ସିନ୍ଧି ଚୋର ଗ୍ୟାଙ୍ଗ୍‌ର ୩ ଗିରଫ, ୨୯୧ ଗ୍ରାମ୍‌ ଓଜନର ଅଳଙ୍କାର ଜବତ

ଶ୍ରମିକ ଭଳି ସାଇକେଲ୍‌ରେ ବୁଲୁଥିଲେ, ମାଜିଷ୍ଟ୍ରେଟ୍‌ଙ୍କୁ ବି ଛାଡ଼ିନଥିଲେ

ଭୁବନେଶ୍ବର: ବଡ଼ି ଭୋର୍‌ରୁ ଶ୍ରମିକ ଭଳି ସାଇକେଲ୍‌ରେ ବୁଲୁଥିଲେ। ସାଙ୍ଗରେ ଶାବଳ, କୋଦାଳ ଧରିଥିଲେ। ବନ୍ଦ ଘର ଦେଖିଲେ ତାଲା ଭାଙ୍ଗି ପଶୁଥିଲେ। ସାମ୍ନାରୁ ସୁବିଧା ନଥିଲେ ଝରକା ତାଡ଼ୁଥିଲେ। ମାତ୍ର ୧୦ ମିନିଟ୍‌ରେ ଘରେ କଳାକନା ବୁଲାଇ ଦେଉଥିଲେ। ଏଭଳି ଏକ ଗ୍ୟାଙ୍ଗ୍‌ର ୨ ସଦସ୍ୟଙ୍କ ସହ ଏମାନଙ୍କଠାରୁ ଚୋରି ଜିନିଷ କିଣିଥିବା ଜଣେ ଗ୍ରାହକକୁ ଧରିଛି ସ୍ପେସାଲ ସ୍କ୍ବାଡ୍‌। ସେମାନଙ୍କଠାରୁ ୨୯୧ ଗ୍ରାମ୍‌ର ସୁନା ଓ ରୁପା ଅଳଙ୍କାର ଜବତ ହୋଇଛି। ଏହାସହ ହଳେ ଓଡ଼ିଶୀ ଅଳଙ୍କାର ମଧ୍ୟ ଜବତ କରାଯାଇଛି। ଜବତ ସମସ୍ତ ଅଳଙ୍କାରର ମୂଲ୍ୟ ୬ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଏମାନଙ୍କୁ ସ୍ପେସାଲ ସ୍କ୍ବାଡ୍‌ ଧରିବା ପରେ ମଞ୍ଚେଶ୍ବର ଥାନାକୁ ହସ୍ତାନ୍ତର କରିଛି। ମଞ୍ଚେଶ୍ବର ଥାନା ପୁଲିସ ସିନ୍ଧିଚୋରି ମାମଲାରେ ସମସ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସହିଦନଗର ଥାନା ଶାନ୍ତିପଲ୍ଲୀ ବସ୍ତିରେ ରହୁଥିବା ଏହି ଅଭିଯୁକ୍ତମାନେ ହେଲେ, ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ଇଚ୍ଛାପୁରର ସନ୍ତୋଷ ରେଡ୍ଡୀ ଓରଫ ସନ୍ତୁ, ଅସ୍ତରଙ୍ଗ ବାଲିଡ଼ିହା ଆଳସାହିର ଭାସ୍କର ମାହପାତ୍ର ଓ କଟକ ବାଙ୍କୀ ଗାଇଳବାଙ୍କର ସଞ୍ଜୀବ ସିଂହ ଓରଫ ପପୁ। ସଞ୍ଜୀବ ଏହି ସବୁ ଚୋରି ଗହଣାକୁ କମ୍‌ ଦାମ୍‌‌ରେ କିଣିଥିଲା। ଅଧିକ ପଚରାଉଚରା ପାଇଁ ସେମାନଙ୍କୁ ରିମାଣ୍ଡ‌ରେ ଅଣାଯିବ ବୋଲି ପୁଲିସ୍‌ କହିଛି। ତେବେ ବଡ଼ଗଡ଼ ଥାନା ଅଞ୍ଚଳରେ ରହୁଥିବା ମାଜିଷ୍ଟ୍ରେଟ୍‌ ଦମ୍ପତିଙ୍କ ଘରେ ପଶି ସୁନା ମୁଦି ସହ ପେନ୍‌ଡ୍ରାଇଭ୍‌ ଓ ଅନେକ ଜରୁରୀ ଜିନିଷପତ୍ର ଚୋରି କରିଥିବା ସେମାନେ ମାନିଛନ୍ତି।

ପୁଲିସ୍‌ ସୂଚନା ଅନୁଯାୟୀ, ଗତ ମେ’ ମାସରେ ଚଣ୍ଡିମାତା କଲୋନିର ଜ୍ୟୋତିର୍ମୟୀ ଦାସ ନାମକ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ନିଜ ଗାଁ’କୁ ଯାଇଥିଲେ। ଲକ୍‌ଡାଉନ୍‌ ଘୋଷଣା ହୋଇଯିବାରୁ ସେ ଆଉ ଫେରି ପାରିନଥିଲେ। ଘରେ ସୁନା ଅଳଙ୍କାର ଥିବାରୁ ଆଚାର୍ଯ୍ୟ ବିହାରରେ ରହୁଥିବା ତାଙ୍କ ଭାଇଙ୍କୁ ଘରେ ଶୋଇବା ପାଇଁ କହିଥିଲେ। କିନ୍ତୁ ସଟ୍‌ଡାଉନ୍‌ ଯୋଗୁଁ ସେ ମଧ୍ୟ ଆସି ପାରି ନଥିଲେ। ଘରେ ତାଲା ପଡ଼ିଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି କଳାକନା ବୁଲାଇ ଦେଇଥିଲେ। ହଳେ ଓଡ଼ିଶୀ ଅଳଙ୍କାର ସମେତ ୨୦.୬୦ ଗ୍ରାମ୍‌ର ବ୍ରେସ୍‌ଲେଟ୍‌, ୭୭.୯୦ ଗ୍ରାମ୍‌ର ୬ଟି ସୁନା ଚେନ୍‌, ୫ ଗ୍ରାମ୍‌ର ୩ଟି ସୁନା ମୁଦି, ହଳେ ପାଉଁଜି ନେଇ ଯାଇଥିଲେ। ଜ୍ୟୋତିର୍ମୟୀଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ଅଭିଯୁକ୍ତଦ୍ବୟ ଚିହ୍ନଟ ହୋଇଥିଲେ। ସେହିଭଳି ସଟ୍‌ଡାଉନ୍‌ ସମୟରେ ପଳାସୁଣି ଅଞ୍ଚଳରୁ ଝରକା ତାଡ଼ି ସୁନା ଗହଣା ନେଇ ଯାଇଥିଲେ। ଲଗାତାର ଘଟିଥିବା ଦୁଇଟି ଘଟଣାକୁ ନେଇ ପୁଲିସ ଚିନ୍ତାରେ ପଡ଼ିଥିଲା। ସେହିଭଳି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ବୈରାଗୀନଗରର ନଳିନୀକାନ୍ତ ବେହେରାଙ୍କ ମା’ ଗେଟ୍‌ ଖୋଲି ବାହାରେ ଫୁଲ ତୋଳୁଥିଲେ। ଏମାନେ ସେହି ରାସ୍ତା ଦେଇ ଯାଉଥିବା ବେ‌ଳେ ଘରେ ପଶି ସୁନାଗହଣା ନେଇ ଯାଇଥିଲେ। ଅପରପକ୍ଷେ ବଡ଼ଗଡ଼ ଥାନା ଅଞ୍ଚଳରେ ରହୁଥିବା ମାଜିଷ୍ଟ୍ରେଟ୍‌ ଦମ୍ପତିଙ୍କ ସହ ବିଜେବି ନଗରରେ ରହୁଥିବା ପୂର୍ବତନ ବିଧାୟକଙ୍କ ଘରେ ମଧ୍ୟ ଏମାନେ କଳାକନା ବୁଲାଇଥିଲେ।

୨୦ ଘରେ ବୁଲାଇଛନ୍ତି କଳାକନା
ଗୋଟିଏ କିମ୍ବା ଦୁଇଟି ଘଟଣା ନୁହେଁ, ୨୦ଟି ସିନ୍ଧିଚୋରି ମାମଲାରେ ଏମାନେ ସମ୍ପୃକ୍ତ ଅଛନ୍ତି। ଗୋଟିଏ ଢଙ୍ଗରେ ଏହି ୨୦ଟି ଯାକ ଚୋରି ହୋଇଛି। ଘରେ କେହି ନଥିବା ବେଳେ ଏମାନେ ତାଲା ଭାଙ୍ଗି ଓ ଝରକା ତାଡ଼ି ଚୋରି କରିଛନ୍ତି। ଏମାନଙ୍କ ନାମରେ କେବଳ ମଞ୍ଚେଶ୍ବର ଥାନାରେ ୭ଟି ସିନ୍ଧି ଚୋରି ମାମଲା ଥିବା ବେଳେ ବଡ଼ଗଡ଼ ଥାନାରେ ୧୦ଟି ଓ ଲକ୍ଷ୍ମୀସାଗର ଥାନାରେ ୩ଟି ମାମଲା ରହିଛି। ଏମାନଙ୍କ ସହ ଆଉ କେତେକ ଥିବା ସନ୍ଦେହ କରି ସ୍ପେସାଲ ସ୍କ୍ବାଡ୍‌ ଅନୁସନ୍ଧାନ ଜାରି ରଖିଛି।

ସମ୍ବନ୍ଧିତ ଖବର