ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କୁ ଲୁଟ୍ ଓ ହତ୍ୟା ମାମଲା: ଅଭିଯୁକ୍ତର ପ୍ରେମିକାକୁ ଉଠାଇଲା ପୁଲିସ

ଲକ୍ଷାଧିକ ଟଙ୍କାର ସୁନା ଗହଣା ଜବତ

ଭୁବନେଶ୍ବର: ନୂଆପଲ୍ଲୀ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କୁ ଲୁଟ୍ ଓ ହତ୍ୟା ମାମଲାରେ ପୁଲିସକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିବାରେ ଲାଗିଛି। ଅଭିଯୁକ୍ତ ନାରୁକୁ ଦୁଇ ଦିନିଆ ରିମାଣ୍ଡରେ ଆଣିବା ପରେ ପୁଲିସ ତା’ଠାରୁ ଶିକ୍ଷୟିତ୍ରୀଙ୍କଠାରୁ ଲୁଟିଥିବା ସୁନାଗହଣା ଜବତ କରିଛି। ତଥାପି ଆହୁରି କିଛି ଗହଣା ଜବତ ହୋଇପାରିନଥିବାରୁ ପୁଲିସ ପୁଣି ନାରୁକୁ ଆଉ ଦୁଇ ଦିନିଆ ରିମାଣ୍ଡରେ ଆଣି ଖୋଳତାଡ୍‌ ଚଳାଇଛି। ଦ୍ବିତୀୟ ଥର ରିମାଣ୍ଡ୍‌ ଆଣିବା ପରେ ନାରୁଠାରୁ ସୂଚନା ପାଇ ପୁଲିସ ତା’ର ପ୍ରେମିକାକୁ ଉଠାଇଛି। ଦୁହିଁଙ୍କୁ ମୁହାଁମୁହିଁ ଜେରା ଚାଲିଛି।

ପ୍ରଥମ ଦୁଇ ଦିନିଆ ରିମାଣ୍ଡର ପ୍ରଥମ ଦିନରେ ଅଭିଯୁକ୍ତ କୁଖ୍ୟାତ୍‌ ନାରାୟଣ ମହାନ୍ତି ଓରଫ୍‌ ନାରୁ ପୁଲିସକୁ ଭୂଆଁ ବୁଲାଇଥିଲା। ଶିକ୍ଷୟିତ୍ରୀଙ୍କୁ ଲୁଟ୍‌ କରିବାକୁ ଯାଇ ହତ୍ୟା କରିଥିଲା ବୋଲି ମାନିଥିଲେ ବି ଚୋରି ଗହଣା ବାବଦରେ କୌଣସି ତଥ୍ୟ ଦେଇନଥିଲା। ମାତ୍ର ପରେ କିଛି ଗହଣା ଫେରାଇଥିଲା। କିନ୍ତୁ ତା’ ପ୍ରେମିକା ବାବଦରେ କୌଣସି ସୂଚନା ଦେଇନଥିଲା। ମାତ୍ର ପୁଲିସ ତାକୁ ଏହି ସୁଯୋଗ ଦେଇନଥିଲା। ପୁଲିସ ତାକୁ ଆଜି କୋର୍ଟରେ ହାଜର କରାଇବା ସହ ପୁଣି ରିମାଣ୍ଡ ଅବଧି ବଢ଼ାଇବା ପାଇଁ ଆବେଦନ କରିଥିଲା। ତେବେ ପୁଲିସ ତିନି ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲେ ବି କୋର୍ଟ ଦୁଇ ଦିନ ପା‌ଇଁ ଅନୁମତି ଦେଇଥିଲେ।

ଆଜି ପୁଲିସକୁ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ପାଇଁ ଅନୁମତି ମିଳିବା ପରେ ନାରୁ ଶିକ୍ଷୟିତ୍ରୀଙ୍କଠାରୁ ଲୁଟ୍‌ କରିଥିବା କିଛି ଦାମୀ ଗହଣା ତା’ ପ୍ରେମିକା ପାଖରେ ରଖିଛି ବୋଲି ମାନି ଯାଇଥିଲା। ତେଣୁ ପୁଲିସ ତା’ ପ୍ରେମିକାକୁ ଉଠାଇ ଆଣି ଦୁଇ ଜଣଙ୍କୁ ମୁହାଁମୁହିଁ କରି ଜେରା କରିବା ପରେ ପ୍ରେମିକା ରଖିଥିବା ଗହଣା ପୁଲିସକୁ ଫେରାଇଥିଲା। ତଥାପି ପ୍ରେମିକା ପାଖରେ ଥିବା ଆଉ କିଛି ଗହଣା ଆଦାୟ କରିବା ପାଇଁ ଘନଘନ ଜେରା ଚଳାଇଛି। ନାରୁଠାରୁ ତା ପ୍ରେମିକା ବି କିଛି କମ୍ ନୁହେଁ ବୋଲି ଜଣେ ତଦନ୍ତ ଅଧିକାରୀ କହିଛନ୍ତି। ରିମାଣ୍ଡ୍‌ ବେଳେ ପୁଲିସ ଥାର୍ଡ ଡିଗ୍ରୀ ପ୍ରୟୋଗ କରିପାରିବ ନାହିଁ ବୋଲି ପ୍ରେମିକା ଜାଣିଛି ଓ ସେହି ଅନୁସାରେ ପୁଲିସ ସହ ଖେଳୁଛି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଗତବର୍ଷ ଜୁଲାଇ ୨୬ରେ ନାରୁ ଓ ତା’ ଭଣଜା ସାଗର ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ରେ ରହୁଥିବା ଚକ୍ରପାଣି ମିଶ୍ରଙ୍କ ଘରେ ପଶି ଏକୁଟିଆ ଥିବା ତାଙ୍କ ପତ୍ନୀ ତଥା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ତୁଳସୀ ଦେଈଙ୍କୁ କଟୁରିରେ ହାଣି ଲୁଟ୍‌ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତୁଳସୀଙ୍କର ଗତ ଅଗଷ୍ଟ ୧ ତାରିଖ ଦିନ ମୃତ୍ୟୁ ହୋଇଥିଲା। ତେବେ ଏହି ମାମଲାରେ ପୁଲିସ ନାରୁ ଓ ସାଗରର ସମ୍ପୃକ୍ତି ବାବଦରେ କୌଣସି ସୁରାକ୍‌ ପାଇନଥିଲା। ସେପ୍ଟେମ୍ବର ମାସରେ ବରମୁଣ୍ଡାରୁ କରିଥିବା ଅନ୍ୟ ଏକ ଲୁଟ୍‌ ମାମଲାରେ ଗିରଫ ହୋଇ ନାରୁ ଜେଲ୍‌ ଚାଲିଯିବାରୁ ତୁଳସୀ ହତ୍ୟା ମାମଲା ରହସ୍ୟ ହୋଇ ରହି ଯାଇଥିଲା। କିନ୍ତୁ ଜେଲ୍‌ରେ ଥାଇ ନାରୁ ଅନ୍ୟ ଅନ୍ତେବାସୀଙ୍କୁ ଏହି ଲୁଟ୍‌ ଓ ହତ୍ୟା ବାବଦ‌ରେ କହି ପକାଇଥିଲା। ମାତ୍ର କଥା ଜେଲ୍‌ ପାଚେରି ଡେଇଁ ପୁଲିସ କାନରେ ପଡ଼ିଥିଲା।

ସମ୍ବନ୍ଧିତ ଖବର