କୁଖ୍ୟାତ ରବି-ରାଜା ଯୋଡ଼ି ଗିରଫ, ୮ ବାଇକ୍ ଓ ୮ ମୋବାଇଲ ଜବତ

ଭୁବନେଶ୍ବର : କୁଖ୍ୟାତ ଲୁଟେରା ରବି ଓ ରାଜା ଯୋଡ଼ିକୁ ଗିରଫ କରିଛି ନୂଆପଲ୍ଲୀ ଥାନା ପୁଲିସ। ସେମାନଙ୍କ ଠାରୁ ୮ଟି ବାଇକ୍ ଓ ୮ଟି ମୋବାଇଲ୍ ଜବତ କରାଯାଇଛି। ସେମାନଙ୍କଠାରୁ ଚୋରା ବାଇକ୍ କିଣିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଡୁମୁଡୁମାର ସାଵନ ଶତପଥୀ, ଖୋର୍ଦ୍ଧାର ସୁଶୀଲ ବେହେରା ଓ ସାଲିଆସାହିର ମନୋରଂଜନ ତରାଇ। ସମସ୍ତ ୫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।

ସୂଚନାନୁସାରେ ରବି ଓ ରାଜା ଗତ ଜାନୁଆରି ମାସରେ କଟକ ମାଲ୍‌ଗୋଦାମ ଥାନା ପୁଲିସ ହାତରେ ଧରାପଡ଼ିଥିଲେ ଓ ସେମାନଙ୍କ ଠାରୁ ୫୦ରୁ ଅଧିକ ବାଇକ୍ ଜବତ କରାଯାଇଥିଲା। ୬ମାସ କାଳ ଚୌଦ୍ବାର ଜେଲ୍‌ରେ ରହିବା ପରେ ସେମାନେ ଗତ ଜୁଲାଇରେ ଜାମିନରେ ଆସିଥିଲେ। ଏହା ପରେ ସେମାନେ ରାଜଧାନୀକୁ ଟାର୍ଗେଟ କରିଥିଲେ। ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରୁ ବାଇକ୍, ସ୍କୁଟି ଓ ଫୋନ୍ ଲୁଟି ନେଉଥିଲେ। ବାଇକ୍‌ଗୁଡ଼ିକ ନୟାଗଡ଼, ଢେଙ୍କାନାଳ ଓ ଗଂଜାମ ଆଦି ଅଞ୍ଚଳରେ ବିକ୍ରି କରୁଥିଲେ। ବେଳେବେଳେ ବାଇକ୍ ବନ୍ଧକ ରଖି ଟଙ୍କା ଆଣୁଥିଲେ। ଉଭୟଙ୍କ ନାଁରେ କମିସନରେଟ୍ ପୁଲିସର ବିଭିନ୍ନ ଥାନାରେ ୨୦ରୁ ଅଧିକ ଲୁଟ୍‌ ମାମଲା ରହିଛି।

ସମ୍ବନ୍ଧିତ ଖବର