ସୀମା ଟପିଲାଣି ନିଶାଦିଆଙ୍କ ଉତ୍ପାତ: ଯୁବକଙ୍କ କ୍ୟାମେରା ସ୍ବପ୍ନ ଛଡ଼ାଇନେଲେ, ଦେଢ଼ ମାସରେ ୪୦ ଜଣଙ୍କୁ ଲୁଟିଲେଣି

ଟାର୍ଗେଟରେ ଉପାନ୍ତ ଇଲାକାର ବସ୍‌ଯାତ୍ରୀ, ଫେଲ୍ ମାରୁଛି କମିସନରେଟ ପୁଲିସ

ଭୁବନେଶ୍ବର: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନବରଙ୍ଗପୁର ଉମରକୋଟର ରାମଦୁର୍ଗା। ଫଟୋ ଉଠାଇ ଗୁଜରାଣ ମେଣ୍ଟାଇବା ପାଇଁ କ୍ୟାମେରା କିଣିବା ଲାଗି ଭୁବନେଶ୍ବର ଆସିଥିଲେ। ସାଙ୍ଗରେ ୩୫ ହଜାର ଟଙ୍କା ଆଣିଥିଲେ। ଶାନ୍ତ, ସରଳ ରାମଙ୍କର କିନ୍ତୁ ସବୁ ସ୍ବପ୍ନ ଭାଙ୍ଗି ଚୂରମାର ହୋଇଯାଇଛି ରାଜଧାନୀ ଭୁବନେଶ୍ବରରେ। ସେ ଆଉ କ୍ୟାମେରା କିଣିପାରିବେ ନାହିଁ କି ପରିବାର ଚଳାଇପାରିବେ ନାହିଁ। ନିଶାଦିଆ ଲୁଟେରାଙ୍କ ହାବୁଡ଼ରେ ପଡ଼ି ସର୍ବସ୍ବ ହରାଇଛନ୍ତି। ସାଙ୍ଗରେ ଆଣିଥିବା ୩୫ ହଜାର ଟଙ୍କା ଲୁଟି ନେଇଛନ୍ତି ନିଶାଦିଆ ଲୁଟେରା। ଶେଷରେ କାନ୍ଦି କାନ୍ଦି ଘରକୁ ଫେରି ଯାଇଛନ୍ତି ସେ।

ପାଞ୍ଚ ଦିନ ତଳର ଘଟଣା। କ୍ୟାମେରା କିଣିବା ଲାଗି ନବରଙ୍ଗପୁରରୁ ବସ୍ ଯୋଗେ ଭୁବନେଶ୍ବର ଆସିଥିଲେ ରାମ । ବରମୁଣ୍ଡା ବସଷ୍ଟାଣ୍ଡରେ ପହଞ୍ଚିବା ପରେ ଅଟୋରେ ବାପୁଜୀନଗରରେ ପହଞ୍ଚିଥିଲେ। ସେଠାରେ ଚାଲିଚାଲି ବୁଲୁଥିବାବେଳେ ଦୁଇ ଜଣ ଯୁବକ ଏକ ବାଇକ୍‌ରେ ତାଙ୍କ ନିକଟରେ ପହଞ୍ଚିଥିଲେ। ଉପାନ୍ତ ଜିଲ୍ଲାର ହୋଇଥିବା ଅନୁମାନ ଲଗାଇ ନିଜ ଜାଲରେ ଫସାଇବାକୁ ଚେଷ୍ଟା କରିଥିଲେ। ବାଇକ୍ ପଛରେ ବସିଥିବା ଯୁବକ ନିଜକୁ ଉମରକୋଟ ଅଞ୍ଚଳର ବୋଲି କହି ବନ୍ଧୁତା ଜମାଇଥିଲେ। କ୍ୟାମେରା କିଣି ସାରିବା ପରେ ବାଇକ୍‌ରେ ବସାଇ ବରମୁଣ୍ଡା ବସଷ୍ଟାଣ୍ଡରେ ଛାଡ଼ିଦେବେ ବୋଲି କହିଥିଲେ। ହେଲେ ବାଇକ୍‌ରେ ବସାଇ ସେମାନେ ରାମଙ୍କୁ କିଛି ଦୂରକୁ ନେଇ କୋଲଡ୍ରିଙ୍କ୍‌ସ ପିଇବାକୁ ଦେଇଥିଲେ। ଏହା ପିଇବା ପରେ ଅଚେତ ହୋଇ ପଡ଼ିଥିଲେ ରାମ। ତାଙ୍କ ପାଖରେ ଥିବା ୩୫ ହଜାର ଟଙ୍କା, ମୋବାଇଲ ଫୋନ୍, ବ୍ୟାଗ ଲୁଟି ଫେରାର ହୋଇ ଯାଇଥିଲେ ଲୁଟେରା। ଆଉ ରାମଙ୍କୁ ରାସ୍ତା କଡ଼ରେ ଫିଙ୍ଗି ଦେଇଥିଲେ। ପିସିଆର ଭ୍ୟାନ୍ ଅଚେତ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା।

ଇଏ ଗୋଟିଏ ଘଟଣା ନୁହେଁ, ଗତ ଦେଢ଼ ମାସ ଭିତରେ ପ୍ରାୟ ୪୦ଜଣ ଯାତ୍ରୀଙ୍କଠାରୁ ଏମିତି ନିଶା ଦେଇ ଲୁଟ୍ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ରାଜଧାନୀରେ ନିଶାଦିଆ ଲୁଟେରାଙ୍କ ଉତ୍ପାତ ସୀମା ଟପିଲାଣି। ଉପାନ୍ତ ଅଞ୍ଚଳରୁ ଆସୁଥିବା ବସ୍‌ ଯାତ୍ରୀଙ୍କୁ ଟାର୍ଗେଟ କରି ଲୁଟପାଟ କରୁଛନ୍ତି। ଗଲା କେତେଦିନ ଭିତରେ ଏପରି ଘଟଣା ବାରମ୍ବାର ଘଟିଲାଣି। ମାତ୍ର ଜଣେ ବି ଲୁଟେରା ପୁଲିସ ହାତରେ ଧରା ପଡ଼ି ନାହାନ୍ତି। ଫେବ୍ରୁଆରି ୯ ତାରିଖରେ ମୟୂରଭଞ୍ଜ ଯଶିପୁରର ରମେଶ ଖାଲୁଣ୍ଡି ଭୁବନେଶ୍ବର ଆସିଥିଲେ। ଲିଙ୍ଗରାଜ ମନ୍ଦିରକୁ ଦର୍ଶନ ପାଇଁ ଚାଲିଚାଲି ଯାଉଥିବାବେଳେ ଦୁଇଜଣ ଯୁବକ ବାଇକ୍‌ରେ ପହଞ୍ଚି ବନ୍ଧୁତା ଜମାଇଥିଳେ। ଲିଙ୍ଗରାଜଙ୍କ ଦର୍ଶନ ପରେ ବାଇକ୍‌ରେ ବସାଇ ବସଷ୍ଟାଣ୍ଡରେ ଛାଡ଼ିଦେବେ ବୋଲି କହିଥିଲେ। ଏହା ପରେ ଦୁଇ ଯୁବକ ରମେଶଙ୍କୁ କୋଲଡ୍ରିଙ୍କସ୍ ପିଆଇ ଅଚେତ କରିଦେବା ପରେ ତାଙ୍କଠାରୁ ୨୫ ହଜାର ଟଙ୍କା, ମୋବାଇଲ ଫୋନ୍ ଲୁଟି ନେଇ ରାସ୍ତାକଡ଼ରେ ଫିଙ୍ଗି ଦେଇଥିଲେ। ଗତ ମାସରେ ମଧ୍ୟ ସମାନ ଉପାୟରେ ବୌଦ୍ଧର ଜିତେନ୍ଦ୍ର ବେହେରା ଚାଲି ଚାଲି ଯାଉଥିବା ବେଳେ ଶିଶୁଭବନ ଛକ ନିକଟରେ ନିଶାଦିଆ ଲୁଟେରାଙ୍କ ହାବୁଡ଼ରେ ପଡିଥିଲେ। ଲିଫ୍ଟ ଦେବା ବାହାନାରେ ଲୁଟେରା ତାଙ୍କଠାରୁ ୧୮ ଶହ ଟଙ୍କା, ମୋବାଇଲ ଫୋନ୍, ବ୍ୟାଗ୍ ଲୁଟି ନେଇଥିଲେ।

ସମ୍ବନ୍ଧିତ ଖବର