ଅନ୍‌ଲାଇନ୍‌ରେ ଘର ଭଡ଼ା ବିଜ୍ଞାପନ ଦେଇ ଫସିଲେ, ଯବାନ ବୋଲି ପରିଚୟ ଦେଇ ଠକ ନେଇଗଲା ୨୦ହଜାର

ଭୁବନେଶ୍ବର : ଘର କିଣାବିକା ତଥା ଭଡ଼ା ପାଇଁ ଉପଲବ୍ଧ ଅନଲାଇନ୍ ସାଇଟ୍ ୯୯ଏକର୍ସରେ ଘରଭଡ଼ାର ବିଜ୍ଞାପନ ଦେଇ ଜଣେ ବ୍ୟକ୍ତି ସାଇବର ଠକେଇର ଶିକାର ହୋଇଛନ୍ତି। ସାଇବର ଠକ ନିଜକୁ ଯବା‌ନ ବୋଲି ପରିଚୟ ଦେଇ ୨୦ହଜାର ଟଙ୍କା ଠକି ନେଇଛି। ଏ ନେଇ ସୌଭାଗ୍ୟନଗରର ସୁରେନ୍ଦ୍ର ଦାସ ଭୁବନେଶ୍ବର ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି।

ସୁରେନ୍ଦ୍ରଙ୍କ ଅଭିଯୋଗ ମୁତାବକ, ସେ ରହୁଥିବା ସୌଭାଗ୍ୟନଗରର ତଳ ଘରକୁ ଭଡ଼ା ଲଗାଇବା ପାଇଁ କିଛି ସପ୍ତାହ ତଳେ ୯୯ ଏକର୍ସରେ ଏକ ବିଜ୍ଞାପନ ଦେଇଥିଲେ। ଏହି ସାଇଟ୍‌ରୁ ଦେଖି ତାଙ୍କୁ ଗତ ଦୁଇଦିନ ତଳେ ଜଣେ ଅଜଣା ଯୁବକ ତାଙ୍କୁ ଫୋନ୍ କରି ନିଜକୁ ସିଆଇଏସ୍‌ଏଫ୍‌ର ଯବାନ ପରିଚୟ ଦେଇ ଘରେ ରହିବାକୁ କହିଥିଲା। ଯେପରି ସୁରେନ୍ଦ୍ରଙ୍କୁ କୌଣସି ସନ୍ଦେହ ନ ହେବ, ସେଥିପାଇଁ ହ୍ବାଟ୍ସଆପ୍‌ର ଘରର ସ୍ଥିତି ଓ ରୁମ୍‌ର ଫଟୋ ମଗେଇ ଦେଖିଥିଲା। ଏପରିକି ହ୍ବାଟ୍ସଆପ୍‌ର ପ୍ରୋଫାଇଲ୍‌ରେ ଜଣେ ଯବାନଙ୍କ ଫଟୋ ରଖିବା ସହିତ ସେ ନିଜ ନାଁ ଅନୀଲ କୁମାର ବୋଲି ଜଣାଇଥିଲା। ସବୁ କିଛି ସ୍ଥିର ହେବା ପରେ ସାଇବର ଠକ ମାସକୁ ୧୦ହଜାର ଟଙ୍କା ହିସାବରେ ଦୁଇମାସର ୨୦ହଜାର ଟଙ୍କା ଅଗ୍ରୀମ ଭଡ଼ା ଅନ୍‌ଲାଇନ୍‌ରେ ଫୋନ୍ ପେ’ ଜରିଆରେ ଦେବ ବୋଲି କହିଥିଲା। ଏହା ପରେ ହ୍ବାଟ୍ସଆପ୍‌ରେ ସୁରେନ୍ଦ୍ରଙ୍କ ପାଖକୁ ୧୯,୯୯୯ଟଙ୍କାର ଏକ କ୍ୟୁଆର୍ କୋଡ୍ ପଠାଇ ସ୍କାନ୍ କରିବାକୁ କହିଥିଲା। ସୁରେନ୍ଦ୍ର ଏହାକୁ ସ୍କାନ୍ କରିବା ମାତ୍ରେ ତାଙ୍କ ଆକାଉଣ୍ଟ୍‌ରୁ ଉଲ୍ଲେଖ ଥିବା ୧୯,୯୯୯ଟଙ୍କା କଟିଯାଇଥିଲା।

୩୫ ହଜାର ହରାଇଲେ ଦୁଇ ଯୁବତୀ, ଜଣକୁ ଗାର୍ଲଫ୍ରେଣ୍ଡ ଉପହାର, ଅନ୍ୟକୁ ମୋବାଇଲ୍‌ ରିଚାର୍ଜ ଲୋଭ

ଚନ୍ଦ୍ରଶେଖରପୁର : ରାଜଧାନୀର ଦୁଇ ଶିକ୍ଷିତ ଯୁବତୀ ସାଇବର ଠକଙ୍କ ଜାଲରେ ପଡ଼ି ପୁଲିସର ଦ୍ବାରସ୍ଥ ହୋଇଛନ୍ତି। ଜଣେ ଉପହାର ପଠାଇବା ବାହାନାରେ ଯୁବତୀଙ୍କ ଆକାଉଣ୍ଟରୁ ୧୫ ହଜାର ଟଙ୍କା ଉଡ଼ାଇ ନେଇଛି। ସେହିଭଳି ଅନ୍ୟ ଜଣେ ଶିକ୍ଷୟିତ୍ରୀଙ୍କୁ ମୋବାଇଲ୍‌ ରିଚାର୍ଜର ଲୋଭନୀୟ ଅଫର୍ ଦେଖାଇ ତାଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କା ଚଳୁ କରିଦେଇଛି। ଡମଣା ଅଞ୍ଚଳର ଜଣେ ଯୁବତୀ ସୋସିଆଲ୍ ମିଡ଼ିଆ ଜରିଆରେ ଭୁଲବଶତଃ ଝାଡ଼ଖଣ୍ଡର ଏକ ସାଇବର ଠକ ପ୍ରେମରେ ପଡ଼ିଗଲେ। ଠକଟି ପଟିଆ ଅଞ୍ଚଳସ୍ଥିତ ଏକ ଇଂଜିନିୟରିଂ କଲେଜ ଛାତ୍ର ବୋଲି ପରିଚୟ ଦେଇ ଯୁବତୀଙ୍କୁ ଆକର୍ଷିତ କଲା। ବନ୍ଧୁତା ବଢ଼ିବା ପରେ ଠକ ତାଙ୍କୁ ଏକ ଉପହାର ପଠାଇବ ବୋଲି କହି ଠକ ଏକ ଆପ୍‌ ଲିଙ୍କ ପଠାଇଲା। ଯୁବତୀ ଜଣକ ଉପହାର ଲୋଭରେ ଉକ୍ତ ଆପ୍‌ ଖୋଲିବା ସହ ମାଗିଥିବା ଓଟିପି ନମ୍ବର ଦେଇଦେଲେ। ସଙ୍ଗେ ସଙ୍ଗେ ଯୁବତୀଙ୍କ ଆକାଉଣ୍ଟରୁ ୧୫ ହଜାର ଟଙ୍କା ଉଡ଼ି ଯାଇଥିଲା। ସେହିଭଳି ଶୈଳଶ୍ରୀବିହାରରେ ରହୁଥିବା ଜଣେ ଶିକ୍ଷୟିତ୍ରୀଙ୍କ ‌ମୋବାଇଲ୍‌କୁ ଏକ ରିଚାର୍ଜ ଅଫର ଥିବା ମେସେଜ୍ ଆସିଥିଲା। ବାର୍ଷିକ ରିଚାର୍ଜ କଲେ ଭଲ ରିହାତି ଓ ଅଧିକ ଡାଟା ମିଳିବ ବୋଲି ସେଥିରେ ଉଲ୍ଲେଖ ଥିଲା। ତେଣୁ ଲୋଭରେ ପଡ଼ି ସେ ଉକ୍ତ ମେସେଜ୍‌ ଅନୁସାରେ ଆସିଥିବା ଲିଙ୍କ୍‌କୁ ଲଗ୍‌ ଅନ୍ କରିଥିଲେ। କିନ୍ତୁ ହଠାତ୍ ତାଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କ‌ା କଟି ଯାଇଥିଲା।

ସମ୍ବନ୍ଧିତ ଖବର