ଭୁବନେଶ୍ବର: ଜଣେ ଯୁବକଙ୍କୁ ମାଡ଼ ମାରି ମୋବାଇଲ୍ ଫୋନ୍ ଛଡ଼ାଇନେବା ପରେ ଫୋନ୍ପେ ଆକାଉଣ୍ଟରୁ ଟଙ୍କା ଲୁଟି ନେଇଥିବା ୨ କୁଖ୍ୟାତ ଲୁଟେରାଙ୍କୁ ଖାରବେଳନଗର ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ୟୁନିଟ୍-୫ କେଶରୀନଗରରେ ରହୁଥିବା ନୟାଗଡ଼ ରଣପୁର ଅଞ୍ଚଳର ବାଦଲ ନାୟକ(୨୫) ଓ ଶରଣକୁଳ ଥାନା ଡିମିସରର ବରୁଣ ମାଝୀ(୨୯)। ସେମାନଙ୍କଠାରୁ ଲୁଟ୍ରେ ବ୍ୟବହୃତ ପଲସର ବାଇକ୍, ନଗଦ ୧୫ ହଜାର ଟଙ୍କା ଓ ଲୁଟ୍ ଟଙ୍କାରେ କିଣିଥିବା ଚେନ୍, କାନଫୁଲ ଭଳି କିଛି ଗହଣା ଜବତ କରାଯାଇଛି। ରାଜଧାନୀରେ ବହୁ ଛିନ୍ତାଇ ମାମଲାରେ ସମ୍ପୃକ୍ତ ଏହି ଦୁଇ କୁଖ୍ୟାତ ଲୁଟେରାଙ୍କୁ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ଓ ସେଠାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ତେବେ ସେମାନେ ଲୁଟ୍ କରିଥିବା ମୋବାଇଲ୍ ଫୋନ୍କୁ ବିକି ଦେଇଥିବାରୁ ତାହା ଜବତ ହୋଇପାରିନାହିଁ। ମୋବାଇଲ୍ କିଣିଥିବା ଅଟୋଚାଳକ ପ୍ରଶାନ୍ତକୁ ପୁଲିସ ଖୋଜୁଛି।
ପୁଲିସ ସୂଚନାନୁସାରେ ଗତ ୨୬ ତାରିଖ ଦିନ ବିପ୍ଲବ କେଶରୀ ବିଶ୍ବାଳ ବ୍ୟକ୍ତିଗତ କାମରେ ୟୁନିଟ୍-୪ ମାର୍କେଟକୁ ଯାଇଥିଲେ। ସେ ମାର୍କେଟ୍ରୁ ଫେରୁଥିବା ବେଳେ ତାଙ୍କୁ ପିଛା କରୁଥିବା ବାଦଲ ଓ ବରୁଣ ତାଙ୍କୁ ଏକ ଗଳିର ନିଛାଟିଆ ଜାଗାରେ ଅଟକାଇ ଅଚନାକ ମାଡ଼ ମାରିଥିଲେ ଏବଂ ତାଙ୍କ ମୋବାଇଲ୍ ଫୋନ୍, ପର୍ସ ଛଡ଼ାଇ ଏକ ପଲସର୍ ବାଇକ୍ରେ ଫେରାର୍ ହୋଇଯାଇଥିଲେ। ଏନେଇ ବିପ୍ଳବ ତୁରନ୍ତ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ସେତିକି ସମୟ ଭିତରେ ତାଙ୍କ ଫୋନ୍ପେ ଆକାଉଣ୍ଟରୁ ୫୪,୪୦୦ ଟଙ୍କା ଉଡ଼ିଯାଇଥିଲା।
ଧୂର୍ତ୍ତ ବାଦଲ ବିପ୍ଳବଙ୍କ ମୋବାଇଲ୍ ଫୋନ୍ରୁ ଫୋନ୍ପେ ପାସ୍ୱାର୍ଡ ପାଇ ତା’ ସ୍ତ୍ରୀ ଆକାଉଣ୍ଟକୁ ଉକ୍ତ ଟଙ୍କା ଟ୍ରାନ୍ସଫର କରିଦେଇଥିଲା। ପରଦିନ ସେ ବ୍ୟାଙ୍କ ଯାଇ ଆକାଉଣ୍ଟ ବ୍ଲକ୍ କଲା ବେଳକୁ ଆକାଉଣ୍ଟରୁ ଟଙ୍କା ଗାଏବ୍ ହୋଇସାରିଥିଲା। ବିପ୍ଳବ ଥାନାକୁ ଯାଇ ପୁଲିସକୁ ଏହା ଜଣାଇଥିଲେ। ଏଥର ଲୁଟେରାଙ୍କୁ ଠାବ କରିବା ପୁଲିସ ପାଇଁ ସହଜ ହୋଇଯାଇଥିଲା। ବିପ୍ଳବଙ୍କ ଆକାଉଣ୍ଟରୁ ଯେଉଁ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିଲା, ପୁଲିସ ତାହାକୁ ଯାଞ୍ଚ କରି କେଶରୀନଗରରେ ରହୁଥିବା ବାଦଲର ସ୍ତ୍ରୀ ପାଖରେ ପହଞ୍ଚିଯାଇଥିଲା। କିନ୍ତୁ ସେତେବେଳକୁ ବାଦଲ୍ ଉକ୍ତ ୫୪ ହଜାର ଟଙ୍କା ଉଠାଇ ବରୁଣକୁ ତା’ ଭାଗ ବାବଦରେ ୨୦ ହଜାର ଟଙ୍କା ଦେଇଥିଲା ଏବଂ ବଳକା ପଇସାରେ ନିଜ ପାଇଁ ଏକ ରୁପା ବ୍ରେସ୍ଲେଟ୍, ସ୍ତ୍ରୀ ପାଇଁ ସୁନା ଚେନ୍ ଓ କାନଫୁଲ କିଣିଥିଲା। ପୁଲିସ ବାଦଲ ଘରେ ଚଢ଼ଉ କରିବା ଜାଣିପାରି ବରୁଣ ନିଜ ଘରୁ ଫେରାର୍ ହୋଇଯାଇଥିଲା, କିନ୍ତୁ ପୁଲିସ ତାକୁ ନଅ ତାଲା ନିକଟରୁ ଧରିବାରେ ସଫଳ ହୋଇଥିଲା। ତା’ ନିକଟରୁ ପୁଲିସ ୧୫ ହଜାର ଟଙ୍କା ଜବତ କରିଥିବା ବେଳେ ବାଦଲ ନିକଟରୁ ବାଇକ୍ ଓ ଗହଣା ସବୁ ଜବତ କରିଛି।