ବାଲିଅନ୍ତା: ଆଜି ବାଲିଅନ୍ତା ଥାନା ଅଞ୍ଚଳରେ ପୁଣି ଲୁଟେରାଙ୍କ ଆତଙ୍କ ଦେଖିବାକୁ ମିଳିଛି। ଜଣେ ଦୁର୍ବୃତ୍ତ ଦିନ ଦି’ପହରେ ଏକ ଔଷଧ ଦୋକାନରେ ପଶି ବୟସ୍କ ମାଲିକଙ୍କୁ ମୁଥ ମାରି ମାରି ତାଙ୍କ ବେକରୁ ସୁନା ଚେନ୍ ଓ ହାତରୁ ବ୍ରେସ୍ଲେଟ୍ ଝାମ୍ପି ନେଇଛି। ଲୁଟ୍ର ଶିକାର ଔଷଧ ଦୋକାନ ମାଲିକ ହେଲେ ପ୍ରସନ୍ନ କୁମାର ଦାଶ (୭୪)। ଲୁଟ୍ ସାମଗ୍ରୀର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ପୁଲିସ ସିସିଟିଭି ଫୁଟେଜ୍ରୁ ଲୁଟେରାର କାରନାମା ଚିତ୍ର ସଂଗ୍ରହ କରି ଛାନ୍ଭିନ୍ ଆରମ୍ଭ କରିଥିଲେ ବି ତା’ର ପତ୍ତା ପାଇନଥିବା ଜଣାପଡ଼ିଛି। ତେବେ ବିସ୍ମୟର କଥା ଲୁଟେରା ଜଣକ ଲୁଟ୍ କରିବା ପରେ ଦୋକାନର ସଟର୍ ପକାଇ ପଳାଇଥିଲେ ବି ବଜାରର କେହି ବି ଏ ବାବଦରେ ଟେର୍ ପାଇନଥିଲେ।
ପୁରୀ ମୁଖ୍ୟ କେନାଲ ଅଟଳାଗଡ଼ା ମୁଖ୍ୟ ରାସ୍ତାର ସୁରେଖାବାଟିକା ମାର୍କେଟ କଂପ୍ଲେକ୍ସରେ ପ୍ରସନ୍ନଙ୍କ ଔଷଧ ଦୋକାନ ରହିଛି। ପୁଅ ପ୍ରିୟଦର୍ଶୀ ଅଧିକାଂଶ ସମୟରେ ଦୋକାନରେ ବସୁଥିବାବେଳେ ପ୍ରସନ୍ନ ବେଳେବେଳେ ବସନ୍ତି। ଆଜି ୧୧ଟାବେଳେ ପ୍ରିୟଦର୍ଶୀ କୌଣସି କାମରେ ବାହାରକୁ ଯାଇଥିବାବେଳେ ପ୍ରସନ୍ନ ଏକାକୀ ଦୋକାନରେ ବସିଥିଲେ। ଏତିକିବେଳେ ମୁଣ୍ଡରେ ନାଲି ରଙ୍ଗରେ ହେଲ୍ମେଟ୍ ଓ ମୁହଁରେ ମାସ୍କ ପିନ୍ଧିଥିବା ଜଣେ ଯୁବକ ଦୋକାନ ଭିତରେ ପଶିଥିଲା। ପ୍ରସନ୍ନ ତାଙ୍କୁ ଜଣେ ଗ୍ରାହକ ବୋଲି ଭାବିଥିଲେ। ମାତ୍ର ଦୁର୍ବୃତ୍ତ ଜଣକ ହଠାତ୍ ତାଙ୍କୁ ମୁଥ ମାରିଥିଲା। ବୃଦ୍ଧ ପ୍ରସନ୍ନ ଆବାକାବା ହୋଇ ଯାଇଥିଲେ ଓ ପାଟି କରି ପାରିନଥିଲେ। ଦୁର୍ବୃତ୍ତ ଜଣକ ତାଙ୍କୁ ତିନି ଚାରି ମୁଥ ପକାଇବା ଭିତରେ ବେକରୁ ସୁନା ଚେନ୍ ଓ ହାତରୁ ବ୍ରେସ୍ଲେଟ୍ ଟାଣି ନେଇଥିଲା। ପ୍ରସନ୍ନ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଦୁର୍ବୃତ୍ତ ଦୋକାନରୁ ବାହାରି ପଡ଼ିଥିଲା ଓ ସଟର୍ ଟାଣି ପକାଇ ଦେଇଥିଲା। ଦୋକାନ ଭିତରେ ପ୍ରସନ୍ନ ସେମିତି ବନ୍ଦୀ ହୋଇ ରହିଥିଲେ ଓ ଚିତ୍କାର କରିଥିଲେ। ପରେ ପଡ଼ୋଶୀ ଦୋକାନୀମାନେ ତାଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ଦୁର୍ବୃତ୍ତ ଚମ୍ପଟ ମାରି ସାରିଥିଲା। ଖବର ପାଇ ପ୍ରିୟଦର୍ଶୀ ଦୋକାନରେ ପହଞ୍ଚିଥିଲେ ଓ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବାପାଙ୍କୁ ନେଇ ହସ୍ପିଟାଲରେ ଚିକିତ୍ସିତ କରାଇଥିଲେ। ଦୋକାନ ସିସିଟିଭି କ୍ୟାମେରାରେ ଦୁର୍ବୃତ୍ତର ଆକ୍ରମଣ ଓ ଲୁଟ୍ ଚିତ୍ର କଏଦ ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବା କଥା ଦୋକାନ ବାହାରେ ଅନ୍ୟ ଜଣେ ଯୁବକ ବାଇକ୍ ଷ୍ଟାର୍ଟ କରି ଅପେକ୍ଷା କରିଥିଲା ଓ ଦୋକାନରୁ ବାହାରିଥିବା ଦୁର୍ବୃତ୍ତକୁ ନେଇ ଫେରାର୍ ହୋଇଯାଇଥିଲା। ବାଲିଅନ୍ତା ଥାନା ଓ ବାଳକାଟି ଫାଣ୍ଡି ପୁଲିସ ଦୁର୍ବୃତ୍ତକୁ ଠାବ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛନ୍ତି। ଦୁର୍ବୃତ୍ତ ଜଣକ ସିଧାସଳଖ ପ୍ରସନ୍ନଙ୍କ ଚେନ୍ ଓ ବ୍ରେସ୍ଲେଟ୍କୁ ଟାର୍ଗେଟ୍ କରିଥିବାରୁ ସେମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ସନ୍ଦେହ କରାଯାଉଛି। କିଛି ଦିନ ଛକି ରହିବା ପରେ ଆଜି ପ୍ରସନ୍ନ ଏକାକୀ ଥିବା ମଉକାରେ ସେମାନେ ଲୁଟ୍ କରିଥିବା ସ୍ପଷ୍ଟ ହୋଇଛି।