପ ନିକଟରେ ରହୁଥିବା ସ୍ବାଧୀନ ସ୍ବାଇଁ(୨୧)। ରାଜୁ-ରହିମ୍ ଗ୍ୟାଙ୍ଗ୍ରେ ସ୍ବାଧୀନ ଜଣେ ନୂଆ ସଦସ୍ୟ ବୋଲି ଜଣାପଡ଼ିଛି। ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ପୁଲିସ ସୂଚନାନୁସାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟାରେ ତମାଣ୍ଡୋରେ ରହୁଥିବା ଜଗତସିଂହପୁର କୁଜଙ୍ଗ ଅଞ୍ଚଳର ପଦ୍ମନାଭ ମିଶ୍ର ପାତ୍ରପଡ଼ା ମାର୍କେଟ୍ କମ୍ପ୍ଲେକ୍ସରୁ କିଣାକିଣି କରି ବାହାରୁଥିଲେ। ଏତିକିବେଳେ ଏକ ବାଇକ୍ରେ ଥିବା ୩ ଅଭିଯୁକ୍ତ ତାଙ୍କ ଉପରକୁ ପାନ ଛେପ ପକାଇଥିଲେ। ପ୍ରତିବାଦ କରିବାରୁ ସେମାନେ ପଦ୍ମନାଭଙ୍କ ସହ ଗଣ୍ଡଗୋଳ କରିଥିଲେ ଓ ତାଙ୍କୁ ମାଡ଼ ମାରିବା ଭିତରେ ତାଙ୍କ ପକେଟ୍ରୁ ପର୍ସ ନେଇ ଚମ୍ପଟ ମାରିଥିଲେ। ପର୍ସରେ ୫ ହଜାର ଟଙ୍କା ଥିଲା। ପରେ ସେ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପାତ୍ରପଡ଼ାରୁ ଲୁଟ୍ କରି ସାରି ୩ ଅଭିଯୁକ୍ତ ରାତି ପ୍ରାୟ ୯ଟା ବେଳେ ଡୁମୁଡୁମା ରଘୁନାଥନଗର ଅଟୋଷ୍ଟାଣ୍ଡ ନିକଟରେ ଜଣେ ବ୍ୟକ୍ତିଙ୍କୁ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରି ବହେ ଛେଚିବା ପରେ ଖଣ୍ଡଗିରି ଥାନା ପୁଲିସ ଜିମା ଦେଇଥିଲେ। ପୁଲିସଠାରୁ ଖବର ପାଇ ପଦ୍ମନାଭ ଥାନାକୁ ଆସି ୩ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ। ପୁଲିସ ସେମାନଙ୍କଠାରୁ ତାଙ୍କ ଟଙ୍କା ଉଦ୍ଧାର କରିଥିଲା। ରାଜୁ ଓ ରହିମ୍ ନାଁରେ ବହୁ ଅପରାଧିକ ମାମଲା ରହିଛି ବୋଲି ପୁଲିସ କହିଛି।