ପୁଣି ଗିରଫ ହେଲା କୁଖ୍ୟାତ ଲୁଟେରା ସନିଆ

ବନ୍ଧା ହେଲା ସହଯୋଗୀ ବିକି, ବାଇକ, କମ୍ପ୍ୟୁଟର୍ ଓ ମୋବାଇଲ୍ ଜବତ

ଭୁବନେଶ୍ବର : ଆଖିପିଛୁଳା‌କେ ଲୋକଙ୍କ ମୋବାଇଲ୍‌ ଝାମ୍ପି ନେଉଥିବା କୁଖ୍ୟାତ ଲୁଟେରା ସୁନିଲ ପରିଡ଼ା ଓରଫ ସନିଆକୁ ଗୁରୁବାର ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ଗତ ମାର୍ଚ୍ଚ ମାସରେ ସନିଆ ଦିନ ଦ୍ବିପହରେ ଜଣେ ମହିଳାଙ୍କଠାରୁ ମୋବାଇଲ୍ ଝାମ୍ପି ଗିରଫ ହେବା ପରେ ଜେଲ୍‌ ଯାଇଥିଲା। ଦୁଇ ଦିନ ତଳେ ଜାମିନ୍‌ରେ ଆସିବା ପରେ ସରକନ୍ତରାର ସହଯୋଗୀ ବିକାଶ ପ୍ରଧାନ ଓରଫ ବିକି ସହ ମିଶି ପୁଣି ଲୁଟ୍‌ପାଟ୍ ଆରମ୍ଭ କରିଥିଲା। ରସୁଲଗଡ଼ରେ ଜଣଙ୍କ ଘରେ ପଶି ମୋବାଇଲ୍ ଓ ଟିଭି ଲୁଟିବା ପରେ ଅନ୍ୟ ଏକ ଅଞ୍ଚଳରୁ ବାଇକ୍ ଚୋରି କରିଥିଲା। ସେହିପରି ଗତ ୨୬ ତାରିଖ ବିଳମ୍ବିତ ରାତିରେ ପଞ୍ଚସଖାନଗରର ବିଶ୍ବଜିତ ଦାଶଙ୍କ ଘରୁ ବାଇକ୍ ଚୋରି କରିଥିଲା। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଚୋରି ବାଇକ୍‌ରେ ସନିଆ ଓ ବିକି ବୁଲୁଥିବା ବେଳେ ଏକ ହାଟ ନିକଟରୁ ପୁଲିସ ଉଭୟଙ୍କୁ କାବୁ କରିଛି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ସନିଆ ଓ ବିକି ଚୋରି କରିଥିବା ବାଇକ୍‌ରେ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଲୁଟ୍‌ପାଟ୍ କରିବାକୁ ଯୋଜନା କରିଥିଲେ। ଏହାସହ ଚୋରି କମ୍ପ୍ୟୁଟର୍‌କୁ ବିକିବା ପାଇଁ ଗ୍ରାହକ ମଧ୍ୟ ଖୋଜୁଥିଲେ। ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ, ସନିଆ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ବେଳେ ଚଳିତ ବର୍ଷ କେବଳ ଖଣ୍ଡଗିରିରେ ୪ଟି ମାମଲା ରୁଜୁ ହୋଇଛି।

ମୂର୍ତ୍ତି ଚୋରକୁ କାବୁ କଲେ ପୂଜକ
ଭୁବନେଶ୍ୱର : ବାଙ୍କୁଆଳ ଗ୍ରାମର ବାଲୁଙ୍କେଶ୍ବର ମହାଦେବଙ୍କ ମନ୍ଦିରରୁ ମୂର୍ତ୍ତି ଚୋରି କରିଥିବା ଅଭିଯୋଗରେ ଗୁରୁବାର ସହିଦନଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲା ଗଞ୍ଜାମ ବଡ଼ବଜାର ଥାନା ଅଞ୍ଚଳର ରବୀନ୍ଦ୍ର ପାଣିଗ୍ରାହୀ(୫୨)। ତା’ନିକଟରୁ ପୁଲିସ ଏକାଧିକ ନାଗ ମୂର୍ତ୍ତି, ବୃଷଭ ମୂର୍ତ୍ତି ଓ ଅନ୍ୟାନ୍ୟ ପୂଜା ଉପକରଣ ଜବତ କରିଛି। ପୁଲିସ ସୂଚନାନୁସାରେ ଗତକାଲି ରାତିରେ ରବୀନ୍ଦ୍ର ମନ୍ଦିରରେ ପଶି ଏହି ସବୁ ସାମଗ୍ରୀ ଚୋରି କରୁଥିଲା। ତେବେ ସେ ମନ୍ଦିରରୁ ବାହାରି ପଳାଇବାକୁ ବସିଥିବା ବେଳେ ପୂଜକ ଉଠି ପଡ଼ିଥିଲେ ଓ ଚୋର ବୋଲି ଜାଣିପାରି ତାକୁ କାବୁ କରିଥିଲେ। ପାଟି ଶୁଣି ଗ୍ରାମବାସୀମାନେ ଏକାଠି ହୋଇ ଚୋରକୁ ବହେ ଛେଚିବା ପରେ ପୁଲିସ ଜିମା ଦେଇଥିଲେ।

ସମ୍ବନ୍ଧିତ ଖବର