ଭୁବନେଶ୍ୱର : ଆଜି ଅପରାହ୍ନରେ ସହିଦନଗର ଥାନା ପଥରବନ୍ଧ ବସ୍ତିରେ ଫ୍ଲିପ୍କାର୍ଟ ଡେଲିଭରି କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ବିଶ୍ବାଳଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ଲୁଟ୍ କରାଯାଇଛି। ୩ ଜଣ ଦୁର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରି ଲୁଟ୍ କରିଛନ୍ତି। ତେବେ ସୌଭାଗ୍ୟକୁ ସେହି ସମ୍ପୃକ୍ତ ୱାର୍ଡର ସଭାପତି ବାଦଲ ନାୟକଙ୍କ ପ୍ରତିରୋଧରୁ ପୂର୍ଣ୍ଣଚନ୍ଦ୍ର ବଡ଼ ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି। କିନ୍ତୁ ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ଉଭୟ ପୂର୍ଣ୍ଣଚନ୍ଦ୍ର ଓ ବାଦଲ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ସୂଚନାନୁସାରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାବେଳେ ପୂର୍ଣ୍ଣ ଏକ ଅର୍ଡର ଡେଲିଭରି କରିବାକୁ ପଥରବନ୍ଧ ବସ୍ତିକୁ ଯାଇଥିଲେ। ହଠାତ୍ ରାସ୍ତାରେ ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ମୋବାଇଲ ଓ ବ୍ୟାଗ୍ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ସେ ବିରୋଧ କରିବାରୁ ସେମାନେ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ପକାଇଥିଲେ। ଠିକ୍ ସେତିକିବେଳେ ବାଦଲ ଘଟଣାସ୍ଥଳକୁ ଦଉଡ଼ି ଯାଇ ପୂର୍ଣ୍ଣଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ। ଧରାପଡ଼ିଯିବା ଭୟରେ ଓ ଘଟଣାସ୍ଥଳରୁ ଖସିଯିବା ପାଇଁ ଦୁର୍ବୃତ୍ତମାନେ ବାଦଲଙ୍କୁ ମଧ୍ୟ ଧାରୁଆ ଅସ୍ତ୍ରରେ ଚୋଟ ପରେ ଚୋଟ ପକାଇଥିଲେ। ସେମାନଙ୍କ ପାଟି ଶୁଣି ବସ୍ତି ଲୋକେ ସେଠାକୁ ଧାଇଁ ଆସିବାରୁ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ।