ରାଜଧାନୀରେ ଉତ୍ପାତ କଲେଣି ଲୁଟେରା: ଯୁବତୀଙ୍କ ହୀରା ଲକେଟ୍‌ ଝାମ୍ପିନେଲେ

ଭୁବନେଶ୍ବର: ରାଜଧାନୀରେ ପୁଣି ଆତଙ୍କ ଖେଳାଇଛନ୍ତି ଲୁଟେରା। ଦୁଇ ଦିନ ଭିତରେ ଖାରବେଳନଗର ଅଞ୍ଚଳର ଦୁଇଟି ଓ ଫାୟାର ଷ୍ଟେସନ-କଳିଙ୍ଗ ଷ୍ଟୁଡିଓ ରାସ୍ତାରେ ଗୋଟିଏ କାଣ୍ଡ ଘଟାଇଛନ୍ତି। ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଅମିତା ଦାଶ ଲୁଟ୍‌ର ଶିକାର ହୋଇଛନ୍ତି। ରସୁଲଗଡ଼ ପାଲାମଣ୍ଡପଠାରେ ରହୁଥିବା ଅମିତା ସ୍କୁଟି ଯୋଗେ ମାଷ୍ଟରକ୍ୟାଣ୍ଟିନ ଛକକୁ ଯାଇଥିବା ବେଳେ ଦୁଇଜଣ ଲୁଟେରା ଏକ ବାଇକ୍‌ରେ ଆସି ତାଙ୍କ ସୁନାଚେନ୍ ଲୁଟି ନେଇଥିଲେ। ସେହି ଚେନ୍‌ରେ ଏକ ହୀରା ଲକେଟ୍ ଥିଲା ବୋଲି ଅଭିଯୋଗ ହୋଇଛି। ଏ ନେଇ ଅମିତା ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସେହିପରି ଅନ୍ୟ ଏକ ଘଟଣାରେ ଜଣେ ଶିକ୍ଷୟିତ୍ରୀଙ୍କୁ ଲୁଟେରାମାନେ ରାଜରାସ୍ତାରେ ମାଡ଼ ମାରି ଜଣେ ମହିଳାଙ୍କ ଭ୍ୟାନିଟି ଛଡ଼ାଇ ନେଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ ଖାରବେଳନଗର ଅଞ୍ଚଳର ଚାରୁବାଳା ନାୟକ। ସେ ସ୍କୁଲକୁ ଯାଉଥିବା ବେଳେ ୪ ଜଣ ଲୁଟେରା ଦୁଇଟି ବାଇକ୍‌ରେ ଆସି ତାଙ୍କୁ ମାଡ଼ ମାରି ତଳେ ପକାଇ ଦେଇଥିଲେ ଓ ଭ୍ୟାନିଟି ଛଡ଼ାଇ ପଳାଇଥିଲେ। ତାଙ୍କ ପର୍ସରେ ମୋବାଇଲ ଫୋନ୍, ୧୫ ହଜାରରୁ ଅଧିକ ଟଙ୍କା, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ଆଧାରକାର୍ଡ ଥିଲା ବୋଲି ସେ କହିଛନ୍ତି। ସେହିପରି ଗତକାଲି ଅଞ୍ଜନା ମାଝୀ ଫାୟାର୍‌ ଷ୍ଟେସନ-କଳିଙ୍ଗ ଷ୍ଟୁଡିଓ ରାସ୍ତାରେ ଲୁଟ୍‌ର ଶିକାର ହୋଇଛନ୍ତି। ଅଞ୍ଜନା ସ୍କୁଟିରେ ଯାଉଥିବା ବେଳେ ଦୁଇଜଣ ଲୁଟେରା ଆସି ତାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇଥିଲେ। ଏ ସଂକ୍ରାନ୍ତରେ ସେ ଭରତପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର