ଭୁବନେଶ୍ବର : ଅକ୍ଟୋବର ମାସରେ କମିସନରେଟ୍ ପୁଲିସ ୧୭୭ ଜଣ ଚୋର, ଲୁଟେରାଙ୍କୁ ଗିରଫ କରିବା ସହ ବିପୁଳ ଚୋରି ସାମଗ୍ରୀ ଉଦ୍ଧାର କରିଛି ପୁଲିସ। ପ୍ରାୟ ୨ କେଜି ସୁନା ଅଳଙ୍କାର, ୨୬ ଗ୍ରାମ ରୁପା, ଲାପଟପ୍, ୧୪୪ ମୋବାଇଲ ଫୋନ୍, ୭୩ ଚୋରା ଗାଡ଼ି ଜବତ କରାଯାଇଛି। ୪ଟି ଏନଡିପିଏସ୍ ମାମଲା ରୁଜୁ ହୋଇଥିବା ବେଳେ ୧୦ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି। ୫୧୪ ଗ୍ରାମ ବ୍ରାଉନସୁଗାର , ୨୮ କେଜି ଗଞ୍ଜେଇ ଓ ୧୭ ହଜାର ୯୩୦ ଟଙ୍କା ମଧ୍ୟ ଜବତ ହୋଇଛି। ଗୋଟିଏ ଚୋରି ହୋଇଥିବା ବନ୍ଧୁକ ପୁଲିସ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ୧୨ ଜଣଙ୍କୁ ସିଆର୍ପିସି ଦଫା-୧୧୦ରେ ଗିରଫ କରାଯାଇଛି। ଚୋରି, ଲୁଟ୍ ଭଳି ମାମଲାର ତଦନ୍ତ ପାଇଁ ଉଦ୍ଦିଷ୍ଟ ପିଓପିଡି ଟିମ୍ର ସଫଳତା ବୋଲି ଡିସିପିଙ୍କ କାର୍ଯ୍ୟାଳୟରୁ କୁହାଯାଇଛି।
ଦୁଇ ଫେରାର୍ ବ୍ରାଉନ୍ସୁଗାର ବ୍ୟବସାୟୀ ଗିରଫ
ଭୁବନେଶ୍ବର : ଫେରାର୍ ହେବାର ଦୁଇମାସ ପରେ ସହିଦନଗର ଥାନା ପୁଲିସ ଦୁଇ ବ୍ରାଉନ୍ ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲେ ବେଗୁନିଆ ଯଦୁପୁର ଅଞ୍ଚଳର ସେକ୍ ନୁରଉଦ୍ଦିନ୍ ଓରଫ ନୁର(୩୯) ଓ ରମାକାନ୍ତ ଜେନା ଓରଫ ଶିବ(୨୯)। ଗତ ଅଗଷ୍ଟ ୧୩ ତାରିଖରେ ଶାନ୍ତିପଲ୍ଲୀ ବସ୍ତି ଅଞ୍ଚଳରେ ନୁର, ଶିବ ଏବଂ ସେମାନଙ୍କର ଆଉ ୭ସହଯୋଗୀ ବ୍ରାଉନ୍ସୁଗାର କାରବାର କଲାବେଳେ ସହିଦନଗର ଥାନା ପୁଲିସ ଚଢ଼ାଉ କରିଥିଲା। ତେବେ ପୁଲିସ ସେଠାରୁ ରଂଜନ ନାୟକ, ସୁରେଶ ମହାରଣା, ଗଣେଶ ପ୍ରଧାନ ଏବଂ ଛବି ଭୋଇକୁ ଗିରଫ କରିଥିଲେ ମଧ୍ୟ ଶିବ ଓ ନୁର ଫେରାର ହୋଇ ଯାଇଥିଲେ। ସେମାନଙ୍କଠାରୁ ୨୬୦ ଗ୍ରାମ ଓଜନର ବ୍ରାଉନ୍ସୁଗାର, ୫୧ହଜାର ନଗଦ ଟଙ୍କା ଏବଂ ୨ଟି ବାଇକ୍ ଜବତ କରିଥିଲା। ପରେ ପୁଲିସ ଆଉ ଦୁଇ ଜଣଙ୍କୁ ଗିରଫ କରିଥିଲା। ଆଜି ପୁଲିସ ନୁର ଓ ଶିବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀଙ୍କୁ ନିଶା ଦେଇ ଲୁଟ୍
ଭୁବନେଶ୍ବର : ରାଜଧାନୀରେ ପୁଣି ମାତିଲେ ନିଶାଦିଆ ଲୁଟେରା। ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀଙ୍କୁ ନିଶା ଦେଇ ଲୁଟିଲେ। ଅଚେତ ଅବସ୍ଥାରେ ପଡ଼ିଥିବା ଯାତ୍ରୀଙ୍କୁ ଗତକାଲି ବିଳମ୍ବିତ ରାତିରେ ପୁଲିସ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ତାଙ୍କର ପରିଚୟ ମିଳି ନ ଥିବା ବେଳେ ପ୍ୟାଣ୍ଟ ପକେଟରୁ ମାଲକାନଗିରିକୁ ଯିବା ପାଇଁ ସେ ଏକ ଘରୋଇ ବସ୍ରେ କାଟିଥିବା ଟିକଟ ଜବତ କରିଛି ପୁଲିସ। ତେଣୁ ସେ ମାଲକାନଗିରି ଜିଲ୍ଲାର ହୋଇଥିବା ସନ୍ଦେହ କରାଯାଉଛି। ଲୁଟେରାମାନେ ତାଙ୍କ ସହ ବନ୍ଧୁତା କରି ତାଙ୍କୁ ଚା କିମ୍ବା ଅମୁଲ କୁଲ୍ରେ ନିଶା ଦେଇ ଏଭଳି ଲୁଟ୍ କରିଥିବା ଅନୁମାନ କରୁଛି ପୁଲିସ।