ଭୁବନେଶ୍ବର: ନୂଆ ମୁହଁକୁ ଖାତିର୍‌ କରୁନାହାନ୍ତି ଅପରାଧୀ। କେଉଁଠି ଚେନ୍‌ ଛିଣ୍ଡାଇଲେଣି ତ ଆଉ କେଉଁଠି ଘରେ ପଶି ସଶସ୍ତ୍ର ଡକାୟତି କଲେଣି। କେଉଁଠି ଡିକି ତାଡ଼ି ନେଇ ଗଲେଣି ଲକ୍ଷାଧିକ ଟଙ୍କା। ଗତ ଏକ ସପ୍ତାହ ହେବ ରାଜଧାନୀର ପରିସ୍ଥିତି ଏଭଳି ସଂଘାତିକ। ଲୁଟେରାମାନେ ଏବେ ବିଭିନ୍ନ ସ୍ଥାନରେ ଆତଙ୍କ ସୃଷ୍ଟି କଲେଣି। ଯାହାକି ପୁଲିସ ଆଖିରୁ ନିଦ ମଧ୍ୟ ହଜାଇ ଦେଇଛି। କମିସନ‌ରେଟ୍‌ ପୁଲିସର ଅଦଳବଦଳ ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷ କରି ଚନ୍ଦ୍ରଶେଖରପୁର ଥାନା ଅଧୀନ କାନନ ବିହାର ଫେଜ-୧ରେ ରହୁଥିବା ଅବସରପ୍ରାପ୍ତ ସୈନିକ ସୁଧାକର ଦାସଙ୍କ ଘରେ ସଶସ୍ତ୍ର ଡକାୟତି, ମଞ୍ଚେଶ୍ବରରେ ସିରିଜ୍‌ ଚେନ୍‌ ଲୁଟ, ଭୀମଟାଙ୍ଗୀ ଓ ନୂଆପଲ୍ଲୀରେ ଲୁଟପାଟ୍‌ ଭଳି ଘଟଣା ଏବେ କମିସନରେଟ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଛି। କେବଳ ଅପରାଧୀ କାହିଁକି, ଆଇନଶୃଙ୍ଖଳା ପରିସ୍ଥିତିକୁ ମଧ୍ୟ ସମ୍ଭାଳିବା କାଠିକର ପାଠ ହୋଇ ପଡ଼ୁଛି ନୂଆ ଅଫିସରମାନଙ୍କ ପାଇଁ। ଯାହାର ବିକଳ ଚିତ୍ର ଗୁରୁବାର ଲୋୟର ପିଏମ୍‌ଜିରେ ଦେଖିବାକୁ ମିଳିଥିଲା। ମାତ୍ର ୩ଟି ସଂଗଠନ ପକ୍ଷରୁ ଲୋୟର ପିଏମ୍‌ଜିରେ ବିକ୍ଷୋଭ ଡାକରା ଦିଆଯାଇଥିଲା। ପାଖାପାଖି ଦୁଇ ହଜାର ଲୋକଙ୍କ ସମାବେଶ ହୋଇଥିଲା। କିନ୍ତୁ ପରିଚାଳନାଗତ ତ୍ରୁଟିରୁ ପୁଲିସ ସେମାନଙ୍କୁ ଅଟକାଇ ପାରିନଥିଲା। ଫଳରେ ସେମାନେ ଦୁଇଟି ବ୍ୟାରିକେଡ୍‌ ଭାଙ୍ଗି ଦେବାରେ ସଫଳ ହୋଇଥିଲେ। ପୁରୁଣା ଓ ଅଭିଜ୍ଞ ଅଫିସରଙ୍କ ସଂପୂର୍ଣ୍ଣ ଭାବେ ବଦଳି ପରେ ଏବେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ କମିସନରେଟ ପୁଲିସରେ ସଂପୂର୍ଣ୍ଣ ଅଦଳବଦଳ ହୋଇଛି। ଏଡିସିପି ରୢାଙ୍କର ଅଧିକାରୀଙ୍କଠାରୁ ଆରମ୍ଭ କରି ଏସିପି, ଇନ୍ସପେକ୍ଟର ଓ ଏସ୍ଆଇ ସମସ୍ତେ ନୂଆ। ଅଧିକାଂଶଙ୍କର ପୂର୍ବରୁ ରାଜଧାନୀରେ କାମ କରିବାର ଅଭିଜ୍ଞତା ମଧ୍ୟ ନାହିଁ। ଫଳରେ ଏବେ କମିସନରେଟ ପୁଲିସ ପାଇଁ ଆଇନଶୃଙ୍ଖଳା ପରିସ୍ଥିତିର ସମ୍ମୁଖୀନ କରିବାଠାରୁ ଆରମ୍ଭ କରି ଟ୍ରାଫିକ ପରିଚାଳନା ଓ ଅପରାଧ ରୋକିବା ଏବେ ଚ୍ୟାଲେଞ୍ଜ ହୋଇପଡ଼ୁଛି। ଏପରିକି ଗୁଇନ୍ଦା, ସ୍ପେସାଲ ସ୍କ୍ବାଡ୍ ଓ ଟ୍ରାଫିକରେ ମଧ୍ୟ ପରିବର୍ତନ କରାଯାଇଛି। ଯାହା ଆଗାମୀ ଦିନରେ ସମସ୍ୟା ସୃଷ୍ଟି କରିବ। ଆଉ କିଛି ଦିନ ପରେ ସାଧାରଣ ନିର୍ବାଚନ ଏହି ସମୟରେ ଭୁବନେଶ୍ବର ଓ କଟକରୁ ସମସ୍ତ ଇନ୍ସପେକ୍ଟର, ଏସିପି ଓ ଏଡିସିପିମାନଙ୍କୁ ହଟାଇ କାମ କରିବା ବରିଷ୍ଠ ପୁଲିସ ଅଧିକାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ କହିଛନ୍ତି। ସେହିପରି ଏସ୍‌ଆଇମାନଙ୍କ ପରିବର୍ତନ ମଧ୍ୟ ଏକ ବଡ଼ ଘଟଣା। କମିସନରେଟ ପୁଲିସରେ କାମ କରୁଥିବା ସମସ୍ତ ଏସଆଇଙ୍କର ଏକାବେଳକେ ବଦଳି ମଧ୍ୟ ପ୍ରଥମଥର ହୋଇଛି। ଏହାର ସିଧାସଳଖ ପ୍ରଭାବ କମିସନରେଟ ପୁଲିସର କାର୍ଯ୍ୟରେ ପଡ଼ିବ। ଏ ସମ୍ପର୍କରେ ପୁଲିସ କମିସନର ସତ୍ୟଜିତ ମହାନ୍ତି କୁହନ୍ତି ଅବଶ୍ୟ ଏଭଳି ପରିବର୍ତନ ମୋ ପାଇଁ ଚ୍ୟା‌ଲେଞ୍ଜ ହୋଇପଡ଼ିବ। କିନ୍ତୁ ଯେଉଁ ଏସିପି ଓ ଇନ୍ସପେକ୍ଟରମାନଙ୍କୁ କମିସନରେଟ ପୁଲିସକୁ ଅଣାଯାଇଛି, ସେମାନଙ୍କ କାର୍ଯ୍ୟ ଦକ୍ଷତା ଓ ଅଭିଜ୍ଞତାକୁ ନେଇ ବିଭିନ୍ନ ସ୍ଥାନରେ ଅବସ୍ଥାପିତ କରାଯାଉଛି। କିଛି ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ଆପେଆପେ ହୋଇଯିବ।