ଭୁବନେଶ୍ବର : ଗୋଟିଏ ରାତିରେ ଦୁଇ ଦୁଇଟି ସୋ’ରୁମ୍‌ ସଟର୍‌ କାଟି ଲୁଟ୍‌ ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ଜଣେ ଲୁଟେରାକୁ ଗିରଫ କରିଛି। ସେ ହେଲା ସହିଦନଗର ଭୋଇନଗର ବସ୍ତିର ଲୁଲୁ ବଳ(୩୦)। ପୁଲିସ ତା’ଠାରୁ କେତେକ ସାନିଟାରି ଫିଟିଙ୍ଗ୍ସ ଜବତ କରିଛି।

Advertisment

ସୂଚନା ମୁତାବକ, ଶନିବାର ରାତି ପ୍ରାୟ ୧ଟାରେ ଲୁଲୁ ମଞ୍ଚେଶ୍ବର ୱାର୍ଲ୍ଡ ସେଣ୍ଟର୍‌ ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ୍‌ ସମ୍ମୁଖରେ ଥିବା ରମେଶ ଚନ୍ଦ୍ର ଗୁପ୍ତାଙ୍କ ପିପୁଲ୍ସ ହୋଟେଲ୍‌ରୁ ସାନିଟାରି ଫିଟିଙ୍ଗ୍ସ ଚୋରି କରି ନେଇଥିଲା। ସେହିପରି ରାତି ପାଖାପାଖି ସାଢ଼େ ୩ଟାରେ କେଳୁଚରଣ ପାର୍କ ନିକଟରେ ଥିବା ଶ୍ୟାମଚନ୍ଦ୍ର ପଣ୍ଡାଙ୍କ ଦୋକାନ ଭାଙ୍ଗି ପାଇପ୍‌, ସାନିଟାରି ଫିଟିଙ୍ଗ୍ସ ନେଇଯାଇଥିଲା। ଏନେଇ ଥାନାରେ ଦୁଇଟି ଅଭିଯୋଗ ପରେ ପୁଲିସ ପୃଥକ୍‌ ପୃଥକ୍‌ ମମାଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ସିସିଟିଭି ଫୁଟେଜ୍‌ରୁ ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରି ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ତାକୁ ଗିରଫ କରିବା ସହ ଚୋରି ଜିନିଷ ଜବତ କରିଥିଲା। ଥାନାକୁ ନେଇ ପଚରାଉଚରା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।

ନିଶା ଦେଇ ଛାତ୍ରଙ୍କୁ ଲୁଟ୍‌

ଭୁବନେଶ୍ବର : ଶନିବାର ବିଳମ୍ବିତ ରାତିରେ ଜଣେ ଇଂଜିନିୟରିଂ ଛାତ୍ରଙ୍କୁ ନିଶା ଦେଇ ଲୁଟିଛି ‌ଅଟୋଚାଳକ। ଏନେଇ ଜଟଣୀ ଥାନାରେ ଅଭିଯୋଗ ହୋଇଛି। ଲୁଟ୍‌ର ଶିକାର ଛାତ୍ର ହେଉଛନ୍ତି ବାଲେଶ୍ବରର ଶ୍ରୀନିବାସ ପାତ୍ର(୨୧)। ଅଟୋଚାଳକ ତାଙ୍କ ପାଖରୁ ଲାପଟପ୍, ମୋବାଇଲ୍ ଓ ଟଙ୍କା ଲୁଟି ନେଇଥିବା ସେ କହିଛନ୍ତି। ଗତକାଲି ଶ୍ରୀନିବାସ ବାଲେଶ୍ବରରୁ ବସ୍‌ରେ ଭୁବନେଶ୍ବର ଆସିଥିଲେ। ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଓହ୍ଲାଇ ସେ ଜଟଣୀସ୍ଥିତ ଭଡ଼ାଘରକୁ ଯିବା ପାଇଁ ଅଟୋକୁ ଅପେକ୍ଷା କରିଥିଲେ। ଏହି ସମୟରେ ଜଣେ ଅଟୋଚାଳକ ଜଟଣୀ ଯାଉଥିବା କହି ତାଙ୍କୁ ଅଟୋରେ ବସିବାକୁ କହିଥିଲା। କିଛି ସମୟ ପରେ ଅଟୋ ଚାଳକ ତାଙ୍କୁ ଏକ ଜଳଖିଆ ପୁଡ଼ିଆ ଖାଇବାକୁ ଦେଇଥିଲା। ସେ ଖାଇବା ପରେ ଅଚେତ ହୋଇଯାଇଥିଲେ। ଚେତା ଫେରିବା ବେଳକୁ ଯାଁଳା ପେଟ୍ରୋଲ ପମ୍ପ ନିକଟସ୍ଥ ଏକ ଆପାର୍ଟମେଣ୍ଟ ପାଖରେ ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଘଟଣା ସଂପର୍କରେ ପରିବାରଲୋକଙ୍କୁ ଜଣାଇବା ସହିତ ଜଟଣୀ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଯାଁଳା ଫାଣ୍ଡି ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।