କୁଖ୍ୟାତ୍ କ୍ରିଷ୍ଣା-ରକି ଗ୍ୟାଙ୍ଗ୍‌ ଗିରଫ

ଖଣ୍ଡଗିରି : ଘନଘନ ଲୁଟ୍‌ପାଟ୍‌ କରି ଖଣ୍ଡଗିରି ଅଞ୍ଚଳରେ ଆତଙ୍କ ଖେଳାଇଥିବା କୁଖ୍ୟାତ କ୍ରିଷ୍ଣା-ରକି ଗ୍ୟାଙ୍ଗକୁ କମିସନରେଟ୍ ପୁଲିସ କାବୁ କରିଛି। କ୍ରିଷ୍ଣା ସହ ତା’ର ଦୁଇ ସହଯୋଗୀ ଓ ଲୁଟ୍ ସାମଗ୍ରୀ କିଣୁଥିବା ଜଣେ ବ୍ୟବସାୟୀକୁ ଆଜି କୋର୍ଟଚାଲାଣ କରାଯାଇଛି। ସେମାନେ ହେଲେ, ଡୁମୁଡୁମା ହାଉସିଂ ବୋର୍ଡ ଫେଜ୍-୩ରେ ରହୁଥିବା ସୋନପୁର ସୁବଳୟାର କୃଷ୍ଣ ଦାସ ଓରଫ୍ କ୍ରିଷ୍ଣା(୨୪), ଭରତପୁରରେ ରହୁଥିବା କେନ୍ଦ୍ରାପଡ଼ା ଆଳିର ଅମରଜିତ୍ ପ୍ରଧାନ ଓରଫ ରକି, ପୁରୁଣାଭୁବନେଶ୍ବର କେଉଟ ସାହିରେ ରହୁଥିବା ରାଜକନିକାର ମହେଶ୍ବର ଦଳେଇ ଓ ଲୁଟ୍ ମାଲ କିଣୁଥିବା ବ୍ୟବସାୟୀ ବୌଦ୍ଧ କଣ୍ଟାମାଳ ତଳିପଡ଼ିଆ ସାହିର ପ୍ରଭାତ ସାହୁ। ପୁଲିସ ସେମାନଙ୍କଠାରୁ ଗୋଟିଏ ନକଲି ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର, ୨ଟି କାର୍, ଗୋଟିଏ ବଲେରୋ ଓ ପ୍ରଚୁର ସୁନା ଗହଣା ଜବତ କରିଛି।

ଗ୍ୟାଙ୍ଗ୍‌ର ରେକର୍ଡ

କ୍ରିଷ୍ଣା ଜଣେ ପେସାଦାର ଅପରାଧୀ। ଖଣ୍ଡଗିରି, ଜଟଣୀ, ନୂଆପଲ୍ଲୀ ଓ ଚନ୍ଦ୍ରଶେଖରପୁର ଆଦି ଥାନା‌‌ରେ ତା’ ନାମରେ ପ୍ରାୟ ୧୪ରୁ ଅଧିକ ମାମଲା ରହିଛି। ପୂର୍ବରୁ ବହୁଥର ଜେଲ୍ ଯାଇଥିଲେ ବି ଜାମିନ୍‌ରେ ଆସିବା ପରେ ସେ ପୁଣି କାଣ୍ଡ କରିଥାଏ। ତେବେ ରକି ହେଉଛି ବଡ଼ ଭୟଙ୍କର ଅପରାଧୀ। ପୂର୍ବରୁ ଖଣ୍ଡଗିରି ଥାନା ପୁଲିସ ତା’ଠାରୁ ବନ୍ଧୁକ ବୋମା ଜବତ କରି ଜେଲ୍ ପଠାଇଥିଲା। ୨୦୧୬ ମସିହାରୁ ଖଣ୍ଡଗିରିରେ ସକ୍ରିୟ ରହିଥିବା ରକି ନାମରେ କେବଳ ଖଣ୍ଡଗିରି ଥାନାରେ ହିଁ ୮ଟି ମାମଲା ରହିଛି। ସେହିଭଳି ମହେଶ୍ବର ନାମରେ ୫ଟି ମାମଲା ରହିଛି। ପୂର୍ବରୁ କେବଳ ଛିନ୍‌ତାଇ କରୁଥିବା ଏହି ଗ୍ୟାଙ୍ଗ୍ ଏବେ ଗିରଫ ହୋଇଥିବା ବୌଦ୍ଧର ବ୍ୟବସାୟୀ ପ୍ରଭାତ କଥାରେ ପଡ଼ି କାର୍ ଲୁଟିବା ଆରମ୍ଭ କରି ଦେଇଥିଲେ। ପ୍ରଭାତ କାର୍‌ଗୁଡ଼ିକ କିଣି ନମ୍ବର ବଦଳାଇ ବିଭିନ୍ନ ଚୋରା କାରବାରରେ ଲଗାଉଥିଲା। ତେଣୁ ଯାଁଳା ଫାଣ୍ଡି ପିତାପଲ୍ଲୀ ଛକରୁ ଲୁଟ୍ ହୋଇଥିବା ଇଣ୍ଡିଗୋ କାର୍, ଖୋର୍ଧାରୁ ଲୁଟ୍ ହୋଇଥିବା ବଲେରୋ ଓ ଆମ୍ରି ହସ୍ପିଟାଲ ନିକଟରୁ ଲୁଟ୍ ହୋଇଥିବା ସ୍ବିଫ୍ଟ କାର୍ ସବୁ ପ୍ରଭାତ ନିକଟରୁ ଜବତ କରାଯାଇଛି। ପୁଲିସ ସୂଚନାନୁସାରେ ଏହି ଗ୍ୟାଙ୍ଗ୍ ଆହୁରି ଅନେକ ମାମଲାରେ ସମ୍ପୃକ୍ତ ଅଛନ୍ତି ଓ ପରେ ସେମାନଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ ଚାଲିବ।

କେମିତି ଧରାପଡ଼ିଲେ

ଚଳିତ ମାସରେ କ୍ରିଷ୍ଣା ଗ୍ୟାଙ୍ଗ୍ ଖଣ୍ଡଗିରି ଅଞ୍ଚଳକୁ ଟାର୍ଗେଟ୍ କରି ଘନଘନ ଲୁଟ୍‌ପାଟ୍‌ କରିଥିଲେ। ଖାଲି କାର୍ ଲୁଟ୍ ନୁହେଁ, ଏହି ଗ୍ୟାଙ୍ଗ୍ ରାତିରେ ଗାଡ଼ି ଅଟକାଇ ମହିଳାଙ୍କଠାରୁ ସୁନା ଗହଣା ଲୁଟ୍ କରିଛନ୍ତି। ୮ ତାରିଖରୁ ଏହି ଗ୍ୟାଙ୍ଗ୍‌ର ଆତଙ୍କ କମିସନରେଟ୍ ପୁଲିସର ମୁଣ୍ଡ ବିନ୍ଧା ବଢ଼ାଇ ଦେଇଥିଲା। ୮ ତାରିଖରେ ଜଣେ ମହିଳାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇଥିବା ବେଳେ ୧୧ ତାରିଖରେ ଆମ୍ରି ହସ୍ପିଟାଲ ପାଖରୁ ଏକ ଦମ୍ପତିଙ୍କୁ ଆକ୍ରମଣ କରି ମହିଳାଙ୍କ ଚେନ୍ ଛିଡ଼ାଇ ନେଇଥିଲେ। ସେହିଭଳି ୧୮ତାରିଖ ରାତିରେ ଘାଟିକିଆ ନିକଟରେ ଶିକ୍ଷୟିତ୍ରୀ ସୁଚିତ୍ରା ମିଶ୍ରଙ୍କ କାର୍‌କୁ ଅଟକାଇ ତାଙ୍କୁ ଆକ୍ରମଣ କରିଥିଲେ। ଉଭୟ ଶାଶୂ ବୋହୂଙ୍କଠାରୁ ପ୍ରାୟ ୧୦୦ ଗ୍ରାମ୍ ଓଜନର ସୁନାଗହଣା ଲୁଟି ନେଇଥିଲେ। ୨୦ ତାରିଖ ରାତିରେ ଆମ୍ରି ହସ୍ପିଟାଲ ନିକଟରୁ ଅନୁଗୁଳର କାର୍ ଚାଳକ ଅଜୟ ସାହୁଙ୍କୁ ଆକ୍ରମଣ କରି ସ୍ବିଫ୍ଟ ଡିଜାୟାର୍ କାର୍(ଓଡି୧୯ଏମ୍-୦୦୭୮) ଲୁଟିଥିଲେ। ଯେହେତୁ ଏହି ସବୁ ମାମଲାଗୁଡ଼ିକ ଆମ୍ରି ହସ୍ପିଟାଲ ଓ ଘାଟିକିଆ ରାସ୍ତାରେ ଘଟିଥିଲା, ଏଥିରେ ନିଶ୍ଚୟ ସ୍ଥାନୀୟ ଲୁଟେରାଙ୍କ ହାତ ରହିଥିବା ପୁଲିସ ସନ୍ଦେହ କରିଥିଲା। ତେଣୁ ଭରତପୁର, ଡୁମୁଡୁମା ଅଞ୍ଚଳରେ ରହୁଥିବା ଲୁଟେରାମାନଙ୍କୁ ପୁଲିସ ଟାର୍ଗେଟ୍ କରିଥିଲା। ଖଣ୍ଡଗିରି ଥାନାର ପୁରୁଣା ମାମଲା ସବୁକୁ ଖେ‌ାଳତାଡ୍ କରାଯାଇଥିଲା। ଫଳରେ ଖଣ୍ଡଗିରିରେ କ୍ରିଷ୍ଣା ଓ ରକିର ଉପସ୍ଥିତି ନେଇ ପୁଲିସକୁ ସୁରାକ୍ ମିଳି ଯାଇଥିଲା। ତେଣୁ ସ୍ପେସାଲ ସ୍କ୍ବାଡ୍ ସହ ଖଣ୍ଡଗିରି ଥାନା ପୁଲିସ ସେମାନଙ୍କ ପିଛା କରି ଗିରଫ କରିବାରେ ସଫଳ ହୋଇଥିଲେ।

ସମ୍ବନ୍ଧିତ ଖବର