ଭୁବନେଶ୍ବର : ଗୋଟିଏ ଫୁଙ୍କାରେ ଟଙ୍କା ଦୁଇଗୁଣା ହୋଇଯିବ। ୫ଲକ୍ଷ ଟଙ୍କା ଦେଲେ ୧୦ ଲକ୍ଷ ମିଳିବ। ଏଭଳି ପ୍ରଲୋଭନ ଦେଖାଇ ୫ଲକ୍ଷ ଟଙ୍କା ଲୁଟୁଥିବା ଦୁଇ ଧୂର୍ତ୍ତଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ। ସେମାନେ ହେଲେ, ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା କାଙ୍କୁଆ ଥାନା ନନ୍ଦନପୁରର ପ୍ରଦୀପ ମାଇତି ଓ ବୁଦ୍ଧେଶ୍ବରୀ ପୁରୁଣା ପୋଷ୍ଟ ଅଫିସ ଲେନ୍ରେ ରହୁଥିବା ଯାଜପୁର ବିଞ୍ଝାରପୁର ରୁଦ୍ରପୁରର ରାଜେନ୍ଦ୍ର ଦାସ। ଉପରେ କିଛି ଅସଲି ନୋଟ୍ ରଖି ଭିତରେ ନୋଟ୍ ଆକାରର ଧଳା କାଗଜ ଦେଇ ଲୋକଙ୍କୁ ଠକୁଥିବା ଅଭିଯୁକ୍ତଦ୍ବୟ ପୁଲିସ୍ ଆଗରେ ସ୍ବୀକାର କରିଛନ୍ତି। ସେମାନଙ୍କଠାରୁ ନୋଟ୍ ଆକାରରେ ଥିବା ହଜାରେ ଖଣ୍ଡ କାଗଜ ଜବତ କରାଯାଇଛି। ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି। ବଡ଼ଗଡ଼ ଥାନାରେ ମଧ୍ୟ ଏମାନଙ୍କ ନାମରେ ଏଭଳି ଏକ ମାମଲା ଥିବା ଜଣାଯାଇଛି।
ପୁଲିସ ସୂଚନା ମୁତାବକ, ରାଜେନ୍ଦ୍ର ଏଠାରେ ରହି ପାଣି ପାଇପ୍ କାମ କରେ। ପଶ୍ଚିମବଙ୍ଗରୁ ବିଭିନ୍ନ ସମୟରେ ଭୁବନେଶ୍ବର ଆସୁଥିବା ରାଜେନ୍ଦ୍ରର ପ୍ରଦୀପ ସହ ପରିଚୟ ହୋଇଥିଲା। ଉଭୟ ମିଶି ଏଭଳି ଠକିବା ପାଇଁ ଯୋଜନା କରିଥିଲେ। ରାଜଧାନୀବାସୀଙ୍କୁ ଏଭଳି ଠକିଲେ ଧରାପଡ଼ିବା ଭୟ ଥିବାରୁ ସେମାନେ ରାଜ୍ୟ ବାହାର ଲୋକଙ୍କୁ ଟାର୍ଗେଟ କରୁଥିଲେ। ବିଭିନ୍ନ ଫୋନ୍ ନମ୍ବର ଲଗାଇ ଅପରିଚିତ ଲୋକଙ୍କୁ କେବଳ ଫୁଙ୍କି ଦେଲେ ଟଙ୍କା ଦୁଇଗୁଣ ହୋଇଯିବ ବୋଲି କହୁଥିଲେ।
ମନଇଚ୍ଛା ନମ୍ବର ଲଗାଉ ଲଗାଉ ସପ୍ତାହ ତଳେ ଏମାନଙ୍କ ଫୋନ୍ ଝାଡ଼ଖଣ୍ଡ ରାଞ୍ଚି ପ୍ରେମନଗରର ରୋହିତ ବର୍ମାଙ୍କ ପାଖରେ ଲାଗିଥିଲା। ପ୍ରଥମେ ବିଶ୍ବାସ ନ କରି ଫୋନ୍ କାଟି ଦେଇଥିଲେ ମଧ୍ୟ ପରେ ସେ ଫୋନ୍ ଲଗାଇ ସବୁ ବୁଝିଥିଲେ। ଆଜି ରୋହିତ ୫ଲକ୍ଷ ଟଙ୍କା ନେଇ ଭୁବନେଶ୍ବର ଆସିଥିଲେ। ପୁରୁଣା ପୋଷ୍ଟ ଅଫିସ୍ ଲେନ୍ରେ ରହୁଥିବା ରାଜେନ୍ଦ୍ରଙ୍କ ଘରେ ଏହି କାରବାର ହେଉଥିଲା। ଉପରେ ଅସଲି ନୋଟ୍ ରହିଥିବା ବେଳେ ଭିତରେ କାଗଜ ରହିଥିଲା। ରୋହିତଙ୍କୁ ଗୋଟି ଗୋଟି କରି ଗଣିବା କିମ୍ବା ଦେଖିବା ପାଇଁ ସୁଯୋଗ ଦିଆଯାଇ ନଥିଲା। କେବଳ ଉପରୁ ନୋଟ୍ ବଣ୍ଡଲ ଗଣି ବ୍ୟାଗ୍ରେ ପୂରାଇବାକୁ କୁହାଯାଇଥିଲା। କିନ୍ତୁ ରୋହିତ ଗଣିବା ପାଇଁ ଜିଦ୍ ଧରିବାରୁ ହାତାହାତି ପରିସ୍ଥିତି ଉପୁଜିଥିଲା। ଏଭଳି ସ୍ଥିତି ଦେଖି କେହି ଜଣେ ପୁଲିସକୁ ଫୋନ୍ କରିଥିଲା। ଲକ୍ଷ୍ମୀସାଗର ଥାନା ଇନ୍ସ୍ପେକ୍ଟର ଦୟାନିଧି ନାୟକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଦ୍ବୟଙ୍କୁ ଗିରଫ କରିଥିଲେ।