ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ୍‌ ମାମଲା : ଧରାପଡ଼ିଲେ ୪ କୁଖ୍ୟାତ ଲୁଟେରା

୨ ଭୁଜାଲି, ୧୦ ହଜାର ଟଙ୍କା ଜବତ

ବାଲିଅନ୍ତା : ବାଲିପାଟଣା ଓ ବାଲିଅନ୍ତା ଥାନା ଅଞ୍ଚଳରେ ମାତିଥିବା ଏକ କୁଖ୍ୟାତ୍ ଲୁଟେରା ଗ୍ୟାଙ୍ଗ୍‌କୁ ଧରିବାରେ ବାଲିଅନ୍ତା ଥାନା ପୁଲିସ ସଫଳ ହୋଇଛି। ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଟାର୍ଗେଟ୍‌ କରି ଲୁଟୁଥିବା ଗୋଟିଏ ବଡ଼ ଗ୍ୟାଙ୍ଗ୍‌ ପୁଲିସ ଜାଲରେ ପଡ଼ିଛି। ଗିରଫ ୪ ଅଭିଯୁକ୍ତ ହେଲେ ବାଲିଅନ୍ତା ଥାନା ବେଣ୍ଟପୁର ଭୋଇସାହିର ସମୀର ଭୋଇ ଓରଫ ବଙ୍କା (୨୫), ରାକେଶ ଭୋଇ ଓରଫ ରାକା(୨୪), ରାଜେନ୍ଦ୍ର ଭୋଇ ଓରଫ ଟିକିନା(୨୩ ) ଓ ବାଲିପାଟଣା ଥାନା ମାର୍ଥାପୁର ଭୋଇସାହିର ସନ୍ତୋଷ ବେହେରା ଓରଫ ସନ୍ତ(୨୩)। ପୁଲିସ ସେମାନଙ୍କଠାରୁ ୨ଟି ଭୁଜାଲି, ଲୁଟ୍‌ରେ ବ୍ୟବହାର ହେଉଥିବା ସ୍କୁଟି, ନଗଦ ୧୦ ହଜାର ଟଙ୍କା ଓ ଲୁଟ୍‌ର ଶିକାର ହୋଇଥିବା କର୍ମଚାରୀଙ୍କ କାଗଜପତ୍ର ଜବତ କରିଛି। ଜାମିନ ଆବେଦନ ନାମଂଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ପୁଲିସ ସୂଚନାନୁସାରେ ଗତ ୨୩ ତାରିଖ ଅପରାହ୍ଣରେ ଫୁଲନଖରାସ୍ଥିତ ଉଜ୍ଜୀବନି ଫାଇନାନ୍ସ ସଂସ୍ଥାର କଷ୍ଟମର୍‌ ରିଲେସନ୍‌ ଅଫିସର ତ୍ରିନାଥ ସ୍ବାଇଁ ବେଣ୍ଟପୁର ଓ ଭିଙ୍ଗାରପୁର ପଞ୍ଚାୟତର ବିଭିନ୍ନ ମହିଳା ମଣ୍ଡଳଙ୍କଠାରୁ ଋଣ ଟଙ୍କା ସଂଗ୍ରହ କରି ଫେରୁଥିଲେ। ସେ ନିମାପଡ଼ା ବ୍ରାଞ୍ଚ୍‌ କେନାଲ ରାସ୍ତାର ଏକ ନିଛାଟିଆ ସ୍ଥାନରେ ପହଞ୍ଚିଥିବାବେଳେ ସେଠାରେ ତାଙ୍କୁ ଛକି ରହିଥିବା ୪ ଦୁର୍ବୃତ୍ତ ଅଟକାଇଥିଲେ। ତାଙ୍କ ବେକରେ ଭୁଜାଲି ଲଗାଇ ଭୟଭୀତ କରାଇବା ସହ ତାଙ୍କ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଛଡ଼ାଇ ନେଇଥିଲେ। ସେହି ବ୍ୟାଗ୍‌ରେ ୧୯ ହଜାର ୩୭୨ ଟଙ୍କା ଥିଲା। ଦୁର୍ବୃତ୍ତମାନେ ମୁହଁରେ ଗାମୁଛା ବାନ୍ଧି ଥିବାରୁ ତ୍ରିନାଥ ସେମାନଙ୍କୁ ଚିହ୍ନି ପାରିନଥିଲେ। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଅନୁରୂପ ଢଙ୍ଗରେ ୪ଟି ମାମଲାରେ ଦୁର୍ବୃତ୍ତମାନେ ବାଲିପାଟଣା ଥାନା ଅଞ୍ଚଳରୁ ଫାଇନାନ୍‌ସ କର୍ମଚାରୀଙ୍କୁ ଲୁଟ୍‌ କରିଥିଲେ। ସେହିଭଳି ବାଲିଅନ୍ତା ଥାନା ଅଞ୍ଚଳରୁ ମଧ୍ୟ ସମାନ ଢଙ୍ଗରେ ୨ଟି ଲୁଟ୍‌ ହୋଇଥିଲା। ତେଣୁ ପୁଲିସ ପାଇଁ ଏହି ଲୁଟେରାମାନଙ୍କୁ ଧରିବା ଏକ ଚ୍ୟାଲେଞ୍ଜ୍ ହୋଇପଡ଼ିଥିଲା। ବାଲିଅନ୍ତା ଥାନା ପୁଲିସ ଏହି ୪ ଜଣିଆ ଗ୍ୟାଙ୍ଗ୍‌କୁ ଗିରଫ କରିବା ପରେ ସେମାନେ ଅନ୍ୟ ସବୁ ମାମଲାରେ ସମ୍ପୃକ୍ତ କି ନା, ତାହାକୁ ନେଇ ଖୋଳତାଡ଼ ଚାଲିଛି। ତେବେ ଏମାନଙ୍କୁ ରିମାଣ୍ଡ୍‌ରେ ଆଣି ଅଧିକ ତଦନ୍ତ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର