ଖଣ୍ଡଗିରି : ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟାବେଳେ ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ବଜାର ନିକଟରେ ହାଇୱେ ଲୁଟେରାମାନେ ଜଣେ ସ୍ଥାନୀୟ ଯୁବକଙ୍କୁ ଚାପଡ଼ରେ ହାଣି ଲହୁଲୁହାଣ କରିଛନ୍ତି। ଦୁର୍ବୃତ୍ତମାନଙ୍କ ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ମୁଣ୍ଡମୁହାଁଣ ଗ୍ରାମ‌େଶ୍ବରନଗରର ସୁଶାନ୍ତ ପଦପଙ୍କଜ ନାୟକ ଓରଫ୍ ବୁବୁ(୪୨)। ବାଇକ୍‌ ଛଡ଼ାଇ ନେବାକୁ ଉଦ୍ୟମ କଲାବେଳେ ବୁବୁ ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି। ଜୋନ୍‌-୩ ଏସିପି ଯାଁଳା ଫାଣ୍ଡି ପୁଲିସ ଓ ଜଟଣୀ ଥାନା ପୁଲିସ ମାମଲାର ଛାନ୍‌ଭିନ୍ ଜାରି ରଖିଥିଲେ ବି ଦୁର୍ବୃତ୍ତମାନଙ୍କ ପତ୍ତା ପାଇ ନଥିବା ଜଣାପଡ଼ିଛି। ସବୁଦିନ ଭଳି ନିଜ ବ୍ୟବସାୟ ଦେଖାଶୁଣା କରି ବୁବୁ ଘରକୁ ଫେରୁଥିଲେ। ଯାଁଳା ବଜାରରୁ ୧୬ ନମ୍ବର ଜାତୀୟ ରାଜପଥ ଦେଇ ସେ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଭୁବନେଶ୍ବରରୁ ଖୋର୍ଧା ଦିଗରେ ଯାଉଥିବା ୩ଟି ବାଇକ୍‌ ହଠାତ୍ ତାଙ୍କ ନିକଟରେ ଅଟକି ଯାଇଥିଲା ଓ ୬ ଜଣ ଦୁର୍ବୃତ୍ତ ତାଙ୍କୁ ଘେରି ଯାଇଥିଲେ। ବୁବୁ କିଛି ବୁଝିବା ପୂର୍ବରୁ ହଠାତ୍ ଜଣେ ଏକ ଶକ୍ତ ଚାପୁଡ଼ା ମାରିଥିଲା ଓ ପର୍ସ ବାହାର କରିବାକୁ ନିର୍ଦେଶ ଦେଇଥିଲା। ସ୍ଥାନୀୟ ଯୁବକ ହୋଇଥିବାରୁ ବୁବୁ ଚାପୁଡ଼ାକୁ ସହଜରେ ଗ୍ରହଣ କରିପାରି ନଥିଲେ। ତେଣୁ ସେ ବାଇକ୍‌ରୁ ଓହ୍ଲାଇବା ପୂର୍ବରୁ ଚାବିକୁ ବାହାର କରି ଦୂରକୁ ଫିଙ୍ଗି ଦେଇଥିଲେ ଓ ଚାପୁଡ଼ା ମାରିଥିବା ଦୁର୍ବୃତ୍ତକୁ ପାଲଟା ଚାପୁଡ଼ା ମାରିଥିଲେ। ବୁବୁଙ୍କ ପ୍ରତି ଆକ୍ରମଣ ଦେଖି ଦୁର୍ବୃତ୍ତମାନେ ଦୁଇଟି ଚାପଡ଼ରେ ତାଙ୍କୁ ହାଣି ପକାଇଥିଲେ। ବୁବୁ ହାତ ଦେଖାଇବାରୁ ଜଣେ ଦୁର୍ବୃତ୍ତ ତାଙ୍କ କାନ୍ଧକୁ ଦୁଇ ଚୋଟ ପକାଇଥିଲା। ବୁବୁଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ସେମାନେ ଫେରାର୍ ହୋଇ ସାରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଖଣ୍ଡଗିରିରୁ ଗଙ୍ଗପଡ଼ା ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥ ପୂର୍ବରୁ ଦୁର୍ଘଟଣା ପ୍ରବଣଭାବେ ଜଣାଶୁଣା ଥିଲା। ଏବେ କିନ୍ତୁ କିଛି ବର୍ଷ ହେବ ଏହି ଅଞ୍ଚଳ ହାଇୱେ ଲୁଟେରାଙ୍କ ଆଡ଼ା ପାଲଟିଛି। ଗତ ୨୭ ତାରିଖରେ ଗଙ୍ଗପଡ଼ା ପୁରୁଣା ଟୋଲ୍ ଗେଟ୍‌ ନିକଟରୁ ଆସ୍କାର ଚିଣ୍ଟୁ ଜେନା ଓ ଖୋର୍ଧା କୁମ୍ଭିଲର ସଂଜୟ ବଡ଼ଜେନାକୁ ଯାଁଳା ଫାଣ୍ଡି ପୁଲିସ ଗିରଫ କରିଥିଲା। ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ଓ ୭ ରାଉଣ୍ଡ ଗୁଳି ଜବତ କରାଯାଇଥିଲା।