ମର୍ଣ୍ଣିଂ ୱାକ୍‌କୁ ଟାର୍ଗେଟ୍‌, ମହିଳାଙ୍କୁ ମାଡ଼ ମାରି ସୁନା ଚେନ୍‌ ଝାମ୍ପିନେଲେ

ଭୁବନେଶ୍ୱର: ନୂଆପଲ୍ଲୀ ଥାନା ଅଧୀନ ବୈଷ୍ଣୋଦେବୀ ମନ୍ଦିରରୁ ମେଡିକାଲ୍‌ ପର୍ଯ୍ୟନ୍ତ ରାସ୍ତାରେ ହୋଇଛି ସିରିଜ୍‌ ଲୁଟ୍‌। ୬ ଜଣ ଦୁର୍ବୃତ୍ତ ହାତରେ ଖଣ୍ଡା ଓ ବାଡ଼ି ଧରି ଭୟଭୀତ କରାଇ ମର୍ଣ୍ଣିଂ ୱାକ୍‌ରେ ଯାଉଥିବା ମହିଳାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇଛନ୍ତି। ଯିଏ ବିରୋଧ କରିଛି ତାଙ୍କୁ ଆକ୍ରମଣ କରିଛନ୍ତି। ଜଣେ ମହିଳା ସେମାନଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ନୂଆପଲ୍ଲୀ ରେଣ୍ଟାଲ୍‌ କଲୋନିର ନୃସିଂହ ଚରଣ ରାଉତଙ୍କ ପତ୍ନୀ ମାନସୀ ରାଣୀ। ତାଙ୍କଠାରୁ ଦୁର୍ବୃତ୍ତମାନେ ସୁନା ଚେନ୍‌ ଓ କାନଫୁଲ ଝାମ୍ପି ନେଇଛନ୍ତି। ସକାଳ ପ୍ରାୟ ୮ଟା ବେଳେ ଘଟିଛି ଏହି ଘଟଣା। ମାନସୀ ରାଣୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରିଛି। ଅଭିଯୋଗ ଅନୁଯାୟୀ ୬ ଜଣ ଯୁବକ ତିନୋଟି ବାଇକ୍‌ରେ ଆସିଥିଲେ। ଦୁଇଜଣ ଖଣ୍ଡା ଧରିଥିବା ବେଳେ ଦୁଇ ଜଣ ମୋଟା ବାଡ଼ି ଧରିଥିଲେ। ରାସ୍ତା ପାର୍ଶ୍ବରେ ଚାଲୁଥିବା ମହିଳାଙ୍କୁ ଅଟକାଇ ଲୁଟ୍‌ପାଟ୍‌ କରୁଥିଲେ। ଖଣ୍ଡା ଉଠାଇ ହାଣି ଦେବା ପାଇଁ ଡରାଉଥିଲେ। ଏଭଳି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଦିନରେ ମଧ୍ୟ ବାହାରକୁ ବାହାରିବାକୁ ଲୋକେ ଡରୁଛନ୍ତି। ନୟାପଲ୍ଲୀ ଥାନା ଅଧୀନରେ ଏହା ନୂଆ କଥା ନୁହେଁ। ଗତ ମାସ ୩ ତାରିଖରେ ହରିହର ସାହୁ ନାମକ ଜଣେ ବ୍ୟକ୍ତି ବ୍ୟାଙ୍କ୍‌ରୁ ୩ ଲକ୍ଷ ୫୦ ହଜାର ଟଙ୍କା ଉଠାଇ ଆସୁଥିବା ବେଳେ ଗାଡ଼ି ଡିକି ତାଡ଼ି ଦୁର୍ବୃତ୍ତମାନେ ସବୁ ଟଙ୍କା ନେଇ ଯାଇଥିଲା। ସିସିଟିଭି ଫୁଟେଜ୍‌ରେ ଏହି ଚିତ୍ର ରହିଥିଲେ ମଧ୍ୟ ପୁଲିସ ଅଦ୍ୟାବଧି ଚୋରକୁ ଧରି ପାରିନାହିଁ। ସେହିଭଳି ଗତ ଡିସେମ୍ବର ମାସରେ ରାତିରେ ଜଣେ କାର୍‌ ଚାଳକକୁ ବନ୍ଧୁକ ଧରି ଆକ୍ରମଣ କରୁଥିବା ବେଳେ ଚାଳକ କୌଶଳକ୍ରମେ ଜୀବନ ବଞ୍ଚାଇ ଚାଲି ଯାଇଥିଲେ। ଆଉ ଜଣେ ବ୍ୟକ୍ତିଙ୍କଠାରୁ ସ୍ପଷ୍ଟ ଦିବାଲୋକରେ ଦୁର୍ବୃତ୍ତମାନେ ୪ ଲକ୍ଷ ଛଡ଼ାଇ ନେଇଥିଲେ।

ସମ୍ବନ୍ଧିତ ଖବର