ଭୁବନେଶ୍ବର/ଧଉଳି: ଧଉଳି ଥାନା ଅଞ୍ଚଳ ଛାଡ଼ୁନାହାନ୍ତି ରାଜଧାନୀରେ ମାତିଥିବା ସିନ୍ଧିଚୋର ଗ୍ୟାଙ୍ଗ୍। ଧଉଳି ଥାନା ପୁଲିସକୁ ଚ୍ୟାଲେଞ୍ଜ୍ ଦେବା ଭଳି ଗୋଟିକ ପରେ ଗୋଟିଏ ଚୋରି କରିଚାଲିଛନ୍ତି। ମାସକ ଭିତରେ ଏହି ଅଞ୍ଚଳରୁ ୧୦ରୁ ଅଧିକ ସିନ୍ଧିଚୋରି ହୋଇଗଲାଣି। ୪ ଦିନ ପୂର୍ବେ ଏହି ଥାନା ଅଧୀନ ଶିଶୁପାଳଗଡ଼ ଅନୁବିହାରରେ ରହୁଥିବା ଜଣେ ଡାକ୍ତରଙ୍କ ଘରୁ ସିନ୍ଧିଚୋରି ହୋଇଥିଲା। ମାତ୍ର ୪ ଦିନ ପରେ ଅର୍ଥାତ୍ ଗତକାଲି ରାତିରେ ପୁଣି ସେହି ଅନୁବିହାରରୁ ଆଉ ଏକ ସିନ୍ଧିଚୋରି ହୋଇଛି। ଦୁର୍ବୃତ୍ତମାନେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀଙ୍କ ଆଲ୍ମିରା ସଫା କରିଦେଇଛନ୍ତି। ପ୍ରାୟ ୩ଲକ୍ଷ ଟଙ୍କା ଗହଣା ଓ କିଛି ଟଙ୍କା ଲୁଟ୍ ହୋଇଛି ବୋଲି ଧଉଳି ଥାନାରେ ଅଭିଯୋଗ ହୋଇଛି। ପୁଲିସ ରୁଟିନ୍ ୱାର୍କ ଢାଞ୍ଚାରେ ସାଇଣ୍ଟିଫିକ୍ ଟିମ୍ ସହଯୋଗରେ ତଦନ୍ତ କରିଛି।
୪ ଦିନ ପରେ ପୁଣି ଅନୁବିହାରରୁ ଚୋରି
ବ୍ୟାଙ୍କ୍ ଅଧିକାରୀଙ୍କ ଆଲ୍ମିରା ସଫା
ଖବର ଅନୁସାରେ ଅନୁବିହାରସ୍ଥିତ ଏକ ଡ୍ୟୁପ୍ଲେକ୍ସ ରହୁଛନ୍ତି ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଅନୁପ ଦାସ। ଗତକାଲି କୌଣସି କାମରେ ସେ ସପରିବାର ବାହାରକୁ ଯାଇଥିଲେ ଏବଂ ରାତିରେ ଫେରିପାରି ନଥିଲେ। ଘର ଫାଙ୍କା ଥିବା ଦେଖି ଦୁର୍ବୃତ୍ତମାନେ ସେମାନଙ୍କ ପୁରୁଣା ଢାଞ୍ଚାରେ କବାଟ ତାଲା ଭାଙ୍ଗି ଘରେ ପଶିଥିଲେ ଏବଂ ଆଲ୍ମିରା ତାଡ଼ି ସବୁ ଗହଣା ଓ ଟଙ୍କା ନେଇପଳାଇଥିଲେ। ସକାଳୁ ପଡ଼ୋଶୀମାନେ ଘରର କବାଟ ଖୋଲାଥିବା ଦେଖି ଚୋରି ହୋଇଥିବା ସନ୍ଦେହ କରିଥିଲେ ଏବଂ ତୁରନ୍ତ ଶ୍ରୀ ଦାସଙ୍କୁ ଫୋନ୍ କରିଥିଲେ। ସେ ଆସିବା ପରେ ଧଉଳି ଥାନାରେ ଅଭିଯୋଗ କରିଥିଲେ। ପାଖାପାଖି ୩ ଲକ୍ଷ ଟଙ୍କାର ଗହଣା ଚୋରି ହୋଇଛି ବୋଲି ସେ ଅନୁମାନ କରି କହିଛନ୍ତି। କିନ୍ତୁ ପରିବାର ଲୋକେ ପହଞ୍ଚିବା ପରେ ପ୍ରକୃତରେ କେତେ ଗହଣା ଲୁଟ୍ ହୋଇଛି, ଜଣାପଡ଼ିବ। ସୂଚନାଯୋଗ୍ୟ ଯେ ୨୯ ତାରିଖରେ ଏହି ଅନୁବିହାରରୁ ଜଣେ ଡାକ୍ତରଙ୍କ ଘରୁ ଚୋରି ହୋଇଥିଲା। ଡାକ୍ତରଙ୍କ ପରିବାର ଦିଘା ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଘରୁ ୫ ଲକ୍ଷ ଟଙ୍କାର ଗହଣା ନେଇଯାଇଥିଲେ। ଏହାର କିଛି ଦିନ ପୂର୍ବରୁ ଗଙ୍ଗୋତ୍ରୀନଗରରୁ ୨ଟି ଚୋରି ହୋଇଥିଲା ଏବଂ ୨୫ ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା।