ହ୍ୟାକରଙ୍କ ଟାର୍ଗେଟ୍ରେ ଟୋଲ୍ ଫ୍ରି, ବ୍ୟାଙ୍କ୍ କଷ୍ଟମର୍ କେୟାର ନମ୍ବର
ଓଡ଼ିଶାରେ ବି ଅନେକ ଠକାମିର ଶିକାର ହେଲେଣି
ଭୁବନେଶ୍ବର : ଲୋକଙ୍କୁ ଠକିବା ପାଇଁ ବାରମ୍ବାର ନୂତନ ପନ୍ଥା ଆପଣାଉଥିବା ସାଇବର ଠକ ଏବେ ନେଟୱର୍କ ପେନିଟ୍ରେସନ୍ କରି ବିଭିନ୍ନ ବ୍ୟାଙ୍କର ଗ୍ରାହକଙ୍କୁ ଲୁଟୁଛନ୍ତି। ପ୍ରଥମେ ବିଭିନ୍ନ ବ୍ୟାଙ୍କ୍, ଡେଲିଭରି ସଂସ୍ଥା ଓ ଟଙ୍କା ନେଣଦେଣ ପାଇଁ ଉଦ୍ଦିଷ୍ଟ ଆପ୍ର ଟୋଲ୍ ଫ୍ରି ଓ କଷ୍ଟମର୍ କେୟାର୍ ନମ୍ବରକୁ ଟାର୍ଗେଟ କରି ତା’ର ନେଟଵର୍କ ପେନିଟ୍ରେସନ୍ କରୁଛନ୍ତି। ଏହି ପଦ୍ଧତିରେ କଷ୍ଟମର୍ କେୟାର୍ ବା ଟୋଲ ଫ୍ରି ନମ୍ବରକୁ ଫୋନ୍ କରୁଥିବା ଲୋକଙ୍କ ନମ୍ବର ଜାଣିବା ପରେ ସେମାନଙ୍କ ସବିଶେଷ ତଥ୍ୟ ହାସଲ କରି ତାଙ୍କୁ ଫୋନ୍ କରି ଜାଲରେ ପକାଉଛନ୍ତି। ନିକଟରେ ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ଼ର ଛାତ୍ରୀ ଦୀପ୍ତିବାଳା ପ୍ରଧାନଙ୍କ ଆକାଉଣ୍ଟରୁ ପ୍ରାୟ ୩ଲକ୍ଷ ୬୦ହଜାର ଟଙ୍କା ଲୁଟିବା ପାଇଁ ସେମାନେ ନେଟଵର୍କ ପେନିଟ୍ରେସନ୍ କୌଶଳ ଅବଲମ୍ବନ କରିଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ; ରାଜ୍ୟର ସବୁଠୁ ବଡ଼ ସାଇବର ଠକେଇ କୁହାଯାଉଥିବା କଟକର ଡାକ୍ତର ସନାତନ ମହାନ୍ତିଙ୍କ ଆକାଉଣ୍ଟରୁ ମଧ୍ୟ ପ୍ରାୟ ୭୭ଲକ୍ଷ ଲୁଟ୍ ହେବା ପଛରେ ନେଟଵର୍କ ପେନିଟ୍ରେସନ୍ର ଉପାୟ ଆପଣାଯାଇଥିବା ଜଣାପଡ଼ିଛି।
ନେଟ୍ଓ୍ୱର୍କ ପେନିଟ୍ରେସନ୍ କ’ଣ
ବ୍ୟାଙ୍କ୍, ଡେଲିଭରି ସଂସ୍ଥାଠୁ ଆରମ୍ଭ କରି ଫୋନ୍, ଅନ୍ଲାଇନ୍ ଟ୍ରାଞ୍ଜାକ୍ସନ ଆପ୍ଗୁଡ଼ିକ ସେମାନଙ୍କ ଗ୍ରାହକମାନଙ୍କ ଏକ ଟୋଲ୍ ଫ୍ରି କଷ୍ଟମର୍ କେୟାର୍ ନମ୍ବର ସାର୍ବଜନୀନ କରିଥାଆନ୍ତି। ଏହି ନମ୍ବରକୁ ସାଧାରଣତଃ ଲୋକେ କିଛି ସମସ୍ୟାରେ ପଡ଼ିଲେ ବା କିଛିଟା ନୂଆ ଜିନିଷ ବିଷୟରେ ଜାଣିବା ପାଇଁ କଷ୍ଟମର୍ କେୟାର୍କୁ ଫୋନ୍ କରନ୍ତି। ତେଣୁ ହ୍ୟାକରମାନେ ଉକ୍ତ ଟୋଲ୍ ଫ୍ରି କଷ୍ଟମର୍ କେୟାର୍ ନମ୍ବର୍ର ନେଟଵର୍କକୁ ପେନିଟ୍ରେଟ୍ ବା କୌଣସି ମତେ ହ୍ୟାକ୍ କରି ପଶିବାକୁ ଚେଷ୍ଟା କରନ୍ତି। ଯାହା ଦ୍ବାରା ଯେକୌଣସି ଲୋକ କିଛି ଅସୁବିଧାରେ ପଡ଼ି ଯେତେବେଳେ ଉକ୍ତ ନମ୍ବରକୁ କଲ୍ କରେ, ସେତେବେଳେ ହ୍ୟାକର୍ ପାଖକୁ ଆପେଆପେ ଉକ୍ତ ନମ୍ବର ମୋବାଇଲ୍କୁ ଚାଲିଆସେ। ଯାହା ଫଳରେ କଷ୍ଟମର କେୟାର ସହ କିଛି ସମୟର ବାର୍ତ୍ତାଳାପ ପରେ ଯେତେବେଳେ ଫୋନ୍ କଟିଯାଏ, ସେ ସାଙ୍ଗେ ସାଙ୍ଗେ କଲ୍ ଆସିଥିବା ନମ୍ବରକୁ ଫୋନ୍ କରେ। ଆଉ ବିଶ୍ବାସ ଜନ୍ମାଇବା ପାଇଁ ହ୍ୟାକ୍ କରିଥିବା କମ୍ପାନିର ନାଁକୁ ଟ୍ରୁ କଲର୍ ଭଳି ଆପ୍ରେ ସେଭ୍ କରିଥାଏ। ଫଳରେ ଲୋକଟି ପ୍ରଥମେ ଆପ୍ରେ କମ୍ପାନି ପକ୍ଷରୁ ଫୋନ୍ ଆସିଛି ବୋଲି ଭାବି ଫୋନ୍ ଉଠାଏ। ଆଉ ଏହା ପରେ ହ୍ୟାକର୍ ନିଜକୁ କମ୍ପାନି କର୍ତ୍ତୃପକ୍ଷ ବୋଲି ପରିଚୟ ପୁଣି ଥରେ ବାହାନା କରି ଉକ୍ତ ଲୋକଠାରୁ ସମସ୍ତ ତଥ୍ୟ ମାଗିବା ଆରମ୍ଭ କରେ। ଯେହେତୁ କଲ୍ କଟିବାର କିଛି କ୍ଷଣ ଭିତରେ ହ୍ୟାକର୍ ଫୋନ୍ କରିଥାଏ, ସେଥିପାଇଁ ସମସ୍ତେ ହ୍ୟାକର୍କୁ କମ୍ପାନି ଲୋକ ବୋଲି ବିଶ୍ବାସକୁ ନେଇ ବ୍ୟାଙ୍କର ସବିଶେଷ ତଥ୍ୟଠୁ ଆରମ୍ଭ କରି ଏଟିଏମ୍ କାର୍ଡ ନମ୍ବର ଆଦି ଦେଇଦିଅନ୍ତି। ନଚେତ୍ ହ୍ୟାକର୍ କହିବାନୁଯାୟୀ ଏନିଡେସ୍କ ବା ରିମୋଟ ଆକ୍ସସେସ ଆପ୍ ଡାଉନ୍ଲୋଡ୍ କରାଇ ମୋବାଇଲ୍ର ସମସ୍ତ ନିୟନ୍ତ୍ରଣ ନିଜ ହାତକୁ ନେଇଯାଆନ୍ତି। ଏହା ପରେ ଚତୁରତାର ମୋବାଇଲକୁ ଆସୁଥିବା ଓଟିପି, ପାସଵାର୍ଡ ଓ ଅନ୍ୟାନ୍ୟ ନମ୍ବର ନେଇ ଆକାଉଣ୍ଟ ଖାଲି କରି ଦିଅନ୍ତି।
ସାଧାରଣତଃ ହ୍ୟାକର୍ମାନେ ବ୍ୟାଙ୍କ ଓ ଅନଲାଇନ୍ ଟ୍ରାଞ୍ଜାକ୍ସନ୍ ପାଇଁ ଥିବା ଆପ୍ର କଷ୍ଟମର୍ କେୟାର ନମ୍ବରକୁ ଟାର୍ଗେଟ୍ କରନ୍ତି। କାରଣ ଏହି ସଂସ୍ଥା ମାଧ୍ୟମରେ ଅର୍ଥର କାରବାର ହିଁ ହୁଏ। ଆଉ ଏହି ସଂସ୍ଥାର କଷ୍ଟମର୍ କେୟାର ନମ୍ବରକୁ ଲୋକେ ଟଙ୍କା କଟିବା ବା ନ ଯିବା ଆଦି ସମସ୍ୟାକୁ ନେଇ ଫୋନ୍ କରନ୍ତି। ତେଣୁ ଏଥିରୁ ଫାଇଦା ଉଠାଇବା ପାଇଁ ସେମାନେ ଉକ୍ତ ସଂସ୍ଥାର କଷ୍ଟମର କେୟାର ନମ୍ବରର ନେଟଵର୍କ ପେନିଟ୍ରେସନ୍ କରନ୍ତି।
ଏଭଳି ଠକାମିରୁ ବର୍ତ୍ତିବେ କେମିତି?
କୌଣସି ବ୍ୟାଙ୍କ୍ର କଷ୍ଟମର୍ କେୟାର୍ ସହ କଥା ହେବା ପରେ ହିଁ ନେଟୱାର୍କ ପେନିଟ୍ରେସନ କରୁଥିବା ହ୍ୟାକର୍ ସଂଗେ ସଂଗେ କଲ୍ କରେ। ତେଣୁ ସେମାନେ କଲ୍ କରିଥିବା ନମ୍ବରଟି ସମ୍ପୂର୍ଣ୍ଣ ଭିନ୍ନ ଓ ନୂଆ ଥାଏ। ଯାହାକି କୌଣସି ବ୍ୟାଙ୍କ ଓ ସଂସ୍ଥାର କଷ୍ଟମର୍ କେୟାର୍ ନମ୍ବର ନୁହେଁ। ଏହା ସହିତ ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ କେବେ ବି ଫୋନ୍ରେ ବ୍ୟାଙ୍କ୍ ଆକାଉଣ୍ଟ ନମ୍ବର ବା ତତ୍ସହିତ ଜଡ଼ିତ କୌଣସି ତଥ୍ୟ ମାଗନ୍ତି ନାହିଁ। ତେଣୁ ଏଭଳି ଅଜଣା ନମ୍ବରରୁ ଆସୁଥିବା କଲ୍ ବା ମେସେଜ୍କୁ ଅଗ୍ରାହ୍ୟ କରିବା ସହିତ ଫୋନ୍ରେ କାହାକୁ କିଛି ତଥ୍ୟ ଦିଅନ୍ତୁ ନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମୋବାଇଲ୍ରେ କେବେ ରିମୋଟ୍ ଆକ୍ସେସ୍ ଆପ୍ ମଧ୍ୟ ଡାଉନ୍ଲୋଡ୍ କରନ୍ତୁ ନାହିଁ।