ଭୁବନେଶ୍ବର : ଭୁବନେଶ୍ବର ଷ୍ଟେସନ୍ରୁ ୪ଜଣ ଲୁଟେରାଙ୍କୁ ଆଜି ରେଳବାଇ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ, ଖୋର୍ଧା ଜିଲ୍ଲା ବାଣପୁରର ମହେଶ୍ବର ମିଶ୍ର, ବ୍ରହ୍ମୁପର ଇଛାପୁରର ଶୁଭ୍ରମ ବେହେରା, ବାଲୁଗାଁର କାହ୍ନା ନାୟକ, ଜଗତସିଂହପୁର ବାଲିକୁଦାର ପୀତବାସ ପାତ୍ର। ପୁଲିସ ଏମାନଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ କରିଛି। ରେଳବାଇ ଥାନା ଇନ୍ସପେକ୍ଟର ଭରତ ସାହୁଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଏହି ୪ଜଣ ଯାକ ଗତ କିଛି ଦିନ ହେବ ଷ୍ଟେସନ୍ ଅଞ୍ଚଳରେ ଯାତ୍ରୀଙ୍କଠାରୁ ଲୁଟପାଟ କରୁଥିଲେ। ଏନେଇ ରେଳବାଇ ଥାନାରେ ଅଭିଯୋଗ ହେବା ପରେ ଷ୍ଟେସନରେ ଲାଗିଥିବା ସିସି କ୍ୟାମେରାରୁ ପୁଲିସ ସେମାନଙ୍କୁ ଚିହ୍ନଟ କରିଥିଲା। ଆଜି ଏହି ୪ଜଣ ପଶ୍ଚିମବଙ୍ଗ ମେଦିନାପୁରର ସତ୍ୟରଂଜନ ଗୋରାଇ ଓ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଞ୍ଚଳର ରଂଜନ କୁମାର ମଲ୍ଲିକଙ୍କଠାରୁ ଲୁଟପାଟ୍ କରିଥିଲେ। ଏନେଇ ଦୁହେଁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦୁଇଟି ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି।
୨୬ ଗ୍ରାମ୍ ବ୍ରାଉନ୍ସୁଗାର ଜବତ, ୪ ଗିରଫ
ଭୁବନେଶ୍ବର : ମଞ୍ଚେଶ୍ବର ଓ ନୂଆପଲ୍ଲୀ ଥାନା ପୁଲିସ ପୃଥକ୍ ପୃଥକ୍ ସ୍ଥାନରୁ ମୋଟ ୪ଜଣ ନିଶାବେପାରୀଙ୍କୁ ଗିରଫ କରିବା ସହ ୨୬ଗ୍ରାମ୍ ବ୍ରାଉନସୁଗାର ଜବତ କରିଛନ୍ତି। ମଞ୍ଚେଶ୍ବର ଥାନା ପୁଲିସ ଗିରଫ କରିଥିବା ନିଶାବେପାରୀ ହେଲା, ଦୀପକ ସାହୁ( ୩୫)। ଘର ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ଗ୍ରାମରେ। ଏଠାରେ ସେ ଭୋଟପଡ଼ାରେ ଘର ଭଡ଼ା ନେଇ ରହୁଥିଲା। ପୁଲିସ୍ ତା’ ନିକଟରୁ ୧୧ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ପଳାସୁଣୀ ଆଖଣ୍ଡଳମଣୀ ମନ୍ଦିର ନିକଟରୁ ଗତକାଲି ତାକୁ ଗିରଫ କରାଯାଇଥିଲା। ସେହିଭଳି ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଥିବା ଅଭିଯୁକ୍ତମାନେ ହେଲେ, ସନ୍ତୋଷ ମହାରଣା, ରଶ୍ମି ବାରିକ ଓ ମହମ୍ମଦ ସକବର୍। ସେମାନଙ୍କ ନିକଟରୁ ମୋଟ ୧୫ ଗ୍ରାମ୍ର ବ୍ରାଉନସୁଗାର ଜବତ ହୋଇଛି।
ଜନ୍ଦା-ସିଲୁ ଯୋଡ଼ି ଗିରଫ
ଖଣ୍ଡଗିରି : ଚୋରି ଅଭିଯୋଗରେ ଶୁକ୍ରବାର ଖଣ୍ଡଗିରି ଥାନା ପୁଲିସ ଭରତପୁରର ଜନ୍ଦା-ସିଲୁ ଯୋଡ଼ିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। କୃଷ୍ଣପ୍ରିୟା ନାହାକଙ୍କ ଘରୁ ପ୍ରାୟ ୯ ହଜାର ଟଙ୍କା, କିଛି ଗହଣା ଓ ଗ୍ୟାସ୍ ସିଲିଣ୍ଡର ଚୋରି କରିଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି। ପୁଲିସ ସେମାନଙ୍କଠାରୁ ଏକ ରୁପା ବ୍ରେସ୍ଲେଟ୍ ଓ ଏଚ୍ପି ଗ୍ୟାସ୍ ସିଲିଣ୍ଡର ଜବତ କରିଛି। ସୂଚନାନୁସାରେ ଗତ ମାସ ୧୩ ତାରିଖ ରାତିରେ କୃଷ୍ଣପ୍ରିୟାଙ୍କ ପରିବାର ସୁନାବେଶ ଦେଖିବା ପାଇଁ ପୁରୀ ଯାଇଥିଲେ। ରାତିରେ ଘରେ କେହି ନଥିବାର ସୁଯୋଗରେ ଭରତପୁରସ୍ଥିତ ହରପାର୍ବତୀ ବସ୍ତିର ସିଲୁ ନାଏକ ଓ ୟୁନିଟ୍୬ ବସ୍ତିର ଜନ୍ଦା ଓରଫ୍ ରଞ୍ଜନ ନାଏକ ଉକ୍ତ ଘରର ଗେଟ୍ ଓ କବାଟ ତାଲା ଭାଙ୍ଗି ଭିତରେ ପଶିବା ପରେ ଲୁଟ୍ପାଟ୍ କରିଥିଲେ।