ସୁନା ସଫେଇ ଆଳରେ ଲୁଟ୍‌ ଉଦ୍ୟମ: ନିର୍ଧୁମ୍‌ ଛେଚା ଖାଇଲେ ୨ ଲୁଟେରା

ବାଲିପାଟଣା : ସୁନା ଅଳଙ୍କାର ସଫେଇ ଆଳରେ ଲୋକଙ୍କୁ ଠକୁଥିବା ୨ ଧୂର୍ତ୍ତଙ୍କୁ ଆଜି ଭଅଁରାଗଡ଼ ଗ୍ରାମବାସୀ ନିର୍ଧୁମ୍ ଛେଚି ପୁଲିସ୍‌ ଜିମା ଦେଇଛନ୍ତି। ଅଭିଯୁକ୍ତଦ୍ବୟ ହେଲେ, ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବନ୍ଧଡିହ ଗ୍ରାମର ପ୍ରଶାନ୍ତ ସାହୁ (୩୫) ଓ ନିତ୍ୟାନନ୍ଦ ସାହୁ (୪୨)। ସେମାନଙ୍କଠାରୁ ପୁଲିସ ଗୋଟିଏ ବାଇକ୍‌, ଗହଣା ସଫେଇରେ ବ୍ୟବହୃତ କିଛି ସାମଗ୍ରୀ ଏବଂ ଯନ୍ତ୍ରପାତି ଜବତ କରିଛି। ଏନେଇ ବାଲିପାଟଣା ପୁଲିସ୍‌ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ତଦନ୍ତ ଦାୟିତ୍ୱରେ ଥିବା ଏସ୍‌ଆଇ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି।

ପୁଲିସ୍‌ ସୂଚନା ଅନୁସାରେ, ଅଳଙ୍କାର ମରାମତି ଓ ସଫେଇ ନାଁରେ ଲୁଟ୍‌ କରିବା ପାଇଁ ଆଜି ଭଅଁରାଗଡ଼ ଗାଁକୁ ପ୍ରଶାନ୍ତ ଓ ନିତ୍ୟାନନ୍ଦ ଆସିଥିଲେ। କମ୍‌ ଦାମ୍‌ରେ ସୁନା, ରୁପା ଅଳଙ୍କାର ସଫା କରିଦେବେ ବୋଲି ଘରକୁ ଘର ବୁଲି ଲୋକଙ୍କୁ କହିଥିଲେ। ଗାଁର ବଙ୍କିମ ଚନ୍ଦ୍ର ପାତ୍ରଙ୍କ ପତ୍ନୀ ନୟନା ପାତ୍ର ତାଙ୍କ କାନଫୁଲ ତାଳି ମରାମତି ଏବଂ ମୁଦି ସଫା କରିବା ପାଇଁ ସେମାନଙ୍କୁ କହିଥିଲେ। ଅଭିଯୁକ୍ତଦ୍ବୟ ସୁନା କାନଫୁଲକୁ ଏକ ପାତ୍ରରେ ପକାଇବା ପରେ ସେଥିରେ କିଛି ରାସାୟନିକ ଢାଳି ତରଳାଇ ଦେଇଥିଲେ। ପରେ ତାକୁ ପାଣିରେ ପକାଇବା ସମୟରେ ଆଖି ପିଛୁଳାକେ ବ୍ୟାଗ୍‌ରୁ ଏକ ନକଲି ସୁନା କାଢ଼ି ପାତ୍ରରେ ରଖି ଦେଇଥିଲେ। ତେବେ ସେଠାରେ ଉପସ୍ଥିତ ବଙ୍କିମ ଏହା ଦେଖି ଦେଇଥିଲେ। ଏ ସଂପର୍କରେ ବଙ୍କିମ ଗ୍ରାମବାସୀଙ୍କୁ ଜଣାଇବାରୁ ଗ୍ରାମବାସୀମାନେ ଦୁହିଁଙ୍କୁ କାବୁ କରି ନିର୍ଧୁମ୍‌ ମାଡ଼ ମାରିଥିଲେ।

ସମ୍ବନ୍ଧିତ ଖବର