ଖୋର୍ଦ୍ଧା ସହରରେ ଲୁଟେରାଙ୍କ ଆତଙ୍କ, ଘର ଆଗରୁ ଝାମ୍ପିନେଲେ ମହିଳାଙ୍କ ଚେନ୍‌

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ଗତ କିଛି ଦିନ ମଧ୍ୟରେ ଚେନ୍ ଲୁଟେରାଙ୍କ ଆତଙ୍କ ବଢ଼ି ଯାଇଛି। କ୍ରମାଗତ ଭାବେ ଲୋକଙ୍କଠାରୁ ଚେନ୍ ଲୁଟି ଘଟଣା ବୃଦ୍ଧି ପାଉଥିଲେ ମଧ୍ୟ ପୁଲିସ ଅପରାଧୀଙ୍କୁ ଧରିବାରେ ବିଫଳ ହୋଇଛି। ଘଟଣାକ୍ରମେ ଆଜି ଦି’ପହରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଫେରି ପୋଷ୍ଟ ଅଫିସ୍‌ ଗଳି ରାସ୍ତାରେ ଥିବା ନିଜ ଘର ସମ୍ମୁଖରେ କଥା ହେଉଥିବା ବେଳେ ଦୁଇଜଣ ଲୁଟେରା ବାଇକ୍‌ରେ ଆସି ନମିତା ତ୍ରିପାଠୀ ନାମକ ଜଣେ ମହିଳାଙ୍କ ବେକରୁ ଏକ ସୁନା ଚେନ୍ ଛଡ଼ାଇ ଦ୍ରୁତ ଗତିରେ ସେଠାରୁ ଚାଲି ଯାଇଥିଲେ। ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାର ‘ଲୁଟ’ ସମୟର ଫୁଟେଜ୍ ସଂଗ୍ରହ କରିଛି।

ସୂଚନାଯୋଗ୍ୟ ଯେ ଅକ୍ଟୋବର ୧୨ ତାରିଖରେ ଖୋର୍ଦ୍ଧା ସହରର ଗୋଡ଼ିପୋଖରୀ ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରୁ ଏକ କଳା ପଲସର୍‌ରେ ଦୁଇଜଣ ଦୁର୍ବୃତ୍ତ ଆସି ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ୨ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍ ଛଡ଼ାଇ ନେଇଥିଲେ। ଏହି ଘଟଣାରେ ମଧ୍ୟ ପୁଲିସ ଲୁଟେରାଙ୍କ ସିସିଟିଭି ଫୁଟେଜ୍ ଜବତ କରି ତଦନ୍ତ କରିଥିଲା। କିନ୍ତୁ ଅପରାଧୀଙ୍କୁ ଏଯାଏ ଧରାଯାଇ ପାରିନାହିଁ। ବିଡିଏ କଲୋନି, ମଙ୍ଗଳାନଗର, ନୂଆ ବସ୍‌ଷ୍ଟାଣ୍ଡ ଆଦି ଅଞ୍ଚଳରୁ ମଧ୍ୟ କ୍ରମାଗତ ଭାବେ ମୋବାଇଲ୍ ଲୁଟ୍‌ ଘଟଣା ଘଟି ଚାଲିଥିଲେ ମଧ୍ୟ ସଂଖ୍ୟାଧିକ ମାମଲା ଥାନାରେ ରୁଜୁ ହେଉନଥିବା ଅଭିଯୋଗ ହେଉଛି। ଏହି ଚୋରିରେ ଏକ ନାବାଳକ ଗ୍ୟାଙ୍ଗ ସାମିଲ ଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ସେମାନେ ନାବାଳକ ଥିବାରୁ ପୁଲିସ ହାତରେ ଧରାପଡ଼ିଲେ ମଧ୍ୟ ଜାମିନ ସହଜରେ ମିଳି ଯାଉଛି। ଫଳରେ ସେମାନଙ୍କୁ ନିୟୋଜିତ କରି ଏକ ରୢାକେଟ୍‌ ଏଭଳି ଅପରାଧ ଘଟାଉଛନ୍ତି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର