ଭୁଜାଲି ମୁନରେ ଯୁବକଙ୍କୁ ଲୁଟ୍‌, ପୁଣି ମାତିଲେ ଲୁଟେରାଯୋଡ଼ି

ବାଲିପାଟଣା: କିଛି ଦିନର ନିରବତା ପରେ ପୁଣି ମାତିଲେ ସ୍ଥାନୀୟ ଅଞ୍ଚଳରେ ଆତଙ୍କରାଜ୍ ସୃଷ୍ଟି କରିଥିବା ଲୁଟେରାଯୋଡ଼ି। ଆଜି ରାତିରେ ଭୁଜାଲି ଲଗାଇ ଜଣେ ଯୁବକଙ୍କଠାରୁ ଟଙ୍କା, ସୁନାଚେନ ଓ ମୋବାଇଲ୍‌ ଫୋନ୍‌ ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ଯୁବକ ହେଲେ ଆଳିଶ ପଞ୍ଚାୟତ ଭୈରିପୁର ଗାଁର ପ୍ରତାପ କୁମାର ବାରିକ। ଲୁଟେରାଦ୍ବୟ ତାଙ୍କଠାରୁ ଗୋଟିଏ ସୁନାଚେନ୍‌, ନଗଦ ୯ ହଜାର ୫ ଶହ ଟଙ୍କା ଓ ମୋବାଇଲ୍‌ ଫୋନ୍‌ ଲୁଟି ନେଇଛନ୍ତି।

ସୂଚନାନୁସାରେ ପ୍ରତାପ ଆଜି ରାତି ପ୍ରାୟ ୮ ଟା ସମୟରେ ରାଜସ ରାସ୍ତାରେ ତାଙ୍କ ବାଇକ( ଓଆର୍‌୦୨ବିଆର୍‌-୯୭୧୭) ଯୋଗେ ବାଲିପାଟଣା ଅଭିମୁଖେ ଆସୁଥିଲେ। ସେ କୁଳନ୍ତିରା ନିକଟରେ ପହଞ୍ଚିଥିବାବେଳେ ଦୁଇ ଜଣ ଯୁବକ ତାଙ୍କୁ ଭାଇ ଭାଇ ବୋଲି ଡାକି ଅଟକାଇଥିଲେ। ପ୍ରତାପ ବାଇକ୍‌ର ବେଗ କମାଇବା ମାତ୍ରେ ସେମାନେ ତାଙ୍କ ପାଖକୁ ଲାଗି ଆସିଥିଲେ ଓ ଅଚାନକ ତାଙ୍କ ବାଇକ୍‌କୁ ଗୋଟିଏ ଶକ୍ତ ଗୋଇଠା ମାରିଥିଲେ। ଫଳରେ ବାଇକ୍‌ ସହ ପ୍ରତାପ ତଳେ ପଡ଼ି ଯାଇଥିଲେ। ଏତିକିବେଳେ ଜଣେ ଦୁର୍ବୃତ୍ତ ତାଙ୍କ ବେକରେ ଭୁଜାଲି ଲଗାଇ ଦେଇଥିଲା ଓ ପାଟି କଲେ ଗଳା କାଟି ଦେବ ବୋଲି ଧମକ ଦେଇଥିଲା। ପ୍ରତାପ ସେମିତି ତଳେ ପଡ଼ିଥିବା‌ ଅବସ୍ଥାରେ ଦୁର୍ବୃତ୍ତଦ୍ବୟ ତାଙ୍କଠାରୁ ମୋବାଇଲ, ସୁନାଚେନ ଓ ମନିପର୍ସ ନେଇ ଚମ୍ପଟ ମାରିଥିଲେ। ଲୁଟେରାଦ୍ବୟ ନାଲି ରଙ୍ଗର ହିରୋ ପ୍ୟାସନ୍‌ ଗାଡ଼ିରେ ଥିଲେ ବୋଲି ପ୍ରତାପ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ପ୍ରାୟ ଦେଢ଼ ମାସ ହେଲା ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳରେ ଏକ ଛିନ୍‌ତାଇ ଗ୍ୟାଙ୍ଗ୍‌ ସକ୍ରିୟ ଅଛନ୍ତି ଓ ପୁଲିସକୁ ଚ୍ୟାଲେଞ୍ଜ୍‌ ଦେଲା ଭଳି ଲୁଟ୍‌ ପରେ ଲୁଟ୍‌ କରି ଚାଲିଛନ୍ତି।

ସମ୍ବନ୍ଧିତ ଖବର