ଲୁଟେରାଙ୍କ ଟାର୍ଗେଟ୍‌ରେ ନନ୍ଦନକାନନ ପର୍ଯ୍ୟଟକ

ବାରଙ୍ଗ: ନନ୍ଦନକାନନ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଟାର୍ଗେଟ୍‌ କରିଛନ୍ତି ଲୁଟେରା ଗ୍ୟାଙ୍ଗ୍‌। ଗ୍ୟାଙ୍ଗ୍‌ରେ ସାମିଲ ଅଛନ୍ତି ବାହାର ରାଜ୍ୟରୁ ଆସଥିବା ବହୁ ବାଳ ଅପରାଧୀ। ୨୪ ତାରିଖରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆସିଥିଲେ। ପ୍ରାୟ ୧୦ରୁ ଊର୍ଧ୍ୱ ପର୍ଯ୍ୟଟକ ସେଦିନ ଲୁଟ୍‌ର ଶିକାର ହୋଇଥିଲେ। ଏ ନେଇ ନନ୍ଦନକାନନ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏହି ଗ୍ୟାଙ୍ଗ ଉପରେ ନଜର ରଖିଥିଲା। ପୁଲିସ ଆଜି ୪ ଲୁଟେରାଙ୍କୁ କାବୁ କରି ପଚରାଉଚରରା କରିବା ପରେ ଏପରି ତଥ୍ୟ ଲୋକଲୋଚନକୁ ଆସିଛି।
ସୂଚନା ଅନୁଯାୟୀ ରାତ୍ରିଚର ଜୀବ ଘର ନିକଟରେ ଜଣେ ଲୁଟେରା ଲୁଟ୍‌ କଲା ବେଳେ କିଛି ପର୍ଯ୍ୟଟକ ତାକୁ ଧରି ନିସ୍ତୁକ ମାଡ଼ ମାରି ଛାଡ଼ି ଦେଇଥିଲେ। ଆଉ ୪ ଜଣ ଲୁଟେରାଙ୍କୁ ପର୍ଯ୍ୟଟକମାନେ ନନ୍ଦନକାନନ ଥାନା ଜିମା ଦେଇଥିଲେ। ପଚରାଉଚରା କରିବାରୁ ସେମାନେ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରୁ ଆସିଥିବା କହିଥିଲେ। ଲୁଟେରାମାନଙ୍କ ମଧ୍ୟରେ ଥିବା ଜଣେ ନାବାଳକକୁ ବାଳ ସୁଧାର ଗୃହକୁ ପଠାଯାଇଛି। ଆଗକୁ ନୂଆ ବର୍ଷ ଆସୁଥିବାରୁ ନନ୍ଦନକାନନରେ ଅଧିକ ଭିଡ଼ ଜମିବ ବୋଲି ଅନୁମାନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଏପରି ଲୁଟେରାଙ୍କ ଉପରେ ନଜର ରଖିବାକୁ ନନ୍ଦନକାନନ ଥାନା ପର୍ଯ୍ୟଟନ ପୁଲିସ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି।

ସମ୍ବନ୍ଧିତ ଖବର