ଚନ୍ଦ୍ରଶେଖରପୁର : ଏଟିଏମ୍ରୁ ଟଙ୍କା ଉଠାଇବାବେଳେ ଜଣେ ମହିଳାଙ୍କ ହାତରୁ ୪୦ ହଜାର ଟଙ୍କା ଝାମ୍ପି ନେଇଥିବା ଜଣେ ଲୁଟେରାକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଛି। ନୀଳାଦ୍ରିବିହାର ଅଞ୍ଚଳର ଏକ ବସ୍ତିରୁ ଗିରଫ ହୋଇଥିବା ଏହି ଲୁଟେରା ହେଲା ଗୁଜୁରାଟର ରୂପେଶ ସୋଲାଙ୍କି(୩୩)। ୧୦ ଦିନର ଅପରେସନ୍ ପରେ ପୁଲିସ ରୂପେଶକୁ ଠାବ କରିଥିବା ବେଳେ ତା’ର ଅନ୍ୟ ଜଣେ ସହଯୋଗୀ ଫେରାର୍ ହୋଇଯାଇଛି। ଗତ ୬ ତାରିଖ ଦିନ ନୀଳାଦ୍ରିବିହାର ଅଞ୍ଚଳର ଏକ ଏଟିଏମ୍ରୁ ନିରୂପମା ସ୍ବାଇଁ ୪୦ ହଜାର ଟଙ୍କା ଉଠାଇଥିଲେ। ତାଙ୍କ ସହ ଥିବା ମାନସୀ ପାତ୍ର ଏହା ପରେ ଏଟିଏମ୍ରୁ ଟଙ୍କା ଉଠାଇବାକୁ ଭିତରକୁ ଯାଇଥିଲେ। ସେତିକିବେଳେ ରୂପେଶ ଓ ତା’ର ସହଯୋଗୀ ସେଠାରେ ଟଙ୍କା ଉଠାଇବା ବାହାନାରେ ଅପେକ୍ଷା କରିଥିଲେ। ନିରୂପମା ବାହାରକୁ ଆସିବା ମାତ୍ରେ ଦୁର୍ବୃତ୍ତଦ୍ବୟ ତାଙ୍କ ପର୍ସ ଝାମ୍ପି ନେଇ ପଳାଇଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଏଟିଏମ୍ ଭିତରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଫୁଟେଜ୍ ସଂଗ୍ରହ କରି ଲୁଟେରାଦ୍ବୟଙ୍କୁ ଖୋଜୁଥିଲା। ଏକ ସୂଚନା ଆଧାରରେ ଗତକାଲି ରାତିରେ ଉକ୍ତ ବସ୍ତିରେ ଚଢ଼ଉ କରି ରୂପେଶକୁ ଗିରଫ କରିଥିଲା।
ମହିଳାଙ୍କ ୨.୩୬ଲକ୍ଷ ଚଳୁ; ଠିକାଦାର ଛୁ’
ଚନ୍ଦ୍ରଶେଖରପୁର : ଗୃହ ନିର୍ମାଣ କରିବାକୁ ଜଣେ ଗରିବ ମହିଳାଙ୍କଠାରୁ ୨ ଲକ୍ଷ ୩୬ ହଜାର ଟଙ୍କା ନେଇ ଠକ ଠିକାଦାର ଛୁ’ ମାରିଛି। ଏନେଇ ଆଜି ମହିଳା ଜଣକ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ଠକେଇର ଶିକାର ହୋଇଥିବା ମହିଳା ହେଲେ ନୀଳାଦ୍ରିବିହାର ହରେକୃଷ୍ଣବସ୍ତିର ପ୍ରମିଳା ନାୟକ। ପୁଲିସ ଚାପର ବଶବର୍ତ୍ତୀ ହୋଇ ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ପ୍ରମିଳା ଅଭିଯୋଗ କରିଛନ୍ତି।
ପ୍ରମିଳାଙ୍କ ଅଭିଯୋଗ ଅନୁଯାୟୀ ସେ ପୁରୁଣା ବସ୍ତିରୁ ବିସ୍ଥାପିତ ହେବା ପରେ ବିଏମ୍ସିଠାରୁ ପାଇଥିବା ଜମିରେ ଏକ ଘର କରିବାକୁ ଠିକାଦାର ଅରୁଣ ପାତ୍ରଙ୍କୁ କହିଥିଲେ। ଘର କାମ ବାବଦରେ ସେ ଅରୁଣକୁ ୨ଲକ୍ଷ ୩୬ ହଜାର ଟଙ୍କା ଦେଇଥିଲେ। କିନ୍ତୁ ଅଳ୍ପ କିଛି କାମ କରି ଅରୁଣ ଲକ୍ଡାଉନ୍ ବାହାନାରେ କାମ ବନ୍ଦ କରିଦେଲେ। ଏହା ପରେ ସେ ଦିନ ଗଡ଼ାଇ ଚାଲିଲେ। ତେଣୁ ହିସାବପତ୍ର କରି ବାକି ଟଙ୍କା ଫେରାଇ ଦେବାକୁ ପ୍ରମିଳା ଜିଦ୍ କଲେ। ମାତ୍ର ଠିକାଦାର ଅରୁଣ କିଛି ଶୁଣିଲେ ନାହିଁ। ପ୍ରମିଳା ବସ୍ତି କମିଟି, ଯୁବକ ସଂଘରେ କଥା ପକାଇଲେ ବି କିଛି ଲାଭ ହେଲା ନାହିଁ। ଅରୁଣ କାହା କଥା ଶୁଣିଲେ ନାହିଁ। ତେଣୁ ପ୍ରମିଳା ଏବେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି।