ଧରାପଡ଼ିଲା ଧୂର୍ତ୍ତ ଗାଡ଼ି ଚୋର : ୧୬ ବାଇକ୍ ଜବତ, ଟେଷ୍ଟ ଡ୍ରାଇଭ୍‌ ଆଳରେ ଲୁଟୁଥିଲା

ଖଣ୍ଡଗିରି : ଟେଷ୍ଟ ଡ୍ରାଇଭ୍ ଆଳରେ ରାଜଧାନୀରୁ ବାଇକ୍‌ ଲୁଟୁଥିବା ଜଣେ ଧୂର୍ତ୍ତ ଲୁଟେରା କମିସନରେଟ୍‌ ପୁଲିସ ଜାଲରେ ଧରାପଡ଼ିଛି। ସେ ହେଲା ପୁରୁଣା ଭୁବନେଶ୍ବର ଲିଙ୍ଗରାଜ ଥାନା ମହତାବ ରୋଡ୍‌ରେ ରହୁଥିବା ଗଞ୍ଜାମ ଭଂଜନଗର ରଥ ସାହିର ଏସ୍‌. ଅମିତ୍‌ ପାତ୍ର, ଓରଫ୍ ଜଗୁ ଓରଫ୍ ଜିତୁ(୩୦)। ଜଗୁଠାରୁ ଚୋରା ବାଇକ୍‌ ନେଇ ଅନ୍ୟ ଗ୍ରାହକଙ୍କୁ ବିକ୍ରି କରୁଥିବା ନୟାଗଡ଼ ଦୁର୍ଗାପ୍ରସାଦ ଅଞ୍ଚଳରେ ଗ୍ୟାରେଜ୍‌ କରିଥିବା ମେକାନିକ୍ ଯୁଗଳ ଦଳେଇ(୩୯)କୁ ମଧ୍ୟ ଗିରଫ କରାଯାଇଛି। ଉଭୟଙ୍କୁ ଆଜି ଖଣ୍ଡଗିରି ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଉଭୟଙ୍କଠାରୁ ୧୬ଟି ଚୋରା ବାଇକ୍‌ ଜବତ କରାଯାଇଥିବା ପୁଲିସ କମିସନର ସତ୍ୟଜିତ୍ ମହାନ୍ତି ସୂଚନା ଦେଇଛନ୍ତି।

ଗତ କିଛି ମାସ ହେଲା ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ଟେଷ୍ଟ ଡ୍ରାଇଭ୍‌ ବାହାନାରେ ଜଣେ ଧୂର୍ତ୍ତ ବାଇକ୍‌ ଚୋରି କରି ଫେରାର୍ ହୋଇ ଯାଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଖଣ୍ଡଗିରି, ନୂଆପଲ୍ଲୀ, ଲିଙ୍ଗରାଜ ଥାନା ଓ କଟକ ମର୍କତନଗର ଆଦି ଥାନା ଅଞ୍ଚଳରୁ ଏଭଳି ଅଭିଯୋଗମାନ ଆସୁଥିଲା। ନୂଆପଲ୍ଲୀ ଥାନା ଅଞ୍ଚଳରୁ ଗତ ମାସ ୨୬ ଓ ୨୭ ତାରିଖରେ ଲଗାତର ଦୁଇ ଦୁଇଟି ମାମଲା ଆସିଥିଲା। ସେହିଭଳି ଖଣ୍ଡଗିରି ଗଣ୍ଡମୁଣ୍ଡା ଅଞ୍ଚଳରୁ ମଧ୍ୟ ଏକ ଅଭିଯୋଗ ହୋଇଥିଲା। ସ୍ପେସାଲ ସ୍କ୍ବାଡ୍‌ ଓ ଖଣ୍ଡଗିରି ଥାନା ପୁଲିସ ମିଳିତଭାବେ ଜଗୁକୁ ଧରିବା ପାଇଁ ଜାଲ ବିଛାଇଥିଲେ। ସିସିଟିଭି ଫୁଟେଜ୍‌ ଓ ମୋବାଇଲ୍‌ ନମ୍ବରକୁ ଟ୍ରାକିଂ କରି ପୁଲିସ ଜଗୁ ନିକଟରେ ପହଞ୍ଚି ପାରିଥିଲା। ଜଗୁ ପାଖରୁ ୭ଟି ବାଇକ୍‌ ଜବତ ହୋଇଥିବାବେଳେ ଗ୍ୟାରେଜ୍ ମେକାନିକ୍ ଯୁଗଳ ନିକଟରୁ ୯ଟି ବାଇକ୍‌ ଜବତ ହୋଇଥିଲା। ମାତ୍ର ସେ ପ୍ରାୟ ୩୦ରୁ ଅଧିକ ବାଇକ୍‌ ଲୁଟିଥିବା ସ୍ବୀକାର କରିଛି। ଗଞ୍ଜାମ, ବ୍ରହ୍ମପୁର, ଢେଙ୍କାନାଳ, କଟକ, ଜୟପୁର ଓ ରାଜଧାନୀରୁ ସେ ଏଭଳି ଗାଡ଼ି ଲୁଟି ବିକ୍ରି କରୁଥିଲା। ଲୁଟ୍‌ ଗାଡ଼ିକୁ ସେ ପ୍ରାୟ ୧୦ରୁ ୧୫ ହଜାର ଟଙ୍କାରେ ବିକୁଥିଲା। ମେକାନିକ୍ ଯୁଗଳ ପ୍ରତି ଗାଡ଼ି ପିଛା ବିକ୍ରି ଦରର ଅଧା ଦାମ୍ ପାଉଥିଲା ବୋଲି ପୁଲିସ କହିଛି। ଜଗୁ ନାମରେ ଖଣ୍ଡଗିରି, ଶ୍ରୀଲିଙ୍ଗରାଜ, ନୟାପଲ୍ଲୀ, ଲକ୍ଷ୍ମୀସାଗର, କଟକ ମର୍କତ ନଗର ଥାନାରେ ଏକାଧିକ ମାମଲା ରହିଛି।

ଜଗୁର ଲୁଟ୍‌ ତରିକା: ପୁରୁଣା ଗାଡ଼ି ବିକିବା ପାଇଁ ‌େଲାକେ ଓଏଲ୍‌ଏକ୍ସ ନାମକ କମ୍ପାନିରେ ବିଜ୍ଞାପନ ଦିଅନ୍ତି। ସେଥିରେ ବିକ୍ରେତାମାନେ ସେମାନଙ୍କ ଠିକଣା ଓ ଫୋନ୍ ନମ୍ବର ଦେଇଥାଆନ୍ତି। ଉକ୍ତ ଠିକଣାରେ ଜଗୁ ସେମାନଙ୍କ ନିକଟରେ ପହଞ୍ଚି ଗାଡ଼ି ଟେଷ୍ଟ ଡ୍ରାଇଭ୍ କରିବାକୁ କୁହେ। ତା’ପରେ ଗାଡ଼ି ନେଇ ଚମ୍ପଟ ମାରେ। ପରେ ସେ ଯୋଗାଯୋଗ କରିଥିବା ମୋବାଇଲ୍ ବହୁ ଦିନ ପର୍ଯ୍ୟନ୍ତ ସୁଇଚ୍ ଅଫ୍ ହୋଇଯାଏ। ଏମିତି ସେ ବହୁ ମୋବାଇଲ୍ ନମ୍ବର ବ୍ୟବହାର କରି ଲୋକଙ୍କୁ ଭୁଆଁ ବୁଲାଇବାରେ ସଫଳ ହେଉଥିଲା।

କେମିତି ଧରାପଡ଼ିଲା: ଗତ ଫେବ୍ରୁଆରି ମାସରେ ଗଣ୍ଡମୁଣ୍ଡାସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୁରୁଣା ଗାଡ଼ି ୟାର୍ଡ଼ରୁ ଜଗୁ ଏକ ବାଇକ୍‌ ଲୁଟି ନେଇଥିଲା। ବ୍ୟାଙ୍କ ଜବତ କରିଥିବା ଏକ ବାଇକ୍‌କୁ ବିକିବା ପାଇଁ ବ୍ୟାଙ୍କ ଅଧିକାରୀ ପରିତୋଷ ବେହେରା ଓଏଲଏକ୍ସରେ ବିଜ୍ଞାପନ ଦେଇଥିଲେ। ତେଣୁ ଜଗୁ ଅଧିକାରୀ ଶ୍ରୀ ବେହେରାଙ୍କୁ ଯୋଗାଯୋଗ କରିଥିଲା ଓ ଟେଷ୍ଟ ଡ୍ରାଇଭ୍ କରିବାକୁ କହି ଗାଡ଼ି ନେଇ ଛୁ’ ମାରିଥିଲା। ତେବେ ଜଗୁର ଫଟୋ ଉକ୍ତ ୟାର୍ଡରେ ଥିବା ସିସିଟିଭି ଫୁଟେଜ୍‌ରେ ରହି ଯାଇଥିଲା। ଏହାକୁ ଆଧାର କରି ପୁଲିସ ଜଗୁକୁ ଧରିବାରେ ସଫଳ ହୋଇଥିଲା। ଜଗୁକୁ ଧରିବା ପାଇଁ ପୁଲିସ ମଧ୍ୟ ଓଏଲ୍‌ଏକ୍ସରେ ଗାଡ଼ି ବିକିବା ପାଇଁ ବିଜ୍ଞାପନ ଦେଇ ଜାଲ ବିଛାଇଥିଲା। ପୁଲିସର ଚାଲ୍‌ ବୁଝି ନପାରି ସେ ଧରାପଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର